ଗାଡ଼ି ଚାଳନା ପରୀକ୍ଷା ପାଇଁ ଅନୁମତି ଆରମ୍ଭ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡ଼ି ଚାଳନା ଶିକ୍ଷଣ ଓ ଗାଡ଼ି ଚାଳନା ଅନୁମତି ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ଯେଉଁମାନେ ଏଥିପାଇଁ ଆଗୁଆ ଦେୟ ପୈଠ କରିଥିଲେ ଏବଂ ସେମାନଙ୍କ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି(ଏଲ୍‌ଏଲ୍‌) ଏବଂ ଗାଡ଼ି ଚାଳନା(ଡିଏଲ୍‌) ଅନୁମତିର ଅବଧି ଗତ ୨୦୨୦ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ଶେଷ ହେଉଥିଲେ ମଧ୍ୟ ଏହା ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ପରିବହନ କମିସନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବନ୍ଦ ରହିଥିବା ୧୦ ଜିଲା ମଧ୍ୟରୁ ପୁରୀ ଜିଲାକୁ ବାଦ୍‌ ଦେଇ ଅନ୍ୟ ୯ ଜିଲାରେ ଗାଡ଼ି ଚାଳନା ଅନୁମତି ପାଇବା ଲାଗି ଜୁଲାଇ ୧୦ ତାରିଖରୁ ଆବେଦନ କରିପାରିବେ। ଗତ ଏପ୍ରିଲ୍‌ ୨୨ରେ ଏହି ଉଭୟ ଗାଡ଼ି ଚାଳନା ଓ ଶିକ୍ଷଣ ଲାଗି ଅନୁମତି ପରୀକ୍ଷା ପାଇଁ ସମୟ ନେବା(ସ୍ଲଟ୍‌ ବୁକିଂ) ବାତିଲ୍‌ କରାଯାଇଥିଲା।
ଗତ ଜୁନ୍ ୨୧ରୁ ରାଜ୍ୟର କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ୨୦ ଜିଲାରେ ଏହି ଦୁଇ ଗାଡ଼ି ଚାଳନା ଶିକ୍ଷଣୀୟ ଏବଂ ଗାଡ଼ି ଚାଳନା ଅନୁମତି ପାଇଁ ପରୀକ୍ଷା ଦେବା ଲାଗି ସମୟ ନେବା ବ୍ୟବସ୍ଥା ଆରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ପରଠାରୁ ପୁରୀ ଜିଲାରେ ମଧ୍ୟ ଏହି ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ଉଭୟ ପରୀକ୍ଷା ଲାଗି ‘ସାରଥି’ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନ୍‌ଲାଇନ୍‌) ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ସକାଳ ୭ଟାରୁ ୧୦ ଟା ମଧ୍ୟରେ ଆବେଦନ କରି ପରୀକ୍ଷା ପାଇଁ ସମୟ ନେଇପାରିବେ ବୋଲି ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଭୁବନେଶ୍ବର-୧ ଓ ଭୁବନେଶ୍ବର-୨ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଗାଡ଼ି ଚାଳନା ଅନୁମତି ପାଇଁ ପରୀକ୍ଷା ସକାଳ ୭ଟାରୁ ଦିନ ଗୋଟାଲ ପର୍ଯ୍ୟନ୍ତ କରାଯିବ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ର ସୋମବାର, ବୁଧବାର ଓ ଶୁକ୍ରବାର ଦିନ କରାଯିବାକୁ ସ୍ଥିିର କରାଯାଇଥିବା ବେଳେ ମଙ୍ଗଳବାର ଓ ଗୁରୁବାର ଆଞ୍ଚଳିକ କାର୍ଯ୍ୟାଳୟ-୨ ପରୀକ୍ଷା କରାଯିବ। ସେହିପରି ବାହାନ ସେବା ମାଧ୍ୟମରେ ଗାଡ଼ି ଚାଳନା ସମ୍ବନ୍ଧୀୟ ସେବା ଏବଂ ଗାଡ଼ି ସମ୍ବନ୍ଧୀୟ ସେବା ମଧ୍ୟ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି।

Comments are closed.