ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ : ସନ୍ଦେହରେ ପ୍ରଶାସନ

ଭୁବନେଶ୍ୱର : ଦୀର୍ଘ ୪୦ବର୍ଷ ହେବ ଯାହା ହୋଇ ନଥିଲା ତାହା ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଘଟୁଛି। ଶ୍ରୀକ୍ଷେତ୍ର ପୁରୀ ଢାଞ୍ଚାରେ ଶୈବପୀଠ ଏକାମ୍ରକ୍ଷେତ୍ର ଝଟକିବା ପରିକଳ୍ପନା କରାଯାଇଛି। ଐତିହ୍ୟସ୍ଥଳ ଗୌରବମୟ ହେଲେ ବିଶ୍ବରେ ଶ୍ରେଷ୍ଠ ପରିଚୟ ବହନ କରିବା ଯୋଜନା ରଖାଯାଇଛି। ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଶ୍ରୀବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ରାତାରାତି ଯେଉଁଠି ଭଙ୍ଗାଗଲା ସେଠି ସୌନ୍ଦର୍ଯ୍ୟକରଣ ପାଇଁ ଟାଇଲ ପକାଇ କୃତ୍ରିମ ବଗିଚା ସୃଷ୍ଟି କରାଯାଇଛି। ସାଧାରଣ ଲୋକ ପ୍ରଶାସନର ଆଭିମୁଖ୍ୟ ପାଇଁ ଭଙ୍ଗା ଯାଇଥିବା ଦୁଃଖକୁ ଭୁଲିଯାଇଛନ୍ତି। ହେଲେ ସପ୍ତାହ ତଳେ ପ୍ରଶାସନ ଯେଉଁ ସୁନ୍ଦରିଆ ଇନ୍ଦ୍ରଧନୁ ଆଙ୍କିଥିଲା ଏବେ ତାହା ଭାଙ୍ଗୁଛି। ପ୍ରଶାସନର ଗଢ଼ିବା, ଭାଙ୍ଗିବା କାମ ଦେଖି ସାଧାରଣ ଲୋକେ ସନ୍ଦେହରେ ପଡୁଛନ୍ତି। ପ୍ରଶାସନ କେବେ କଳା ପାହାଡ଼ ତ ପୁଣି କେବେ ବିଶ୍ବକର୍ମା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
୨୦୧୯ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ୬୬ଏକର ଜମିରେ ୯ଟି ପ୍ରକଳ୍ପ କରାଯିବାକୁ ସୂଚନା ଦିଆଯାଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ବ୍ୟବସ୍ଥା ଅଧିକ ମଜଭୁତ କରାଯିବା ଘୋଷଣା ହୋଇଥିଲା। ଏହାପରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଭଙ୍ଗାକାର୍ଯ୍ୟ ଜୋରଦାର କରାଯାଇଥିଲା। ଉଚ୍ଛେଦ ସ୍ଥାନକୁ ରାତାରାତି ସମତୁଲ କରାଯିବା ସହିତ ସିମେଣ୍ଟ ଖଣ୍ଡ ବିଛାଇ ସୌନ୍ଦର୍ଯ୍ୟମୟ କରାଯାଇଥିଲା। ସେଠାରେ ପ୍ଲାଷ୍ଟିକ ଗଛକୁଣ୍ଡ ରଖି ବଗିଚା କରାଯିବା ସହ ବିଶ୍ରାମ ଲାଗି ଚୌକି ମଧ୍ୟ ପଡ଼ିଥିଲା। ଏପରିକି ସଞ୍ଜ ହେଲେ ଏହାର ପରିବେଶକୁ ଆକର୍ଷଣୀୟ ଏବଂ ଆଲୋକିତ କରିବା ଲାଗି ବିଦ୍ୟୁତ୍‌କରଣ କରାଯାଇଥିଲା। ମନ୍ଦିର ଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଚପଲ ଷ୍ଟାଣ୍ଡ ନିର୍ମାଣ ହୋଇଥିଲା। କୋଷେ ଦୂରରୁ ପର୍ଯ୍ୟଟକ ମନ୍ଦିର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହେବା ସହ କ୍ୟାମେରାରେ ଦୃଶ୍ୟପଟ୍ଟକୁ ସାଇତି ରଖୁଥିଲେ। ସ୍ବଳ୍ପ ଦିନରେ ଏଭଳି ସୌନ୍ଦର୍ଯ୍ୟକରଣ କାମ ଦେଖି ଅନେକ ଲୋକ ନିଜ ଆଖିକୁ ବିଶ୍ବାସ କରିପାରୁ ନ ଥିଲେ। କେହି କେହି ମନ୍ଦିର ସିଂହଦ୍ବାର ସାମ୍ନାରେ ଲୁଚି ଯାଇଥିବା ଦେବୀ ପାଦହରା ବା ସହସ୍ରଲିଙ୍ଗ ପୁଷ୍କରିଣୀର ଅପରୂପ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡୁଥିଲେ।

ପୁଷ୍କରିଣୀ ପାର୍ଶ୍ବରେ ଥିବା ପାର୍କରେ ଛିଡ଼ା ହୋଇ ପୁଷ୍କରିଣୀ ସହ ମନ୍ଦିରର ଫଟୋ ଉଠାଉଥିଲେ। ମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟସ୍ଥଳ ଦେଖି ନୂଆବର୍ଷ ଠାରୁ ମନ୍ଦିର ପାର୍ଶ୍ବରେ ସକାଳ ସଞ୍ଜରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆବର୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନରେ ଆସି ମନ୍ଦିର ସଂଲଗ୍ନ ଅଞ୍ଚଳର ବିକାଶ ଦେଖି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ବିକାଶ ଦେଖିବାକୁ ବିସ୍ମିତ ହୋଇଥିଲେ। ୫ଟି ସଚିବ ମଧ୍ୟ ଲିଙ୍ଗରାଜ ମନ୍ଦିର ଘନ ଘନ ଗସ୍ତ କରୁଥିଲେ। ହେଲେ ସପ୍ତାହକ ପରେ ଏହି ସୌନ୍ଦର୍ଯ୍ୟକରଣରେ ଗ୍ରହଣ ଲାଗିଛି। ଯେଉଁ ଗତିରେ ସୌନ୍ଦର୍ଯ୍ୟ କାମ ଚାଲିଥିଲା ପୁଣି ତାହା ଭଙ୍ଗା ଯାଉଛି। ଟାଇଲଗୁଡ଼ିକ ତାଡ଼ି ନିଆଯାଉଛି। ସମତୁଲ ଅଂଶରୁ ମାଟି ତଡ଼ା ହେଉଛି। ଏହାଦେଖି ସମସ୍ତେ ସନ୍ଦେହରେ। ଯେଉଁ ସୌନ୍ଦର୍ଯ୍ୟ ଦିନେ ସେମାନଙ୍କୁ ବିମୋହିତ କରିଥିଲା, ତାହା ଛାରଖାର ହୋଇଯାଇଥିବାରୁ କେହି ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି।

Comments are closed.