ଅନ୍‍ଲାଇନରେ ମଦ – ସକାଳ ୭ଟାରୁ ବୁକିଂ, ଅପରାହ୍ଣ ୧ଟାରୁ ଯୋଗାଣ

କଟକ: ବହୁ ବାଦ ବିବାଦ ପରେ ଶେଷରେ ଅନଲାଇନରେ ମଦ ବିକ୍ରି କରିବାକୁ ରାଜି ହୋଇଛନ୍ତି କଟକ ବିଦେଶୀ ମଦ ବ୍ୟବସାୟୀ ସଂଘ। ଆସନ୍ତାକାଲିଠାରୁ କଟକ ସହରରେ ଅନଲାଇନ ଯୋଗେ ମଦଯୋଗାଣ ଆରମ୍ଭ କରାଯିବ। ରବିବାର ରାତିରେ ଜିଲାପାଳ ଭବାନୀଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିବା ପରେ ଅନ୍‍ଲାଇନ ଯୋଗେ ମଦ କାରବାର କରିବା ପାଇଁ ସମ୍ମତି ଜଣାଇଛନ୍ତି। ଏଥିପାଇଁ କେତେକ ନିୟମକାନୁନ୍‍ ଦେଇ କାରବାର କରିବାକୁ ଜିଲାପାଳ ଅନୁମତି ପ୍ରଦାନ କରିଛନ୍ତି।

ଅନଲାଇନ ସହିତ ଅଫ୍‍ ଲାଇନ ମଦ କାରବାର ପାଇଁ ଅନୁମତି ଦିଆ ନ ଗଲେ କ୍ଷତି ସହିବାକୁ ପଡ଼ିବ ବୋଲି କହି ଏହାର ପୁନଃବିଚାର କରିବା ପାଇଁ ସଂଘ ତରଫରୁ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲାପାଳ ଶ୍ରୀ ଚୟନୀ ଗତ ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ୟ୍ୟାଳୟଠାରେ ଏକ ଜରୁରୀ ବୈଠକ ଡାକି ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏହି କାରବାରରେ ବ୍ୟବସାୟୀମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡିବେ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ଜିଲାପାଳ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଅନ୍‍ଲାଇନ ମଦ ବିକ୍ରି କରିବା ପାଇଁ ରାଜି ହୋଇଛନ୍ତି। ନିଷ୍ପତ୍ତି ମୁତାବକ ସହରରେ କୌଣସି ଅଫ ଓ ଅନ୍‍ ସଫ ମଦଦୋକାନ ଖୋଲାଯାଇପାରିବ ନାହିଁ। ସକାଳ ୭ଟାରୁ ଅପରାହ୍ଣ ୧ଟା ପର୍ୟ୍ୟନ୍ତ କେବଳ ଅନ୍‍ଲାଇନ ବୁକିଂ କରାଯିବ। ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବୁକିଂ କରିଥିବା ଲୋକଙ୍କୁ ମଦଯୋଗାଣ କରାଯିବ। ଏଥିପାଇଁ ସଂପୃକ୍ତ ଦୋକାନୀଙ୍କ ତରଫରୁ ଡେଲିଭେରି ବୟ ରଖାଯିବ। ସେମାନେ ଯେପରି ମଦନେଇ ସୁରଖୁରୁରେ ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ସେଥିପାଇଁ ସେମାନେ ଜିଲା ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ପରିଚୟ ପତ୍ର ପ୍ରଦାନ କରାଯିବ।

ମଦଯୋଗାଣ ପାଇଁ ଚାର୍ଜ ମଧ୍ୟ ଲାଗିବ। ଉଭୟ କ୍ୟାସ ଆଣ୍ଡ ଡେଲିଭେରି ଓ ଅନ୍‍ଲାଇନ ପେମେଣ୍ଟ ଯୋଗେ ମଦଯୋଗାଇ ଦିଆଯିବ। ଘରେ ମଦ ପହଞ୍ଚିବା ପରେ ଯଦି କେହି ଅର୍ଥ ପୈଠ ନ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପିଙ୍କ ସହ ଆଲୋଚନା କରି ଜିଲାପାଳ ବ୍ୟବସାୟୀଙ୍କୁ ଏହି ପ୍ରତିିଶ୍ରୁତି ଦେଇଛନ୍ତି। ଏଥିପାଇଁ କଟକ ଜିଲାରେ ରହିଥିବା ୧୧୭ଟି ଅପ୍‍ ସଫ୍‍ ଓ ୫୫ଟି ଅନ୍‍ସଫ୍‍କୁ ଅନ୍‍ଲାଇନ କାରବାର କରିବାକୁ ଅନୁମତି ପ୍ରଦାନ କରାଯାଇଛି।

Comments are closed.