ହାରି ଯାଉଥିବା ଲୋକକୁ ବଞ୍ଚିବାର ପ୍ରେରଣା ଦିଏ ସାହିତ୍ୟ

ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର୍

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ କରୋନା ମହାମାରୀ ସମସ୍ତଙ୍କୁ ଗୃହବନ୍ଦୀ କରି ରଖିଥିଲାବେଳେ, ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କର ଉଦ୍ୟମରେ ବିନ୍ଦୁ ସାହିତ୍ୟ ସମାଜ ସମସ୍ତଙ୍କୁ ଯୋଡିବାରେ ସହାୟକ ହୋଇଛି। ଡ. ଅବଦୁଲ କାଲାମଙ୍କୁ ଜଣେ ଦୁରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାବେ ଅଭିହିତ କରି କହିଥିଲେ ଯେ ଯାହା ଆଜି ଘଟୁଛି, ତାହା ଡ.କାଲାମ କୋଡିଏ ବର୍ଷ ତଳୁ ଆକଳନ କରିଥିଲେ ା ମୁଖ୍ୟବକ୍ତା ଭାବେ ଓଡିଶାମିରର ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ବାଳ ଯୋଗଦେଇ ସାହିତ୍ୟ ଓ ସାହିତ୍ୟିକ ସଂପର୍କରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ସାହିତ୍ୟ, ହାରି ଯାଉଥିବା ଲୋକଙ୍କୁ ବଞ୍ଚିବାର ପ୍ରେରଣା ଦିଏ। ଯେଉଁ ରାଜ୍ୟ ସାହିତ୍ୟରେ ଯେତେ ବିକଶିତ, ସେ ରାଜ୍ୟ ସେତେ ସମୃଦ୍ଧ ହେବ। କବୟତ୍ରୀ ସୁଜାତା ମହାପାତ୍ରଙ୍କ କବିତାବ୍ରୁତ୍ତି ସହିତ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ପ୍ରଥମେ ଅନୁଷ୍ଠାନର ଦୁଇଜଣ ଦିବଂଗତ ସଭ୍ୟ କବି ସହସ୍ର ଶତପଥୀ ଓ କବି ଅଜୟ କୁମାର ମହାନ୍ତିଙ୍କ ପରଲୋକରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା। ସଭା ପ୍ରାରମ୍ଭରେ ସମ୍ପାଦକ ଅରୁଣ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ବିନ୍ଦୁ ସାହିତ୍ୟ ସମାଜର ମୂଖପତ୍ର ‘ବିନ୍ଦୁ’ କୁ କାର୍ୟ୍ୟକାରୀ ସଭାପତି ବାଉରିବନ୍ଧୁ ଲେଙ୍କା ଉନ୍ମୋଚନ କରିଥିଲେ ା ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର, ଡ.ଶଶୀଭୂଷଣ ମହାପାତ୍ରଙ୍କ ଗଳ୍ପ ସଂକଳନ ‘କଞ୍ଚାକଣ୍ଢେଇ’କୁ ଉନ୍ମୋଚନ କରିଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ଡ.ଶଶୀଭୂଷଣ ମହାପାତ୍ରଙ୍କର ଏହି ଗଳ୍ପ ସଂକଳନ ପାଠକୀୟ ଆଦ୍ରୁତି ଲାଭ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା।
ଦ୍ବିତୀୟ ସୋପାନରେ ଅଣୁଗଳ୍ପ ଆସର ଆୟୋଜିତ ହୋଇଥିଲା। ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ଓ କବି ସୁଜାତା ମହାପାତ୍ରଙ୍କ ସୁନ୍ଦର ପରିଚାଳନାରେ ଅନୁଷ୍ଠିତ ଏହି ଆସର ସୁନ୍ଦର ତଥା ମନମୁଗ୍ଧକର ହୋଇଥିଲା। ଏହି ଗଳ୍ପ ଆସରରେ ଡ.ଶଶୀଭୂଷଣ ମହାପାତ୍ର, ପାରମିତା ଷଡଙ୍ଗୀ, ସୁଜାତା ମହାପାତ୍ର, ସୁଷମା ପରିଜା, ରାଜଲକ୍ଷ୍ମୀ ତ୍ରିପାଠୀ, ଲତା ତେଜେଶ୍ବର,ରଜୀତ ଦାସ, ସନ୍ଧ୍ୟାରାଣୀ ପରିଜା, ମୈତ୍ରେୟୀ କମିଲା, ରାମଚନ୍ଦ୍ର ଭୂତିଆ, ବାଉରିବନ୍ଧୁ ଲେଙ୍କା, ଅଜିତା ମିଶ୍ର, ବିଜୟିନୀ ପାଣିଗ୍ରାହୀ, ଚକ୍ରଧର ରଥ, ସୁଜାତା ରାଉତରାୟ, ସସ୍ମିତା ଚୌଧୂରୀ, ଗୀତା ପଟ୍ଟନାୟକ ଓ ଅରୁଣ କୁମାର ବିଶ୍ବାଳ ସ୍ବରଚିତ ଅଣୁଗଳ୍ପ ପାଠ କରିଥିଲେ ା
ପ୍ରତାପ ଚନ୍ଦ୍ର ବେହେରା ଓ ବାଉରିବନ୍ଧୁ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଆସରରେ ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଓ ଡ. ଶଶୀଭୂଷଣ ମହାପାତ୍ର ଅଣୁଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ। ସଭାପତି ପ୍ରଫେସର ମିଶ୍ର ଆଗାମୀ ଦିନରେ କ୍ଷୁଦ୍ର ଗଳ୍ପର ଲିଖନ ଶୈଳୀ ଓ ବିକାଶ ପାଇଁ ବରିଷ୍ଠ ଗାଳ୍ପିକା ପାରମିତା ଷଡଙ୍ଗୀ, ସୁଜାତା ମହାପାତ୍ର ଓ ବିଶିଷ୍ଟ ଗାଳ୍ପିକ ଡ. ଶଶୀ ଭୂଷଣ ମହାପାତ୍ର ମାର୍ଗଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ। ବିନ୍ଦୁ ସାହିତ୍ୟ ସମାଜର ସମ୍ପାଦକ ଅରୁଣ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ। ଉତ୍ସବରେ ବିଶିଷ୍ଟ କବି ବିଜନ ରାୟ, ରାମକୃଷ୍ଣ ମିଶ୍ର, ଅରୁଣା କର, ସୁମିତା ବେହେରା, ଉର୍ମିଳା ଦାସ ଓ ଜ୍ୟୋତିର୍ମୟୀ ପରିଜା ପ୍ରମୁଖ ପଚାଶରୁ ଅଧିକ କବି/ଲେଖକ ଯୋଗ ଦେଇଥିଲେ ା

Comments are closed.