ଜନଜାତି ସଂଗ୍ରହ ପରିଦର୍ଶନର ନିଆରା ପଦକ୍ଷେପ, ଫେସବୁକ୍‌ ଓ ଟ୍ବିଟର୍‌ ପେଜ୍‌ରେ ଦେଖିହେଉଛି ଲାଞ୍ଜିଆ ସଉରାଙ୍କ ଜୀବନଶୈଳୀ

ଭୁବନେଶ୍ୱର: କୋଭିଡ୍‌ ପରିପ୍ରେକ୍ଷୀରେ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ତେଣୁ ଜନଜାତି ସଂଗ୍ରହାଳୟ ପକ୍ଷରୁ ଲାଞ୍ଜିଆ ସଉରାଙ୍କ ସଂସ୍କୃତି ଓ ପରମ୍ପରା ସାଙ୍ଗକୁ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ ନିଆରା ପଦକ୍ଷେପ ନିଆଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭିଡ଼ିଓ ଯୋଗେ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଏହି ଜନଜାତି ସଂଗ୍ରହାଳୟକୁ ପରିଦର୍ଶନ କରିବାକୁ ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ଜନଜାତିମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ନଭେମ୍ବର ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପର୍ଯ୍ୟଟକମାନେ ଭିଡ଼ିଓରେ ଲାଞ୍ଜିଆ ସଉରା ଜନଜାତିଙ୍କ ସଂସ୍କୃତି ଓ ପରମ୍ପରା ସାଙ୍ଗକୁ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିପାରିବେ ବୋଲି ପ୍ରଫେସର ସୂଚନା ଦେଇଛନ୍ତି।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ଲାଞ୍ଜିଆ ସଉରା ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଦକ୍ଷିଣାଞ୍ଚଳ ପାର୍ବତ୍ୟ ଅଞ୍ଚଳରେ ବସବାସ କରିଥା’ନ୍ତି। ସେମାନେ ବେଶ୍‌ ଉଦ୍ୟୋଗୀ। ସେମାନେ ପାହାଡ଼ କାଟି ଧାନଚାଷ ପାଇଁ ଜଳପରିଚାଳନା ବ୍ୟବସ୍ଥା ନିଜେ କରିଥା’ନ୍ତି ଏବଂ ଫଳ ଉପବନ ସୃଷ୍ଟି କରିଥା’ନ୍ତି। ସେମାନେ କଳାକାର ଓ ନିଜେ ସଙ୍ଗୀତ ପ୍ରସ୍ତୁତ କରି ଗାନ କରିଥାନ୍ତି। ଏହି ଜନଜାତି ସୁନ୍ଦର ଚିତ୍ରମାନ କାନ୍ଥରେ ଅଙ୍କନ କରିଥା’ନ୍ତି। ଏହା ବିଶ୍ୱପ୍ରସିଦ୍ଧ। ସେମାନେ ଅନେକ ଦେବଦେବୀଙ୍କୁ ପୂଜା କରିଥାନ୍ତି। ଓଡ଼ିଶା ଆଦିମ ଜନଜାତି ଶ୍ରେଣୀର ଏହି ସଉରା ଜନଜାତି ୨୫ଟି ଭାଗରେ ବିଭକ୍ତ। ଲାଞ୍ଜିଆ ହେଉଛନ୍ତି ସଉରା ସଉରା ଜନଜାତିର ଏକ ଅଂଶ।

ଲାଞ୍ଜିଆ ସଉରା ଜନଜାତି ମୁଖ୍ୟତଃ ଗଜପତି, ରାୟଗଡ଼ା(ପୂର୍ବାଞ୍ଚଳ ଘାଟ)ଠାରେ ବସବାସ କରିଥାନ୍ତି। କାନ୍ଥରେ ଚିତ୍ର କରିବା, କାଠଖୋଦେଇ, ପଥର କାଟିବା ଓ ଜଳ ପରିଚାଳନା, କାଜୁ ଚାଷ ଓ ପ୍ରକ୍ରିୟାକରଣ ସହିତ ସେମାନେ ପୋଡ଼ୁଚାଷ, ଉଦ୍ୟାନକୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ପୋଷାକଶୈଳୀ ଅନୁସାରେ ଏହି ସଉରା ଜନଜାତିଙ୍କୁ ଲାଞ୍ଜିଆ ସଉରା ନାମରେ ନାମିତ କରାଯାଇଛି। ସଉରା ମହିଳାମାନେ ଅଧିକ ଅଳଙ୍କାର ବ୍ୟବହାର କରନ୍ତି ନାହିଁ। କାନରେ ଝୁଲା ଅଳଙ୍କାର ଓ କପାଳର ମଧ୍ୟ ଭାଗରେ ଚିତା କୂଟାଇଥାନ୍ତି। ପାହାଡ଼ର ଶୀର୍ଷରେ ସେମାନେ ଘର ତିଆରି କରିଥା’ନ୍ତି । ସେମାନଙ୍କର ଆକର୍ଷଣୀୟ ଚିତ୍ରକଳା ‘ଇଡିତାଲ’୍‌ ନାମରେ ନାମିତ। ସେମାନଙ୍କର ମୁଖ୍ୟ ପର୍ବ ହେଉଛି ବାରୁଇସିମ୍‌-ବୁରୋ-ଏନ୍‌-ଏ-ଅଦୁର୍‌, ଗାନୁଗେ-ଏନ୍‌-ଏ-ଅଦୁର, ଓସା-ନା-ଅଦୁର, ରାଗୋ-ଏନ୍‌-ଏ-ଅଦୁର, କୋନ୍‌ଡାମ୍‌-ଏନ୍‌-ଏ-ଅଦୁର୍‌ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments
Loading...