ସିଂହ ମୁହଁରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ହାଇଦ୍ରାବାଦ : ସିଂହ ଗୁମ୍ଫା ନିକଟରେ ମଣିଷ। ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି। ଏଭଳି ଏକ ଘଟଣା ଘଟି ଯାଇଛି ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରେ। ଆଫ୍ରିକୀୟ ସିଂହ ରହୁଥିବା ପରିସର ଅର୍ଥାତ ଗୁମ୍ଫା ନିକଟକୁ ମଙ୍ଗଳବାର ଜଣେ ବ୍ୟକ୍ତି ପ୍ରବେଶ କରିଥିଲେ। ମାତ୍ର ସୌଭାଗ୍ୟବଶତଃ ଚିଡିଆଖାନାର କର୍ମଚାରୀମାନେ ତାଙ୍କୁ ସଠିକ ସମୟରେ ଉଦ୍ଧାର କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଦେଖାଯାଉଛି। ଭିଡିଓରେ ଦେଖାଯାଉଛି, ଉକ୍ତ ବ୍ୟକ୍ତି ଜଣଙ୍କ ସିଂହ ପରିସର ମଧ୍ୟକୁ ପ୍ରବେଶ କରି ଥିଲେ। ଏହା ଦେଖି ଉପସ୍ଥିତ ଲୋକେ ଖୁବ ଜୋରରେ ଚିତ୍କାର କରିବାକୁ ଲାଗିଲେ। ବ୍ୟକ୍ତି ଜଣଙ୍କ ସିଂହ ଗୁମ୍ଫାର ଉଚ୍ଚ ସ୍ଥାନରେ ଥିବା ଏକ ବଡ ପଥର ଉପରେ ରହିଥିବା ଦେଖାଯାଉଛି। ସିଂହ ପରିସରରେ ପିଞ୍ଜରା ଖୋଲା ଯାଇଥିବା ସହ ଏକ ସିଂହ ଉକ୍ତ ବ୍ୟକ୍ତି ଥିବା ପଥର ଖଣ୍ଡ ଉପରକୁ ଚାହିଁ ରହିଥିଲା। ସେଠାରେ ଥିବା ଲୋକଙ୍କ ପାଟିଶୁଣି ନିକଟରେ ଥିବା ଜଗୁଆଳୀ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଥିବା ନେଇ ଖବର ମିଳିଛି। ତେବେ ସେ ଏପରି କରିବାର କାରଣ ବିଷୟରେ କିଛି ତଥ୍ୟ ମିଳିପାରି ନାହିଁ।

Comments are closed.