ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୩୫ ଏକର ବିକ୍ରିଜମି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି ସୁରକ୍ଷା ଚିନ୍ତା ଏବେ ଟ୍ରଷ୍ଟବୋର୍ଡ଼କୁ ଘାରିଛି। କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ସେବାୟତମାନେ ବିକି ସାରିଲେଣି। ଦିଅଁଙ୍କର ସେବାପୂଜା କରିବା ପାଇଁ ସେବାୟତଙ୍କୁ ଭୋଗ ଦଖଲ କରିବା ଲାଗି ଦିଆଯାଇଥିଲା। ବିଲ୍ଡରମାନେ ତାହାକୁ ଶାଗମାଛ ଦରରେ କିଣି ପଟ୍ଟାରୁ ଲିଙ୍ଗରାଜଙ୍କ ନାମ କାଟି ସାରିଲେଣି। ଏବେ ଲିଙ୍ଗରାଜଙ୍କ ଜମିରେ ଛିଡା ହୋଇଛି ବଡ ବଡ ସୁଉଚ୍ଚ ଅଟ୍ଟାଳିକା । ଅନ୍ୟପକ୍ଷରେ ଯେଉଁ ସେବାୟତ ଦିଅଁଙ୍କ ସେବାପୂଜା ପାଇଁ ଜମି ପାଇଥିଲେ, ସେମାନେ ଏବେ ଜୀବିତ ନାହାନ୍ତି ; କିନ୍ତୁ ତାଙ୍କର ବଂଶଜମାନେ ଦିଅଁଙ୍କ ସେବା ପୂଜା କରୁ ନାହାନ୍ତି। ୧୯୮୨ ମସିହାରୁ ସେବାୟତମାନେ ଏଭଳି ତଞ୍ଚକତା କରି ଦିଅଁଙ୍କର ପ୍ରାୟ ୩୫ଏକର ଜମିକୁ ବିକି ଦେଇଥିବା ଜଣାପଡ଼ିଛି। ଏଭଳି ସାଂଘାତିକ ଅଭିଯୋଗ କୁମ୍ଭାର ସେବାୟତଙ୍କ ନାମରେ ଆଣିଛି ମନ୍ଦିର ପ୍ରଶାସନ ା ଶୁକ୍ରବାର ସନ୍ଧ୍ୟାରେ ସର୍କିଟ ହାଉସରେ ଟ୍ରଷ୍ଟବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ହୋଇଥିଲା ା ବୈଠକରେ ଟ୍ରଷ୍ଟବୋର୍ଡ ସଭାପତି ଉଦବେଗ୍‌ ପ୍ରକାଶ କରିଥିଲେ ା ଯେଉଁ ସେବାୟତ ଏପରି କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦିଅଁଙ୍କ ଖାତାକୁ ସେ ସବୁ ଜମିକୁ ଫେରାଇ ଆଣିବା ଲାଗି ସେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ପ୍ରାୟ ୪୮ଜଣ କୁମ୍ଭାର ସେବାୟତ ଅଛନ୍ତି। ସେମାନେ ଦିଅଁଙ୍କ ସେବାପୂଜାରେ କୁଡୁଆ ଯୋଗାଉଥିଲେ; କିନ୍ତୁ ଦିଅଁଙ୍କ ଜମିଗୁଡିକୁ ବିକି ସାରିଲେଣି। ସାମନ୍ତରାପୁର ଚେକ୍୍‌ଗେଟ ସାମ୍ନାରେ ଏକ ଗାଡି ଶୋ’ରୁମ ସାମ୍ନାରେ ଲିଙ୍ଗରାଜଙ୍କ ୬୦ ଡେସିମିଲ ଜମି ରହିଛି। ଉକ୍ତ ଜମିକୁ ଗାଡି ଶୋ’ରୁମ କର୍ତ୍ତୃପକ୍ଷ ଦଖଲକୁ ନେଇ ବ୍ୟବହାର କରୁଛନ୍ତି। ଟ୍ରଷ୍ଟବୋର୍ଡ ସମ୍ପୃକ୍ତ ଜମି ବାବଦକୁ ୧୧ ମାସ ପାଇଁ ଭଡା ଦେବାଲାଗି ଶୋ’ ରୁମ କର୍ତ୍ତୃପକ୍ଷଙ୍କୁ ସୁଯୋଗ ଦେବ। ଏଥିରେ ଶୋ’ରୁମ କର୍ତ୍ତୃପକ୍ଷ ଅରାଜି ହେଲେ ସେହି ଜମିକୁ ଆବଦ୍ଧ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ବୈଠକରେ ଦିଅଁଙ୍କ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘର ଭଡା, ହାଟ ଏବଂ କଦଳୀ ପତ୍ର ନିଲାମର ବକେୟା ପାଉଣା ଆଦାୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଅବନୀକାନ୍ତ ପଟ୍ଟନାୟକ, ରୁଦ୍ରପ୍ରସାଦ ନନ୍ଦ, ମାନସ ରଞ୍ଜନ ମହାପାତ୍ର, ଅଗାଧୁ ପୂଜାପଣ୍ଡା, ହେମନ୍ତ ମହାପାତ୍ର , ଅଞ୍ଚଳ ବଡୁ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.