ଏକାମ୍ର କ୍ଷେତ୍ର ଉନ୍ନୟନ ପ୍ରକଳ୍ପ : ଜମି ଅଧିଗ୍ରହଣ ପାଇଁ ସ୍ବୀକୃତି ଦେଲେ ୨୭ ପରିବାର

-ଜମି ଓ ଘର ମୂଲ୍ୟ ଉପରେ ମିଳିବ ଅଧିକ ୧୦% ଅର୍ଥ
– ସରଳ ହେଲା ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥା
-ଲୋକଙ୍କୁ ଦୈନିକ ବୁଝାଉଛନ୍ତି ଅଧିକାରୀ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ଏବେ ଜନ ସମର୍ଥନ ମିଳିବା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ୨୭ଜଣ ଲୋକ ନିଜ ସମ୍ପତ୍ତି ଅଧିଗ୍ରହଣ ପାଇଁ ସରକାରଙ୍କ ନିକଟରେ ସହମତି ପତ୍ର ଦାଖଲ କରିସାରିଲେଣି। ଅପରପକ୍ଷେ ପ୍ରଭାବିତ ଲୋକଙ୍କ ସହିତ ପ୍ରଶାସନ ନିୟମିତ ଭାବେ ଆଲୋଚନା କରିବା ସହ ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ଜମି ଛାଡ଼ିବା ପାଇଁ ବୁଝାଉଛନ୍ତି।

ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ସରକାର ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନୁମେଣ୍ଟସ୍ ରିଭାଇଭାଲ ଆକ୍ସନ୍) ନାମରେ ଏକ ମହତ୍ବାକାଂକ୍ଷୀ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଲୋଭନୀୟ ପ୍ୟାକେଜ୍ ଘୋଷଣା ସହ ସ୍ବତଃପ୍ରବୃତ୍ତ ଜମି ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କ୍ଷେତ୍ର ମଧ୍ୟରେ ରହିଥିବା ୨୭ଜଣ ଲୋକ ନିଜ ଜମି ଓ ଘର ଅଧିଗ୍ରହଣ ପାଇଁ ସରକାରଙ୍କୁ ସ୍ବୀକୃତି ପ୍ରଦାନ କରିସାରିଛନ୍ତି। ଏପରିକି କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସରଳୀକରଣ କରାଯାଇଛି। ଜମି ମାଲିକଙ୍କ ପୁଅ, ଝିଅ କିମ୍ବା ଅନ୍ୟ କେହି ସମ୍ପର୍କୀୟ ଉପଯୁକ୍ତ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କଲେ ସେମାନେ ଯେପରି ସହଜରେ କ୍ଷତିପୂରଣ ରାଶି ପାଇପାରିବେ, ସେଥିପାଇଁ ବ୍ୟବସ୍ଥା ହୋଇଛି। ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଏମ୍‌ସିରେ ସ୍ବତନ୍ତ୍ର ଭାବେ ଜଣେ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ସରକାର ନିଯୁକ୍ତ କରିଛନ୍ତି।

ଅପରପକ୍ଷେ ରାଜସ୍ବ, ନଗର ଉନ୍ନୟନ, ପୂର୍ତ୍ତ, ଦେବୋତ୍ତର, ସଂସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ତିନିଟି ଟିମ୍ ଗଠନ କରାଯାଇଛି, ଯାହା ପୂରା ପ୍ରକଳ୍ପ କାର୍ଯ୍ୟ ତଦାରଖ କରୁଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଯେଉଁମାନେ ସ୍ବଇଚ୍ଛାରେ ନିଜ ଜମି ଛାଡ଼ୁଛନ୍ତି ସେମାନଙ୍କୁ ଥଇଥାନ ପ୍ୟାକେଜ୍ ବ୍ୟତୀତ ଅଧିକ ୧୦% ଅର୍ଥ କ୍ଷତିପୂରଣ ରାଶି ମିଳିବ। ଏହା ବ୍ୟତୀତ ଜମି ଓ ଘରର ବେଞ୍ଚ୍‌ମାର୍କ ଉପରେ ଦୁଇଗୁଣା ଅର୍ଥ, ପ୍ରତି ପରିବାରକୁ ୨୦ ଲକ୍ଷ ଟଙ୍କା ଦିଆଯିବ। ଏଥିସହ ଏକ ବର୍ଷ ପର୍ଯ୍ୟନ୍ତ ଘର ଭଡ଼ା ବାବଦକୁ ମାସିକ ୧୫ହଜାର ଟଙ୍କା ଓ ଘର ଆସବାବପତ୍ର ସ୍ଥାନାନ୍ତର ପାଇଁ ୧ ଲକ୍ଷ ଟଙ୍କାର ପ୍ୟାକେଜ୍ ଦିଆଯାଉଛି। ଯେଉଁମାନେ ଜମି ଅଧିଗ୍ରହଣ ପାଇଁ ସ୍ବୀକୃତି ଦେଉଛନ୍ତି ସେମାନଙ୍କ ସୁବିଧାକୁ ଅଗ୍ରାଧିକାର ଦିଆଯିବ। ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଏମ୍‌ସି କମିସନର ପ୍ରତ୍ୟେକ ଦିନ କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଏକାଧିକ ଟିମ୍ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମଗ୍ର ଭାରତ ବର୍ଷରେ ଏହା ସବୁଠାରୁ ଭଲ ଥଇଥାନ ପ୍ୟାକେଜ୍ ବୋଲି ଅଧିକାରୀ ଜଣକ କହିଛନ୍ତି।

Comments are closed.