ଲିଫ୍ଟ ମାଗି ଲୁଟ୍: ଦୁଇ ସହଯୋଗୀଙ୍କ ସହ ପୁଲିସ ପଞ୍ଝାରେ ‘ମିସ୍-୪୨୦‘

ଭୁବନେଶ୍ଵର: ଅନ୍ଧାର ରାତିରେ ମଝି ରାସ୍ତାରେ ଠିଆ ହୋଇ ଲିଫ୍ଟ ମାଗିବା ବାହାନାରେ ଲୁଟୁଥିଲେ ‘ ମିସ୍ ୪୨୦’ । ହେଲେ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ । ଶେଷରେ ପୁଲିସ ହାବୁଡ଼ରେ ପଡ଼ିଲେ । ମିସ୍ ୪୨୦ ଓ ତାଙ୍କର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିବା ପରେ ଲିଫ୍ଟ ଓ ଲୁଟ୍ ଘଟଣାର ରହସ୍ୟ ଫିଟିଛି । ଯୁବତୀଙ୍କ ନାମ ପ୍ରିୟଙ୍କା ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ନାମ ନାରାୟଣ ଓ ରାହୁଳ । ସେମାନଙ୍କ ଘର ଗଞ୍ଜାମ ଜିଲାର ପୋଲସରା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ରାଜଧାନୀର ଖଣ୍ଡଗିରି ନିକଟରେ ମିସ୍ ୪୨୦ର ଥିଲା ଆଡ଼୍ଡ଼ା । ସହଯୋଗୀ ଥିଲେ ଆଉ ଦୁଇ ଯୁବକ । ଭୁବନେଶ୍ଵର-ବ୍ରହ୍ମପୁର ଜାତୀୟ ରାଜପଥରେ ଅନ୍ଧାରିଆ ସ୍ଥାନରେ ଠିଆ ହୋଇ ଯୁବତୀ ଲୋକଙ୍କୁ ଲିଫ୍ଟ ମାଗୁଥିଲା । କାର୍ ହେଉ ବା ବାଇକ୍ ଆରୋହୀ ଆସିଲେ ସେ ହାତ ଦେଖାଉଥିଲା ଓ ଆଗକୁ ଯିବା ପାଇଁ ଇସାରା କରୁଥିଲା।    କିଛି ଦୂରରେ ଲୁଚି ରହୁଥିଲେ ତାଙ୍କର ଦୁଇ ସହଯୋଗୀ । ଯଦି କୌଣସି ବ୍ୟକ୍ତି ଦୟା ପରବଶ ହୋଇ ଅଟକୁଥିଲା, ତେବେ ଯୁବତୀ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଲୁଟି ନେଉଥିଲେ । ସୁନାଚେନ, ମୁଦି, ପର୍ସ, ଘଣ୍ଟା, ମୋବାଇଲ କିଛି ଛାଡ଼ୁ ନ ଥିଲେ ।

ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଏହି ଗୋଷ୍ଠୀକୁ ଧରିବା ପାଇଁ ଜାଲ ବିଛାଇଥିଲା ଓ ଶେଷରେ ପୁଲିସ ଫାନ୍ଦରେ ପଡ଼ିଥିଲେ ମିସ୍-୪୨୦ ଓ ତାଙ୍କ ସହଯୋଗୀମାନେ । ସେମାନଙ୍କୁ ପୁଲିସ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ୭ଟି ମୋବାଇଲ, ଛୁରୀ, ଭୁଜାଲି ଓ ୩ଟି ବାଇକ୍ ଜବତ କରିଛି ।

Comments are closed.