ଅବସର ନେଲେ ଲିଲିମା

କଟକ: ଭାରତୀୟ ମହିଳା ହକିର ପ୍ରାଚୀର ଭାବେ ପରିଚିତ ଦୁଇଥର ଏସୀୟ କ୍ରୀଡ଼ା ପଦକ ବିଜେତା, ଅଲିମ୍ପିଆନ ଓଡ଼ିଆ ମଧ୍ୟପନ୍ଥୀ ଖେଳାଳି ଲିଲିମା ମିଞ୍ଜ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍‌ସ ପରେ ଏସିଆ କପ୍‌ ଲାଗି ଦଳରେ ମଧ୍ୟ ଲିଲିମାଙ୍କୁ ସ୍ଥାନ ମିଳିନଥିଲା। ଏଥିନେଇ ମାନସିକ ସ୍ତରରେ ବିଶାଦଗସ୍ତ ଥିବା ଲିଲିମା ଯୁବ ଖେଳାଳିମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା ନେଇ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିବା ଆଲୋଚନା ହେଉଛି। ୧୧ବର୍ଷର ଅନ୍ତର୍ଜାତୀୟ ହକି ଜୀବନରେ ଲିଲିମା ୧୫୬ଟି ମ୍ୟାଚ ଖେଳି ୧୨ଟି ଗୋଲ ସ୍କୋର କରିଛନ୍ତି। ଏଥିସହିତ ଲିଲିମାଙ୍କ ହକି ଜୀବନରେ ପୁନଃଚ୍ଛେଦ ପଡିଛି।

୧୯୯୪ ଏପ୍ରିଲ ୧୦ରେ ସୁନ୍ଦରଗଡ଼ ଜିଲା ଲାଞ୍ଜିବର୍ଣ୍ଣା ବ୍ଲକର ଟାନାତୋଲି ଗ୍ରାମରେ ଜନ୍ମିତ ଲିଲିମା ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକି ଖେଳ ଆରମ୍ଭ କରିଥିଲେ। ପ୍ରଥମେ ଅମୂଲ୍ୟାନନ୍ଦ ବିହାରୀ ଓ ପରବର୍ତ୍ତୀ ସମୟରେ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କଠାରୁ ପ୍ରଶିକ୍ଷଣ ପାଇ ଆଗକୁ ବଢିଥିଲେ। ପ୍ରାରମ୍ଭରୁ ଲିଲିମା ଜଣେ ରକ୍ଷଣାଭାଗ ଖେଳାଳି ଭାବେ ଖେଳ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟଭାଗରେ ଖେଳିଥିଲେ। ୨୦୦୬ରେ ଜାତୀୟ ବିଦ୍ୟାଳୟ କ୍ରୀଡ଼ା, ଜୁନିୟର ନେହରୁ କପ୍‌ ହକିରେ ପ୍ରତିନିଧିତ୍ବ କରିବା ସହିତ ଜାତୀୟ ପ୍ରତିଯୋଗିତାରେ ପାଦ ଦେଇଥିଲେ।

ପରବର୍ତ୍ତୀ ସମୟରେ ଓଡ଼ିଶା ବରିଷ୍ଠ ଦଳ ,ଜାତୀୟ କ୍ରୀଡ଼ା ଆଦି ପ୍ରତିଯୋଗିତାରେ ଖେଳି ଦକ୍ଷତାର ପରିଚୟ ଦେଇଥିଲେ। ଜାତୀୟ ପ୍ରତିଯୋଗିତା​ରେ ଉତ୍ତମ ପ୍ରଦର୍ଶନ କରି ଲିଲିମା ଜାତୀୟ ଦଳରେ ସ୍ଥାନ ପାଇଥିଲେ। ଲିଲିମା ୨୦୧୧ରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ଲାଗି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ୨୦୧୩ରେ ଆୟୋଜିତ କନିଷ୍ଠ ମହିଳା ହକି ବିଶ୍ବକପରେ କାଂସ୍ୟ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ସେହିପରି ୨୦୧୪ ଇଞ୍ଚିଆନ ଏସୀୟ କ୍ରୀଡ଼ାରେ କାଂସ୍ୟ ବିଜୟୀ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍‌ସରେ ଲିଲିମା ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହା ଥିଲା ଲିଲିମାଙ୍କ ପ୍ରଥମ ଅଲିମ୍ପି୍‌କ୍‌ସ । ୨୦୧୭ ମହିଳା ଏସିଆ କପ୍‌ରେ ଭାରତୀୟ ଦଳ ସ୍ବର୍ଣ୍ଣ ଜିତିଥିବାବେଳେ ଏହାର ମଧ୍ୟ ଅଂଶ ରହିଥିଲେ। ୨୦୧୮ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତୀୟ ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଏଥିରେ ମଧ୍ୟ ଲିଲିମା ପ୍ରିତିନିଧିତ୍ବ କରିଥିଲେ।

୨୦୧୯ ଏଫ୍‌ଆଇଏଚ ମହିଳା ହକି ସିରିଜ୍‌ ଫାଇନାଲ୍‌ସ ଓ ଭୁବନେଶ୍ବରରେ ଆୟୋଜିତ ଏଫ୍‌ଆଇଏଚ୍‌ ହକି ଅଲିମ୍ପି୍କ୍‌ସ ଯୋଗ୍ୟତାପର୍ୟ୍ୟାୟରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ଗତ ଡିସେମ୍ବରରେ ଭାରତୀୟ ଦଳ ଏସିଆନ ଚମ୍ପିଆନ୍ସ ଟ୍ରଫି ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଦକ୍ଷିଣକୋରିଆରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିଲେ। ଫଳରେ ଭାରତୀୟ ଦଳ ପ୍ରତିଯୋଗିତାରୁ ଓହରି ଯାଇଥିଲା। ଏସିଆ କପ୍‌ ଲାଗି ସମ୍ଭାବ୍ୟ ଶିବିରରେ ଲିଲିମା ସ୍ଥାନ ପାଇଥିଲେ ମଧ୍ୟ ଚୂଡାନ୍ତ ଦଳରେ ସ୍ଥାନ ପାଇନଥିଲେ। ଯାହା ଫଳରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ମହିଳା ହକିକୁ ଅବଦାନ ଲାଗି ହକି ଇଣ୍ଡିଆ ପକ୍ଷରୁ ଲିଲିମାଙ୍କୁ ହକି ଇଣ୍ଡିଆ ସଭାପତି ଜ୍ଞାନେ​‌େ​‌ନ୍ଦ୍ରା ନିଗୋମବାମ୍‌ ଶୁଭେଚ୍ଛା ଜଣାଇଛନ୍ତି।

୧୧ ବର୍ଷରେ ୧୫୬ ମ୍ୟାଚ୍‌, ୧୨ ଗୋଲ୍‌
ଲିଲିମା ମିଞ୍ଜ ୨୦୦୬ରୁ ହକି ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ୨୦୧୧ରେ ଭାରତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ୧୧ବର୍ଷର ହକି ଯାତ୍ରାରେ ଲିଲିମା ୧୫୬ଟି ମ୍ୟାଚ ଖେଳି ୧୨ଟି ଗୋଲ ଦେଇଛନ୍ତି। ଜଣେ ମଧ୍ୟଭାଗ ଖେଳାଳି ହୋଇ ମଧ୍ୟ ଲିଲିମା ୧୨ଟି ଗୋଲ ଦେଇଥିଲେ। ଯାହା ତାଙ୍କ ପାଇଁ ବହୁତ ବଡ ସଫଳତା ଥିଲା।

Comments are closed.