ମାଉଣ୍ଟ ଏଲ୍‌ବ୍ରସ୍‌ ଆରୋହଣ କଲେ ଲିପିକା

ଭୁବନେଶ୍ବର: ୟୁରୋପ ମହାଦେଶ ତଥା ରୁଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ୍‌ (୫୬୪୨ ମିଟର ଓ ୧୮୫୧୦ ଫୁଟ)କୁ ଓଡ଼ିଆ ଝିଅ ଲିପିକା ସେଟ୍‌ ସଫଳତାର ସହିତ ଆରୋହଣ କରି ରାଜ୍ୟ ପାଇଁ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି।
ବରଗଡ଼ ଜିଲା ତାଲବ ଗ୍ରାମର ଲକ୍ଷ୍ମଣ ସେଟ୍‌ ଓ ଅନୁସୁୟା ସେଟ୍‌ଙ୍କ କନ୍ୟା ଲିପିକା ଗତ ସେପ୍ଟେମ୍ବର ୨୮ରୁ ମାଉଣ୍ଟ ଏଲ୍‌ବ୍ରସ୍‌ ଅଭିଯାନ ଆରମ୍ଭ କରିଥିଲେ। ଅକ୍ଟୋବର ୫ ରୁଷିଆ ସମୟ ଅପରାହ୍ଣ ୧ଟାରେ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆରୋହଣ ପାଇଁ ଲିପିକା ବାହାରି ପଡ଼ିିଥିଲେ। ପରଦିନ ସକାଳ ୯ଟାରେ ଲିପିକା ମାଉଣ୍ଟ ଏଲ୍‌ବ୍ରସ୍‌ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା ଉଡାଇଥିଲେ। ପର୍ବତାରୋହୀ ନୃସିଂହ ସାହୁ ଲିପିକାଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ କୌଶଳ ଶିଖାଇବା ସହ ନିଜ ତତ୍ତ୍ବାବଧାନରେ ଏଲ୍‌ବ୍ରସ୍‌ ଆରୋହଣ କରାଇଥିଲେ। ନୃସିଂହଙ୍କ କହିବାନୁଯାୟୀ, ୫ ସକାଳେ ଆରୋହଣ ସମୟରେ ଲିପିକା ତାଙ୍କର ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ଆଗରୁ ଶୀର୍ଷରେ ପହଞ୍ଚି ବେସକ୍ୟାମ୍ପକୁ ଫେରିଥିଲେ। ଏହା କେବଳ ଦୃଢ ମନୋବଳ ଥିବା ପର୍ବତାରୋହୀ ପକ୍ଷେ ସମ୍ଭବ ବୋଲି ନୃସିଂହ କହିଛନ୍ତି। ସୂଚନାଯୋଗ୍ୟ, ଲିପିକା ପୂର୍ବରୁ ୨୦୧୮ରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜାରୋ (୫୮୯୫ ମିଟର) ସଫଳତାର ସହିତ ଆରୋହଣ କରିଥିଲେ। ଡିସେମ୍ବର ୨୫ରେ ଲିପିକା ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକନ୍‌କଗୁଆ (୬୯୬୨ ମିଟର) ଆରୋହଣ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ୧୨ଲକ୍ଷ ଟଙ୍କା ଆବଶ୍ୟକତା ରହିଛି। ଆମ ରାଜ୍ୟର ପର୍ବତାରୋହୀଙ୍କ ପାଖରେ ଆବଶ୍ୟକୀୟ ସରଞ୍ଜାମ ନଥିବା ହେତୁ ଆମେ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରକୃତ ପର୍ବତାରୋହୀ ଚିହ୍ନଟ କରାଯାଇ ଆବଶ୍ୟକୀୟ ସରଞ୍ଜାମ ପ୍ରଦାନ କରାଗଲେ ଆମେ ଉପକୃତ ହେବୁ ବୋଲି ଲିପିକା କହିଛନ୍ତି।

Comments are closed.