ପରିତ୍ୟକ୍ତ ଲିଲାରି ଖଣି ହେବ ଉତ୍କଳ ଉପବନ

- ଭିଡିଓ କନ୍‌ଫରେନ୍ସିଂରେ ଶିଳାନ୍ୟାଶ କଲେ ଅମିତ ଶାହା

ଲଖନପୁର/ଇବଥର୍ମାଲ: ଝାରସୁଗୁଡ଼ା ଜିଲା ଲଖନପୁର ଖଣି କ୍ଷେତ୍ର ଅନ୍ତର୍ଗତ ଲିଲାରି ଖୋଲାମୁହଁ ଖଣିକୁ ଏକ ଅତ୍ୟାଧୁନିକ ଆକର୍ଷଣୀୟ ପର୍ୟ୍ୟଟନ ସ୍ଥଳୀରେ ପରିଣତ କରାଯିବ। ଏହି ପର୍ୟ୍ୟଟନସ୍ଥଳୀକୁ ‘ଉତ୍କଳ ଉପବନ’ ଭାବରେ ନାମକରଣ କରାଯାଇଛି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିବା ବେଳେ ଶିଳାନ୍ୟାସ କ୍ଷେତ୍ରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଉପଜିଲାପାଳ ଶିବ ଟପ୍ପୋ, ଡିଏଫ୍‌ଓ ଲଳିତ ପାତ୍ର, ସ୍ଥାନୀୟ ଖଣି ମହାପ୍ରବନ୍ଧକ ଅରୁଣ ସ୍ୱର୍ଣ୍ଣକର, ଜିଲା ପରିଷଦ ସଦସ୍ୟ ସାମଲ ନାଏକ, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, କୁଡ଼ାଲୋଇ ସରପଞ୍ଚ କିଶୋରୀ ଦଳେଇ, ବନ୍ଧବାହାଲ ସରପଞ୍ଚ ରାଜେନ୍ଦ୍ର ନାଏକଙ୍କ ସମେତ ବିଭିନ୍ନ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଅନେକ ବର୍ଷ ହେବ ପରିତ୍ୟକ୍ତ ହୋଇ ପଡ଼ିଥିବା ଲଖନପୁର ଖଣିକ୍ଷେତ୍ର ଅନ୍ତର୍ଗତ ଲିଲାରି ଖୋଲାମୁହଁ ଖଣିକୁ ରାଜ୍ୟର ପ୍ରଥମ ଖଣି ପର୍ୟ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ପାଇଁ ଏମ୍‌ସିଏଲ କର୍ତ୍ତୃପକ୍ଷ ପ୍ରସ୍ତାବ ଆଗତ କରିଥିଲେ। ଏହାର ନିର୍ମାଣ କାର୍ୟ୍ୟ ପାଇଁ ୧୪ କୋଟି ଟଙ୍କା ବ୍ୟୟ ହେବ ବୋଲି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଜଣାପଡିଛି। ଏହି ପର୍ୟ୍ୟଟନସ୍ଥଳୀ ପାଇଁ ଆଗାମୀ ଦିନରେ ବେଲପାହାଡ଼ ମୁଚବାହାଲ ଛକରୁ ଲିଲାରି ଖଣି ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ, ବୋଟିଂ କ୍ଲବ, ଆତ୍ୟାଧୁନିକ ସୁନ୍ଦର ପାର୍କ, ଫଳ ବଗିଚା ସହ ବିଭିନ୍ନ ପ୍ରକାରର ସୁନ୍ଦର ଚାରା ରୋପଣ, ଆଲୋକିକରଣ, ୪ କିଲୋମିଟର ଯାଏ ଖେଳଣା ଟ୍ରେନ୍, ୫ କିଲୋମିଟର ସାଇକଲ୍ ଟ୍ରାକ, ଶୌଚାଳୟ ନିର୍ମାଣ, ପର୍ୟ୍ୟଟକଙ୍କ ବସିବା ନିମନ୍ତେ ଅତ୍ୟାଧୁନିକ ସ୍ଥାନ ନିର୍ମାଣ, ପ୍ରାଥମିକ ଉପଚାର କେନ୍ଦ୍ର, ୬ଟି ଆଧୁନିକ କଟେଜ ନିର୍ମାଣ, ୨୫ଟି ସାଇକଲ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଭୋଜି ପାଇଁ ସ୍ୱତନ୍ତ୍ର ସ୍ଥାନ, ଏକ ଛୋଟ ପୋଖରୀ ସହ ସ୍ମରଣିକା କ୍ୟାଫେଟେରୀଆ ଠାରୁ ଆରମ୍ଭ କରି ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀର କିଣାବିକା ପାଇଁ ସ୍ୱତନ୍ତ୍ର ସୁବିଧା ରହିବ।

ଏହା ପର୍ୟ୍ୟଟକଙ୍କ ପାଇଁ ଅତି ଆକର୍ଷଣୀୟ ଇକୋ ପାର୍କ ଭାବରେ ନିର୍ମାଣ କରାଯିବ ବୋଲି ସ୍ଥାନୀୟ ଭାରପ୍ରାପ୍ତ ମହାପ୍ରବନ୍ଧକ ଶ୍ରୀ ସ୍ୱର୍ଣ୍ଣକର, ସାଂସଦ ଶ୍ରୀ ପୂଜାରୀ ଉଭୟେ ପ୍ରକାଶ କରିଛନ୍ତି। ଏଥିପାଇଁ ଏମ୍‌ସିଏଲ ଡିପିଆର ପ୍ରସ୍ତୁତ କରିସାରିଥିବା କୁହାଯାଇଛି।

ଝାରସୁଗୁଡ଼ା ଜିଲା ଖଣି ଓ ଶିଳ୍ପ ପାଇଁ ସମଗ୍ର ବିଶ୍ୱରେ ପରିଚିତ। ରାଜ୍ୟର ସର୍ବପୁରାତନ ଅଣ୍ଡର ଗ୍ରାଉଣ୍ଡ କୋଇଲା ଖଣି ଜିଲାରେ ରହିଛି। ଜିଲାରେ ଅନେକ ପର୍ୟ୍ୟଟନସ୍ଥଳୀ ରହିଛି। ତେବେ ଝାରସୁଗୁଡ଼ାରେ ରାଜ୍ୟର ପ୍ରଥମ ଖଣି ବେଲପାହାଡ଼ ପୌରାଞ୍ଚଳ ଅଧୀନସ୍ଥ ଲିଲାରି ପରିତ୍ୟକ୍ତ ଖଣିକୁ ଖଣି ପର୍ୟ୍ୟଟନ ସ୍ଥଳୀ କରିବାକୁ ଏମ୍‌ସିଏଲ ନିଷ୍ପତ୍ତି ନେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ୨୦୧୮ ମହିହାରେ ଏମ୍‌ସିଏଲ ଲିଲାରି ଖୋଲା ମୁହଁ କୋଇଲା ଖଣିକୁ କୋଇଲା ଉତ୍ପାଦନ ବନ୍ଦ ହେବା ପରେ ପରିତ୍ୟକ୍ତ ଘୋଷଣା କରିଦେଲା। ଗତ କିଛିଦିନ ପୂର୍ବେ ଏମ୍‌ସିଏଲ ଇବ୍ ଭ୍ୟାଲି, ସମଲେଶ୍ୱରୀ ଓ ଲଖନପୁରକୁ ନେଇ ଏକ ବୃହତ କୋଇଲା ଖଣି ଭାବରେ ଘୋଷଣା କରିଛି। ଏଥିରେ ଯଦିଓ ଲିଲାରି ଓସିପି ଅଧିଗ୍ରହଣ କରିଥିବା କେତେକ ଜମି ଏହି ଗ୍ରେଟର ପ୍ରକଳ୍ପରେ ସାମିଲ କରାଯାଇଛି। ଏହା ପର୍ୟ୍ୟଟନ ସ୍ଥଳ ଭାବରେ ବିକଶିତ ହେଲେ ଏହା ଦେଖିବାକୁ ଜିଲା ବାହାରୁ ତଥା ରାଜ୍ୟ ବାହାରୁ ପର୍ୟ୍ୟଟକ ଆସିବେ।

ଛତିଶଗଡ଼ ବିଳାସପୁର ସ୍ଥିତ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲଡ଼ ଲିଃ (ଏସଇସିଏଲ୍) ବେଲପାହାଡ଼ ଯୋରାବଗା ନିକଟରେ ୧୯୮୧ ମସିହାରୁ ଏହି ଖଣି ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରି ୧୯୮୮ ମସିହାରେ କୋଇଲା ଉତ୍ପାଦନ ଆରମ୍ଭ କରିଥିଲା। ଲିଲାରି ଯୋରକୁ ଆଧାରକରି ଲିଲାରି ଓପନ କାଷ୍ଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଏହା ଜିଲାର ପ୍ରଥମ ଖୋଲାମୁହାଁ କୋଇଲା ଖଣି ଭାବରେ କୋଇଲା ଉତ୍ପାଦନ ଆରମ୍ଭ କରିଥିଲା। ରାଜ୍ୟ ଶିଳ୍ପର ବିକାଶ ଦିଗରେ କୋଇଲା ଯୋଗାଉଥିବା ଲିଲାରି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ କୋଇଲା ଯୋଗାଇବା ସହ ଏଥିରୁ କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଜନ କରାଯାଇଥିଲା। କୋଇଲା ଖଣି ଖନନ ତୁଳନାରୁ ଏଥିରୁ କୋଇଲା ଉତ୍ପାଦନ ଅତି କମ ହେବାରୁ ଶେଷରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା।

Comments are closed.