ସାପ ଉଦ୍ଧାରରେ ଲିମ୍‌କା ରେକର୍ଡ : ୧୮ ହଜାର ସାପ ଧରି ଜଙ୍ଗଲରେ ଛାଡ଼ିଛନ୍ତି

ଅନୁଗୋଳ (ସୋମନାଥ ସାହୁ) :  ସାପ ଦେଖିଲେ ଅନେକ ଭୟଭୀତ ହୁଅନ୍ତି। ସାପକୁ ଉଦ୍ଧାର କରିବା ଓ ତାକୁ ନେଇ ଘଞ୍ଚ ଜଙ୍ଗଲ ଅବା ସାପର ଆଶ୍ରୟ ସ୍ଥଳରେ ଛାଡିବା ଲୋକଙ୍କ ସଂଖ୍ୟା ବହୁତ କମ। ତେବେ ଏହିଭଳି ଅସାଧାରଣ କାର୍ଯ୍ୟ କରୁଥିବା ଯୁବକ ହେଉଛନ୍ତି ଅନୁଗୋଳ ସହରର ବିପ୍ଳବ ମହାପାତ୍ର। ଯଦି କୌଣସି ସ୍ଥାନରେ ସାପ ଓ ମଣିଷ ଉଭୟ ସମସ୍ୟାରେ ପଡ଼ିଥାନ୍ତି, ଖବର ପାଇବା ମାତ୍ରେ ବିପ୍ଳବ ସେଠାକୁ ଧାଇଁଯାନ୍ତି। ସେଠାରୁ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଅନ୍ତି। ଉଦ୍ଧାର ପରେ ସାପକୁ ନ ମାରିବା ପାଇଁ ସଚେତନ କରନ୍ତି।
ଲୋକେ ରେକର୍ଡ କରିବା ନିଶାରେ ଅସାଧାରଣ କାର୍ଯ୍ୟ କରନ୍ତି। ଆଉ କିଛି ବ୍ୟକ୍ତି କାର୍ଯ୍ୟ କରୁକରୁ ରେକର୍ଡ ହୋଇଯାଏ। ସେହିପରି ବିପ୍ଳବ ସାପ ଧରୁଧରୁ ରେକର୍ଡ କରିଛନ୍ତି। ତାଙ୍କ କାର୍ଯ୍ୟ ଲିମକା ବୁକ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି। ଇତିମଧ୍ୟରେ ସେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି। ସେ ସାପ ଧରି ବ୍ରାଭୋ ଇଣ୍ଟରନେସନାଲ ବୁକ ଅଫ ୱାର୍ଲଡ଼ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛନ୍ତି। ଅଦ୍ୟାବଧି ବିପ୍ଳବ ଓ ତାଙ୍କ ଦଳ ୧୮ ହଜାର ୫୦୦ ସାପ ଉଦ୍ଧାର କରିସାରିଲେଣି। ବିପ୍ଳବ ମେନକା ଗାନ୍ଧିଙ୍କ ଦ୍ବାରା ପ୍ରତିଷ୍ଠିତ ‘ପିପୁଲ ଫର ଅାନିମଲସ’ ଅନୁଷ୍ଠାନ, ଅନୁଗୋଳ ଶାଖାର ଅଧ୍ୟକ୍ଷ ଅଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ଅଧୀନରେ ଅବୈତନିକ ଆନିମଲ ​‌େ‌ୱଲଫେୟାର ଅଫିସର ଭାବେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ୱାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ସଦସ୍ୟ ଅଛନ୍ତି।

ସାପ ଉଦ୍ଧାର ସମ୍ପର୍କରେ ପଚାରିବାରୁ ବିପ୍ଳବ କହନ୍ତି, ଅନେକ ଲୋକ ସାପର କ୍ଷତି କରୁଛନ୍ତି; ହେଲେ ଏହାକୁ କେହି ଉଦ୍ଧାର କରିବାକୁ ଆସୁନାହାନ୍ତି। ଅନୁଗୋଳ ହେଉଛି ପାହାଡ ପର୍ବତ ଘେରି ରହିଥିବା ଜିଲା। ତେଣୁ ବହୁ ସମୟରେ ସାପ ବାହାରେ। ସାପ କାମୁଡି ଦେବା ଭୟରେ ଲୋକେ ସାପକୁ ମାରି ଦିଅନ୍ତି। ଅନେକ ସମୟରେ ସାପଟି କାହାରି କ୍ଷତି ନ କରି ବି ମୃତ୍ୟୁମୁଖରେ ପଡେ। ତେଣୁ ସାପକୁ ଉଦ୍ଧାର କରିବାକୁ ମୁଁ ଇଚ୍ଛାପ୍ରକାଶ କଲି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କୁ ସାପ କାମୁଡୁଛି। ସେମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେହିପରି ଅନେକ ଲୋକ ସାପକୁ ମାରି ଦେଉଛନ୍ତି। ଏହା ମୋତେ ବ୍ୟଥିତ କଲା। ତେଣୁ ମୁଁ ସାପକୁ ଉଦ୍ଧାର କରିବା ଆରମ୍ଭ କଲି। ଏହାଦ୍ବାରା ଲୋକଙ୍କ ବିପଦ ଅନେକ ମାତ୍ରାରେ ଟଳିଲା। ସେହିପରି ସାପ ମଧ୍ୟ ବିପଦରୁ ରକ୍ଷା ପାଇଲା।

ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଅନ୍ୟ ପ୍ରାଣୀଙ୍କୁ ଯେପରି ସୁରକ୍ଷା ଦିଆଯାଉଛି ସାପକୁ ମଧ୍ୟ ସେହିପରି ସୁରକ୍ଷା ଦିଆଯାଉଛି। ଅଜଗର ସିଡ୍ୟୁଲ-୧, ଅହିରାଜ, ଢମଣା, ପାଣି ଧଣ୍ଡ ସିଡ୍ୟୁଲ-୨ ପ୍ରାଣୀଭାବେ ଗଣତି ହେଉଛନ୍ତି। ତେଣୁ ବିନା ଲାଇସେନ୍ସରେ ସେମାନଙ୍କୁ ଧରିବା ଓ ଚାଲାଣ କରିବା ବେଆଇନ କାର୍ଯ୍ୟ। ସେହିପରି ସାପକୁ ମାରିବା ମଧ୍ୟ ଆଇନ ଉଲ୍ଲଙ୍ଘନ କାର୍ଯ୍ୟ। ସାପ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିବା ବେଆଇନ କାର୍ଯ୍ୟ। ସାପ ବିଷ ବାହାର କରିବା ମଧ୍ୟ ବେଆଇନ କାର୍ଯ୍ୟ। ଭାରତରେ ମାଡ୍ରାସରେ ରହିଛି କ୍ରୋକଡ଼ାଇଲ ବ୍ୟାଙ୍କ ଟ୍ରଷ୍ଟ। ଏଠାରେ ସାପରୁ ବିଷ ବାହାର କରାଯାଏ। ସେ କହନ୍ତି ଏହି ବ୍ୟାଙ୍କକୁ ସାପ ଯୋଗାନ୍ତି ତାମିଲନାଡୁର ନୀଳଗିରି ପାହାଡ ପାଦଦେଶରେ ରହୁଥିବା ଇରୁଲା ସମ୍ପ୍ରଦାୟର ଲୋକ। ସେମାନଙ୍କ ପେସା ହେଉଛି ସାପ ଧରିବା। ସେମାନଙ୍କ ସହାୟତାରେ ବିଷ ବ୍ୟାଙ୍କ କାର୍ଯ୍ୟ କରୁଛି। ବିପ୍ଳବ ସେଠାକୁ ଯାଇ ସାପ ଉପରେ ଗବେଷଣା କରିଛନ୍ତି।
ବିପ୍ଳବଙ୍କ ସୂଚନା ଅନୁଯାୟୀ ଭାରତରେ ୩୦୦ ପ୍ରଜାତିର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ହେଉଛନ୍ତି ବିଷଧର ଓ ୨୦୦ ହେଉଛନ୍ତି ବିଷହୀନ। ସମୁଦ୍ରରେ ଦେଖା ଯାଆନ୍ତି ୨୦ ପ୍ରଜାତିର ସାପ। ଏହି ୨୦ ପ୍ରଜାତିରୁ ୧୮ ପ୍ରଜାତି ହେଉଛନ୍ତି ବିଷଧର। ସେହିପରି ଓଡ଼ିଶାରେ ଦେଖାଯାନ୍ତି ୮୦ ପ୍ରଜାତିର ସାପ। ଏହି ୮୦ରୁ ୨୬ଟି ପ୍ରଜାତି ବିଷଧର ସାପ ଓଡ଼ିଶାରେ ଦେଖାଯାନ୍ତି। ଏମାନଙ୍କ ମଧ୍ୟରୁ ଜଳଭାଗରେ ୧୮ ଓ ସ୍ଥଳ ଭାଗରେ ୮ଟି ପ୍ରଜାତିର ବିଷଧର ସାପ ଦେଖାଯାନ୍ତି। ସ୍ଥଳ ଭାଗରେ ଦେଖା ଯାଉଥିବା ବିଷଧର ସାପଙ୍କ ମଧ୍ୟରେ ଅଛନ୍ତି ନାଗ, ତମ୍ପ, ଚିତି, ଚନ୍ଦନ ବୋଡା, ରଣା, ଅହିରାଜ, ଧୂଳିଆ ବୋଡା, ଡାଳୁଆ ବୋଡା। ଓଡ଼ିଶାରେ ନାଗ, ଚିତି, ତମ୍ପ ଓ ଚନ୍ଦନ ବୋଡ଼ା କାମୁଡ଼ାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ତେବେ ସବୁ ସ୍ଥାନରେ ସବୁ ପ୍ରଜାତିର ସାପ ମିଳନ୍ତି ନାହିଁ; ଯେପରି ଅନୁଗୋଳରେ ତମ୍ପ ଓ ଚନ୍ଦନ ବୋଡ଼ା ମିଳନ୍ତି ନାହିଁ। କଟକ ଓ ଭୁବନେଶ୍ୱରରେ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ସବୁ ପ୍ରଜାତିର ସାପ ମିଳନ୍ତି।

Comments are closed.