ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ ଅନୁପ ଜଲୋଟା

୧୩ରୁ ଗୁରୁ ଦେବପ୍ରସାଦ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ବର : ତ୍ରିଧାରା ପକ୍ଷରୁ ଆସନ୍ତା ୧୩ରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର-୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ରାଜ୍ୟର ବରିଷ୍ଠ ଶିଳ୍ପୀ ପାରମ୍ପରିକ ନୃତ୍ୟସଙ୍ଗୀତ ପରିବେଷଣ କରିବା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁ ଗଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ଏହି ଅବସରରେ ଭଜନ ସମ୍ରାଟ ପଦ୍ମଶ୍ରୀ ପଣ୍ଡିତ ଅନୁପ ଜଲୋଟାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ମାନପତ୍ର, ଉପଢୌକନ, ଫଳକ ଏବଂ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ଶାତ୍ରୀୟା ନୃତ୍ୟ କ୍ଷେତ୍ରରେ ଆସାମର ପଦ୍ମଶ୍ରୀ ବୟନାଚାର୍ଯ୍ୟ ଗୁରୁ ଘନକାନ୍ତ ବୋରା ଏବଂ ମୋହିନୀଆଟ୍ଟମ କ୍ଷେତ୍ରରେ ଚେନ୍ନଇର ବଦୂଷୀ ଗୋପିକା ବର୍ମାଙ୍କୁ ଗୁରୁ ଦେବପ୍ରସାଦ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦ ମାନପତ୍ର, ଉପଢୌକନ, ଫଳକ ଏବଂ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ। ଏହାବ୍ୟତୀତ ବାଲେଶ୍ବରର ଗୁରୁ ପ୍ରଫେସର ଡ. ମନୋଜ କୁମାର ବେହେରା, ଭୁବନେଶ୍ବରର ଗୁରୁ ପ୍ରତିଭା ପଣ୍ଡା, କନ୍ଧମାଳର ଗୁରୁ ବିନୋଦ ଚନ୍ଦ୍ର ସାହୁ ଏବଂ କଲକାତାର ଗୁରୁ ପାଲୋମି ମଣ୍ଡଳଙ୍କୁ ଗୁରୁ ଦେବପ୍ରସାଦ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ମାନପତ୍ର, ଉପଢୌକନ ସହିତ ୨୫,୦୦୦ ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ। ଉଦ୍‌ଘାଟନୀ ଉତ୍ସବରେ ଭଜନସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଭଜନ ପରିବେଷଣ କରିବେ। ଏହାସହିତ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ସେହିପରି ଛଉ ନୃତ୍ୟ ସାଙ୍ଗକୁ ଏକକ ତବଲା ବାଦନ, ମୋହିନୀ ଆଟ୍ଟମ ଏବଂ ଶାତ୍ରୀୟା ନୃତ୍ୟ ପରିବେଷଣ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରୀନା ପଣ୍ଡା, ଆର୍ଯ୍ୟା ନନ୍ଦେ ଏବଂ ରିତିକା ବାନାର୍ଜୀ ଉପସ୍ଥିତ ଥିଲେ।

Comments are closed.