କେବଳ ଅଭିବୃଦ୍ଧି ନୁହେଁ; ଜୀବନ-ଜୀବିକା ଗୁରୁତ୍ବପୂର୍ଣ୍ଣ

ସନ୍ତୋଷ କୁମାର ମହାପାତ୍ର

ଏ ଲେଖା ଲେଖିବା ବେଳକୁ ଆମରଏକ ମଜାକଥା ମନେ ପଡୁଛି। ତାହା ହେଲା ଜଣେ ପିଲା ପାଠ ଭଲ ପଢ଼ୁନଥିଲା। ଏଣୁ ତାର ପିତା ତାକୁ ଜଣେ ଶିକ୍ଷକଙ୍କ ପାଖରେ ଟ୍ୟୁସନ ଦେଇଥିଲେ। ତାଙ୍କ ପିତାଙ୍କ ଉପସ୍ଥିତିରେ, ଟ୍ୟୁସନ ଶିକ୍ଷକ ପୁଅକୁ ୫ସହିତ ୫ ଯୋଗ ହେଲେ କେତେ ହେବ ବୋଲି ପ୍ରଶ୍ନ କଲେ। ଉତ୍ତରରେ ପିଲାଟି କହିଲା ୯। ତାର ଭୁଲ ଉତ୍ତର ସତ୍ତ୍ୱେ ତାର ପିତା ଖୁସି ବ୍ୟକ୍ତ କଲେ। ଭୁଲ ଉତ୍ତର ସତ୍ତ୍ୱେ ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପିଲାର ପିତାଙ୍କୁ କାହିଁକି ଖୁସି ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ପିଲାର ପିତା କହିଥିଲେ ଯେ ଏହା ପୂର୍ବରୁ ସେ ୫ ସହିତ ୫ ଯୋଗହେଲେ ୮ହେବ ବୋଲି କହୁଥିଲା। ବର୍ତ୍ତମାନ ସେ ୯ କହିଲାଣି, ତେଣୁ ୧୦ ଆଉ କେତେଦୂର। ଠିକ୍‌ ସେହିପରି ବର୍ତ୍ତମାନ କରୋନା ମହାମାରୀର କୁପ୍ରଭାବରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଗତବର୍ଷର ସେହି ଅବଧି ତୁଳନାରେ ଏପ୍ରିଲ- ଜୁନ୍‌ ମାସରେ ରେକର୍ଡ -୨୩.୯ % ସଂକୋଚନ ହୋଇଥିଲାବେଳେ, ଜୁଲାଇ-ସେପ୍ଟେମ୍ବର ୨୦୨୦ ତ୍ରୈମାସରେ ସଂକୋଚନ ହାର ହ୍ରାସ ପାଇ -୭.୫ % ହୋଇଛି। ସରକାର ଖୁସିବ୍ୟକ୍ତ କରିଛନ୍ତି। ଯେଉଁ ମାତ୍ରାରେ ଜିଡିପି ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, ଅତ୍ୟନ୍ତ ଆଶ୍ଚର୍ଯ୍ୟ ଭାବେ ତାହା କମ ହ୍ରାସ ପାଇଛି ବୋଲି କୁହାଯାଉଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଜିଡିପି ତଥ୍ୟକୁ ନେଇ ଆଶାବାଦୀ ହୋଇପଡିଛନ୍ତି। ଅନ୍ଧକାର ଦୂର ହୋଇଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି।

ବିମୁଦ୍ରାୟନ ପୂର୍ବରୁ ଭାରତୀୟ ଅର୍ଥନୀତି ପ୍ରାୟ ୮% ବୃଦ୍ଧି ପାଉଥିଲା; କିନ୍ତୁ ବିମୁଦ୍ରାୟନ ଏବଂ ଜଟିଳ ଜିଏସଟି ଅଭିବୃଦ୍ଧିକୁ ପ୍ରଭାବିତ କରିଥିଲା। ୨୦୧୮-୧୯ରୁ ୨୦୧୯-୨୦ ମଧ୍ୟରେ ଆଠଟି ତ୍ରୈମାସରେ ଜିଡିପି କ୍ରମାଗତ ଭାବେ ହ୍ରାସ ପାଇଛି। ଅଭିବୃଦ୍ଧି ହାର ଜାନୁଆରୀ-ମାର୍ଚ୍ଚ ୨୦୧୮ରେ ୮.୨% ଥିଲା। ଏହା କ୍ରମଶଃ ହ୍ରାସ ପାଇ ଜାନୁଆରୀ-ମାର୍ଚ୍ଚ ୨୦୨୦ରେ ୩.୧ %କୁ ହ୍ରାସ ପାଇଥିଲା। ବର୍ତ୍ତମାନ କରୋନା ମହାମାରୀ ହେତୁ ଏହା ବିଯୁକ୍ତାତ୍ମକ ହୋଇଛି। କେବଳ ବିଯୁକ୍ତାତ୍ମକ ନୁହେଁ ସଂକୋଚନ ହାର ରେକର୍ଡ ଭଙ୍ଗ କରିଛି। ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି, ଆର୍ଥିକ ସମସ୍ୟାର ଭୟାବହତା ସମ୍ପର୍କରେ ଠିକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଭୟଙ୍କର ଆର୍ଥିକ ଦୁଃସ୍ଥିତି ଅଛି ବୋଲି ସରକାର କହୁନାହାନ୍ତି; ବରଂ ରଙ୍ଗିନ ସ୍ୱପ୍ନ ଦେଖାଉଛନ୍ତି। ରୋଗ ଠିକ୍‌ଭାବେ ନିରୂପଣ ନ ହେଲେ ଉଚିତ ପ୍ରତିକାର ବ୍ୟବସ୍ଥା କରାଯାଇପାରିବ ନାହିଁ। ଯେଉଁମାନେ ବିଫଳତାକୁ ଲୁଚାଉଛନ୍ତି ସେମାନେ ପରୋକ୍ଷରେ ଦେଶ, ଅର୍ଥନୀତି ଏବଂ ସର୍ବୋପରି ଜନତାଙ୍କ କ୍ଷତି କରୁଛନ୍ତି। ପୂର୍ବାପେକ୍ଷା ଟିକେ କମ କ୍ଷତି ହୋଇଛି ବୋଲି କଣ କିଏ ଖୁସି ହୋଇଥାଏ ? ଅନ୍ୟ ଅର୍ଥରେ ବେଶୀ ରନ୍‌ ବ୍ୟବଧାନରେ ଗତଥର ହାରିଥିବା ଟିମ୍‌ ଏଥର ଆଉ ଟିକେ କମ୍‌ ରନରେ ହାରିଲେ କ’ଣ ଖୁସି ହୋଇଥାଏ ?

ସାଧାରଣ କଥା ହେଉଛି ଅନେକଦିନ ତାଲାବନ୍ଦ ବା ଲକଡାଉନ ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଦ୍ରବ୍ୟ ଓ ସେବାର ଯୋଗାଣରେ ବ୍ୟାଘାତ ଘଟିବା ସହିତ, ଗମନାଗମନ ସମ୍ପୂର୍ଣ ବନ୍ଦ ହେବା ଯୋଗୁଁ ଲୋକ ଜୀବିକାର ଉତ୍ସ ହରାଇଥିଲେ ଏବଂ ସାମଗ୍ରିକ ଚାହିଦା ହ୍ରାସ ପାଇଥିଲା, ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇଥିଲା। ଏଣୁ ଯେତେବେଳେ ତାଲା ବନ୍ଦ କୋହଳ ହେଲା ବା ଉଠିଗଲା, ସେତେବେଳେ ଚାହିଦାରେ ଉନ୍ନତି ଘଟିବ ଏବଂ ଚାହିଦା ବୃଦ୍ଧି ପାଇବ। ଆର୍ଥିକ କାର୍ଯ୍ୟକଳାପ ଏବଂ ଜିଡିପି ବୃଦ୍ଧିରେ ସ୍ୱାଭାବିକ ଭାବେ କିଛି ଉନ୍ନତି ଘଟିବ। ଏହା ସଫଳତା ବୋଲି ଭାବିବା ଅନୁଚିତ; କିନ୍ତୁ ସେହି ଉନ୍ନତି ଯଦି ଆଶାନୁରୂପ ନ ହୁଏ ଏବଂ ଅନ୍ୟ ସବୁ କ୍ଷେତ୍ରରେ ଅନୁରୂପ ଭାବେ ଉନ୍ନତି ନ ହୁଏ, ବିଶେଷ କରି ଅନ୍ୟ ଦେଶ ତୁଳନାରେ ଆମର ଉନ୍ନତି ଅଧିକ ନହୁଏ ତେବେ ଖୁସି ନହୋଇ ଚିନ୍ତା ପ୍ରକଟ କରିବା ଉଚିତ।

ଅନେକ ସମ୍ବାଦପତ୍ରରେ ପ୍ରକାଶ ପାଇଛି ଯେ ଭାରତରେ ‘ଟେକ୍‌ନିକାଲ ରିସେସନ’ ଦେଖାଦେଇଛି। ବିଶ୍ୱରେ ଭୟଙ୍କର ରିସେସନ ଦେଖାଦେଇଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କହିଲାବେଳେ, ଡିପ୍ରେସନ ଦେଖା ଦେଇଛି ବୋଲି ବିଶ୍ୱବ୍ୟାଙ୍କ କହିଛି। ବର୍ତ୍ତମାନ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଭାରତୀୟ ଅର୍ଥନୀତିରେ କେବଳ ଜିଡିପି ହ୍ରାସ ହୋଇନାହିଁ ବରଂ ଅର୍ଥନୀତି ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତି କରୁଛି। ଭୟାନକ ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି (ଷ୍ଟାଗଫ୍ଲେସନ) ବା ରିସେସନ, ଏପରିକି ‘ଡିପ୍ରେସନ’ର ସମ୍ମୁଖୀନ ହୋଇଛି। ଏକ ଅର୍ଥନୀତିରେ ‘ଷ୍ଟାଗଫ୍ଲେସନ’ ଦେଖାଦେଇଛି ବୋଲି ଜଣାପଡ଼େ ଯେତେବେଳେ ମୁଦ୍ରାସ୍ଫୀତି ସାଙ୍ଗକୁ ଅଭିବୃଦ୍ଧି ହ୍ରାସ ପାଏ/ମନ୍ଥର ହୁଏ ଏବଂ ଚାକିରି/ନିଯୁକ୍ତି ହ୍ରାସ ଘଟେ। ଏକ ଦେଶର ଅର୍ଥନୀତିରେ ଟେକ୍‌ନିକାଲ ରିସେସନ ବା ରିସେସନ ଦେଖାଦେଇଛି ବୋଲି କୁହାଯିବ ଯଦି କ୍ରମାଗତ ଦୁଇଟି ତ୍ରୈମାସରେ ଜିଡିପି ବୃଦ୍ଧି ନ ହୋଇ ସଂକୁଚିତ ହୁଏ ବା ବିଯୁକ୍ତାତ୍ମକ ହୁଏ। ଆମ ଦେଶରେ ଏହା ପ୍ରଥମ ଥରପାଇଁ ହୋଇଛି।

ବହୁଦିନ ଧରି ବିଶ୍ୱରେ ଏବଂ ଆମ ଅର୍ଥନୀତିରେ ‘ଗ୍ରୋଥ ରିସେସନ’ ଦେଖାଦେଇଛି । ଗ୍ରୋଥ ରିସେସନ ତତ୍ତ୍ୱ ନ୍ୟୁୟର୍କ ୟୁନିଭରସିଟିର ପ୍ରଫେସର ଅର୍ଥନୀତିଜ୍ଞ ସୋଲେମାନ ଫ୍ୟାବ୍ରିକାଣ୍ଟ ବାହାର କରିଥିଲେ। ଯେତେବେଳେ ଅର୍ଥନୀତିରେ ସଂଜ୍ଞା ଦୃଷ୍ଟିରୁ ରିସେସନ ନ ଥାଏ; କିନ୍ତୁ ରିସେସନର ଲକ୍ଷଣ ଯଥା ନିବେଶ ବା ଇନଭେଷ୍ଟମେଣ୍ଟ ହ୍ରାସ, ଅଭିବୃଦ୍ଧି ହାର ହ୍ରାସ, ନିଯୁକ୍ତି ସଙ୍କୋଚନ, ବେକାରୀ ବୃଦ୍ଧି, ଉତ୍ପାଦନ ହ୍ରାସ ତଥା ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇଥାଏ ସେତେବେଳେ ସେହି ଦେଶରେ ଗ୍ରୋଥ ରିସେସନ ଦେଖାଯାଇଛି ବୋଲି କୁହାଯିବ। ଅପରପକ୍ଷରେ ଆର୍ଥିକ ସ୍ଲୋ ଡାଉନ ବା ମନ୍ଥର ଅଭିବୃଦ୍ଧି କହିଲେ ଆର୍ଥିକ ଅଭିବୃଦ୍ଧି ହାର କ୍ରମଶଃ ହ୍ରାସ ପାଇଥାଏ, ଯାହା ବିମୁଦ୍ରାୟନ ଏବଂ ଜିଏସ୍‌ଟି ଯୋଗୁଁ ଦେଖା ଦେଇଛି। ଡିପ୍ରେସନ ହେଉଛି ରିସେସନର ଉଗ୍ରରୂପ। ଦେଶର ଅର୍ଥନୀତିରେ ଡିପ୍ରେସନ ଦେଖାଦେଇଛି ବୋଲି କୁହାଯିବ ଯଦି ଅଭିବୃଦ୍ଧି କ୍ରମାଗତ ଭାବେ ୩ବର୍ଷ ଧରି ବିଯୁକ୍ତାତ୍ମକ ହୁଏ ବା ଜିଡିପି ଏକ ବର୍ଷରେ ୧୦%ରୁ ଊର୍ଦ୍ଧ୍ବ ହ୍ରାସ ପାଏ ବା ବେକାରୀ ହାର ୨୫% ବା ତାହାଠାରୁ ଅଧିକ ହୋଇଥାଏ ।

ଏକ ମହାମାରୀ ସମୟରେ ଯଦି ସବୁ ଦେଶ ପ୍ରଭାବିତ ହେଉଥାଏ, ତେବେ ଏକ ଦେଶର ସରକାର ବା ଶାସନକର୍ତ୍ତାଙ୍କୁ ଦକ୍ଷ କୁହାଯିବ; ଯଦି ଅନ୍ୟ ଦେଶ ତୁଳନାରେ ତାଙ୍କ ଦେଶ କମ୍‌ ପ୍ରଭାବିତ ହୁଏ ଏବଂ ଯେତେବେଳେ ବିଭିନ୍ନ ପଦକ୍ଷେପ ନିଆଯାଏ ସେତେବେଳେ ସେହି ସରକାର ଜିଡିପି ଅନୁସାରେ ଅଧିକ ବ୍ୟୟ କରେ ଏବଂ ଆର୍ଥିକ ସୁଧାର ବା ପୁନରୁଦ୍ଧାର ଅଧିକ ହୁଏ। ୧୦ଟି ଶ୍ରେଷ୍ଠ ଅର୍ଥନୀତି ମଧ୍ୟରେ ଭାରତ ଉଭୟ ତ୍ରୈମାସରେ ସର୍ବାଧିକ ଖରାପ ପ୍ରଦର୍ଶନ କରିଛି। ଏପ୍ରିଲ- ଜୁନ୍ ୨୦୨୦ ତ୍ରୈମାସରେ ଜିଡିପି ହ୍ରାସ ଫ୍ରାନ୍ସରେ (-୧୮.୯ %), ଇଟାଲୀ (-୧୭.୯ %), ବ୍ରିଟେନ (-୨୧.୫ %), ୟୁରୋଏରିଆ (-୧୪.୫ %)। , ଅଷ୍ଟ୍ରେଲିଆ (-୧୪.୫ %), ଆମେରିକା (-୯.୦ %), ଜାପାନ (-୧୦.୩ %), ସ୍ୱିଡେନ (-୭.୭ %), ଇଣ୍ଡୋନେସିଆ (-୫.୪ %) ହୋଇଥିଲାବେଳେ, ଭାରତରେ(- ୨୩.୯ % ) ସଂକୋଚନ ହୋଇଛି। ଚୀନରେ କେବଳ ପଜିଟିଭି ୩.୨ % ଅଭିବୃଦ୍ଧି ଘଟିଛି। ସେହିପରି ତାଲାବନ୍ଦ କୋହଳ ବା ଉଠିବା ପରେ ଭାରତ ମଧ୍ୟ ଅନ୍ୟ ଦେଶମାନଙ୍କ ପଛରେ ରହିଛି। ଜିଡିପିରେ ସଂକୋଚନ ଜୁଲାଇ-ସେପ୍ଟେମ୍ବର ୨୦୨୦ ତ୍ରୈମାସରେ, ଫ୍ରାନ୍ସରେ (-୪.୩% ), ଇଟାଲୀ (-୪.୭ %), ବ୍ରିଟେନ (-୯.୬ %) ), ୟୁରୋଏରିଆ (-୪.୪ %), ଅଷ୍ଟ୍ରେଲିଆ (-୫.୩ %), ଆମେରିକା (-୨.୯ %), ଜାପାନ (-୫.୯ %), ସ୍ୱିଡେନ (-୪.୧ %), ଇଣ୍ଡୋନେସିଆ (-୩.୬% ) ହୋଇଥିଲାବେଳେ ଭାରତରେ -୭.୫ % ହୋଇଛି। ଚୀନରେ କେବଳ ଅଭିବୃଦ୍ଧି ପଜିଟିଭ ୪.୯ % ଘଟିଛି।

ଏକ ସରକାର ବା ରାଷ୍ଟ୍ରପାଇଁ କେବଳ ଆର୍ଥିକ ଅଭିବୃଦ୍ଧି ବା ବିଭିନ୍ନ ସାମୂହିକ ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ନୁହେଁ; ବ୍ୟକ୍ତିଗତ ଲୋକଙ୍କ ଆର୍ଥିକ ସ୍ଥିତି, ଜୀବନଧାରଣର ମାନରେ ଉନ୍ନତି ବହୁ ଅଧିକ ମହତ୍ତ୍ବପୂର୍ଣ୍ଣ। ସର୍ବୋପରି ଜୀବନ ଓ ଜୀବିକାର ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ। ଏଥିପ୍ରତି ସରକାରଙ୍କ ଚିନ୍ତା ଥିବା ପରି ମନେହେଉନାହିଁ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସମ୍ପଦ ବଢିଲେ ଦେଶର ଜିଡିପି ମଧ୍ୟ ବୃଦ୍ଧି ପାଇବ, ଯାହା ଆମ ଦେଶରେ ଘଟୁଛି। ଏପରିକି ବିଶ୍ୱରେ ସେହି ଅବସ୍ଥା। କୌଣସି ନେତା, ମନ୍ତ୍ରୀ, ଯୋଜନାକାରୀ ଅର୍ଥନୀତିଜ୍ଞ ବା ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିବା ପୂର୍ବରୁ ଟିକେ ଭାବିବା ଉଚିତ ଯେ ଯେଉଁ କୋଟିକୋଟି ଲୋକ ଦାରିଦ୍ର୍ୟ, କ୍ଷୁଧା, ବେକାରୀ, ବାସହୀନତା ଦ୍ୱାରା ପୀଡିତ ହୋଇ କଷ୍ଟକର ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରତି କ’ଣ ସେମାନଙ୍କର ତଥା ରାଷ୍ଟ୍ରର ବା ସରକାରଙ୍କ କିଛି ଦାୟିତ୍ୱ ନାହିଁ। କରୋନା ମହାମାରୀ ପ୍ରଭାବରେ ଯେଉଁମାନେ ଜୀବିକା ହରାଇଛନ୍ତି, ଯେଉଁ ପରିବାରରେ ଅସମୟରେ କିଏ ମୃତ୍ୟୁବରଣ କରଛି, ସେହି ପରିବାରର ଦୁଃଖ, ମନର ଉଦ୍‌ବେଗ କିଏ ବୁଝିବ। କିଏ ସେକଥା କହିବ। ଯଦି ୧୦୦ ଜଣଙ୍କ ମଧ୍ୟରୁ ୯୯ ଜଣ ଭଲରେ ଥାନ୍ତି; କିନ୍ତୁ ଗୋଟିଏ ଲୋକ ବି ଦୁଃଖ, ଅଭାବରେ ଥାଏ, ସେତେବେଳେ ରାଷ୍ଟ୍ର ଖୁସି ବ୍ୟକ୍ତ ନକରି ସେହି ଗୋଟିଏ ଲୋକ କଥା ବେଶୀ ଚିନ୍ତା କରିବା ଉଚିତ।
ଯେପରି ଜଣେ ଲୋକର କେବଳ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେଲେ ମୃତ୍ୟୁ ହୋଇନଥାଏ, ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହେଲେ ମଧ୍ୟ ମୃତ୍ୟୁ ହୋଇଥାଏ, ସେହିପରି ଏକ ଦେଶର ଆର୍ଥିକ ସ୍ଥିତି ପାଇଁ କେବଳ ଜିଡିପି ବୃଦ୍ଧି ନୁହେଁ; ଅନ୍ୟ ସବୁ ବିଷୟ ଯଥା ସମ୍ବଳର ସୁଷମ ବଣ୍ଟନ, ନିଯୁକ୍ତି ସୃଷ୍ଟି, ଶିକ୍ଷା ସ୍ୱାସ୍ଥ୍ୟ ସହଜରେ ଉପଲବ୍ଧ କରାଇବା, ବିଭିନ୍ନ ଅନ୍ତର୍ଜାତୀୟ ତଥା ସାମାଜିକ ସୂଚକାଙ୍କରେ ଉନ୍ନତି କରିବା ତତୋଽଧିକ ଗୁରୁତ୍ୱପୂର୍ଣ୍ଣ। ଗୋଟିକରେ ପଛୁଆ ହେଲେ ମଧ୍ୟ ଚିନ୍ତାଯୋଗ୍ୟ; କିନ୍ତୁ ଏ ସବୁରେ ଭାରତ ଆଗରୁ ପଛରେ ଥିଲା, ବର୍ତ୍ତମାନ ଆହୁରି ପଛକୁ ଚାଲିଯାଇଛି; କିନ୍ତୁ କାହାର ନିଘା ନାହିଁ।

ଅଭିବୃଦ୍ଧି ହ୍ରାସ ଚିନ୍ତାର ବିଷୟ ହୁଅନ୍ତା ନାହିଁ, ଯଦି ଥିଲାବାଲା ଲୋକ ସରକାରଙ୍କ ତହବିଲକୁ ଅଧିକ ଅର୍ଥ କ୍ଷତିଗ୍ରସ୍ତ ବା ଦୁର୍ବଳ ଶ୍ରେଣୀଙ୍କ ଉନ୍ନତି ପାଇଁ ଦିଅନ୍ତେ; କିନ୍ତୁ ବାସ୍ତବରେ ଓଲଟା ହେଉଛି। ‘କେ’ ଆକାରରେ ଅର୍ଥନୀତି ଗତିକରୁଛି। ଧନୀ ଅଧିକ ଧନୀ ହେଲାବେଳେ ଗରିବ ଅଧିକ ଗରିବ ହେଉଛି। ଅଧିକାଂଶ ଦୁର୍ଦଶା ଦେଇ ଗତି କଲାବେଳେ ଷ୍ଟକ ମାର୍କେଟ ସୂଚକାଙ୍କରେ ଅହେତୁକ ବୃଦ୍ଧି ଯୋଗୁଁ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକ ଲାଭବାନ ହେଉଛନ୍ତି। ସରକାର ପ୍ରଚାର କରୁଛନ୍ତି ଯେ କରୋନା ପାଇଁ ଯେଉଁ ଆର୍ଥିକ ପ୍ୟାକେଜ ଦେଇଛନ୍ତି, ତାହାର ମୂଲ୍ୟ ଜିଡିପିର ୧୫%; କିନ୍ତୁ ଯଦି ସରକାରୀ ବ୍ୟୟ କଥା ବିଚାର କରାଯାଏ, ବିଶ୍ୱରେ ଏହା ଜିଡିପିର ୧୦ରୁ ୧୫% ହୋଇଥିଲାବେଳେ, ଭାରତରେ ମାତ୍ର ୨.୫% । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ସରକାରୀ ଚୂଡାନ୍ତ ଉପଭୋଗ ଖର୍ଚ୍ଚ ପ୍ରଥମ ତ୍ରୈମାସରେ ୧୬.୩% ବୃଦ୍ଧି ପାଇଥିଲାବେଳ, ଦ୍ବିତୀୟ ତ୍ରୈମାସରେ ଏହା କମ, ଅର୍ଥାତ ୧୪.୮% ବୃଦ୍ଧି ପାଇଛି। ଏଣୁ ସରକାର କିପରି ଅଧିକ ବ୍ୟୟ କରିବେ ଏବଂ ଲୋକଙ୍କ କ୍ରୟଶକ୍ତି ଓବ୍ୟୟ ବୃଦ୍ଧି ପାଇବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Comments are closed.