ବଜ୍ରପାତରେ ଭଞ୍ଜବିହାର ଛାତ୍ର ମୃତ, ସହପାଠିନୀ ଆହତ

ଗୋପାଳପୁର : ଶନିବାର ଅପରାହ୍ନରେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଥିବାବେଳେ ତାଙ୍କର ଜଣେ ସହପାଠିନୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ଅମିତ୍ କୁମାର ନାୟକ(୨୫) ବୋଲି ଜଣାପଡିଛି। ଅମିତ ବିଶ୍ବବିଦ୍ୟାଳୟର ପ୍ରଥମ ଛାତ୍ରାବାସରେ ରହୁଥିଲେ। ଅମିତ ଏବଂ ତାଙ୍କ ସହପାଠିନୀ(ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ) ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇ ପାନ୍ଥନିବାସ ନିକଟ ବେଳାଭୂମିରେ ବସିଥିଲେ। ଅପରାହ୍ଣ ୫ଟା ବେଳେ ଅଚାନକ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏଥିରେ ଉଭୟ ଅମିତ ଓ ତାଙ୍କ ସହପାଠିନୀ ଆହତ ହୋଇଥିଲେ। ବେଳାଭୂମିରେ ଥିବା ଅନ୍ୟ ପର୍ଯ୍ୟଟକମାନେ ଏ ସମ୍ପର୍କରେ ତୁରନ୍ତ ପାନ୍ଥନିବାସ ମ୍ୟାନେଜର ସନ୍ତୋଷ କୁମାର ସାମନ୍ତରାୟଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ଡାକ୍ତରଖାନା ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିବା ବେଳେ ସହପାଠିନୀ( ଛାତ୍ରୀ ଜଣକ ଗୁରୁତର ଅବସ୍ଥାରେ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ରାତି ୮ଟା ସୁଦ୍ଧା ଗୋପାଳପୁର ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.