ଓଏଲଆଇସି ଚାଷୀକୁଳର ଭରସା

ଉଠା ଜଳସେଚନ ଉପରେ ସମୀକ୍ଷା- ୩ ଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ

ଭୁବନେଶ୍ବର: ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବାରୁ ଚାଷ ଜମିକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ନିଅଣ୍ଟିଆ ବର୍ଷା ପରିସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲଆଇସି) କାର୍ଯ୍ୟକାରୀ କରି ତିନିଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳ ଯୋଗାଣ କରିଛି। ଓଏଲଆଇସି ଚାଷୀକୁଳର ଭରସା। ତେଣୁ କୃଷି କ୍ଷେତ୍ରକୁ ଜଳସେଚନ ଯୋଗାଣ ପାଇଁ ନିଗମ ସହଯୋଗ କରିବାକୁ ରାଜ୍ୟ ଜଳସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ନିଗମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଓଏଲଆଇସି ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଜଳସେଚନ ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଗମ ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ କହିଥିଲେ, ନିଗମ ତରଫରୁ ନିର୍ମାଣାଧୀନ ପ୍ରକଳ୍ପ ଶେଷ ହୋଇଛି। ଖରାପ ଥିବା ପ୍ରକଳ୍ପର ମରାମତି ଶେଷ ହୋଇଛି।

 

ବକେୟା ବିଦ୍ୟୁତ୍‌ ଦେୟ ଯୋଗୁଁ କେତେକ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇ ପାରି ନ ଥିଲା। ତ୍ବରିତ ପଦକ୍ଷେପ ଯୋଗୁଁ ସମସ୍ତ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯାଉଛି। ୨୦୧୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ଗଭୀର କୂଳ ଓ ଅଗଭୀର ନଳକୂପ ମିଶି ୧ଲକ୍ଷ ୨୧ ହଜାର ୧୦୬ ପ୍ରକଳ୍ପ ଥିବାବେଳେ ୧୨.୪୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଥିଲା। ତନ୍ମଧ୍ୟରୁ ୧ ଲକ୍ଷ ୧୦ ହଜାର ୩୮୮ ପ୍ରକଳ୍ପ ସଚଳ ରହିଛି। ମରାମତି ଯୋଗ୍ୟ ଅସ୍ଥାୟୀ ଭାବେ ଅଚଳ ଥିବା ୯୫୫୫ ପ୍ରକଳ୍ପର ଆବଶ୍ୟକତା ଅନୁସାରେ ସଚଳ କରାଯାଇଛି। ଯାହାଦ୍ବାରା ୧ ଲକ୍ଷ ୩୪ ହଜାର ୯୮୦ ହେକ୍ଟର ଜମିକୁ ଜଳସେଚତନ ସୁବିଧା ହୋଇପାରିବ। ବୈଠକରେ ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ବରନାଥ ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.