ଗ୍ରାହକଙ୍କ ପ୍ରିୟ ୪ଫୁଟ୍‌ର ଦୋସା

0

ଅହମ୍ମଦାବାଦ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳର ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ଆନ୍ନା ଫୁଡ୍’ ଆଡ଼େ ନିଶ୍ଚୟ ଥରେ-ଦୁଇଥର ଆସିଥାନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିବା ଏଇ ରେସ୍ତୋରାଁ ୨୦୦୬ରେ ପ୍ରଥମଥର ବିଶ୍ବ ରେକର୍ଡ କରିଥିଲା। ୩୨ଜଣ ରୋଷେୟାଙ୍କ ମିଳିତ ଉଦ୍ୟମରେ ମାତ୍ର ଦେଢ଼ ଘଣ୍ଟାରେ ୩୦ ଫୁଟ୍ ଲମ୍ବା ‘ମସଲା ଦୋସା’ ପ୍ରସ୍ତୁତ କରାଯାଇଥିଲା। ପରେ ୨୦୦୯ରେ ରେସ୍ତୋରାଁର ସେଫ୍‌ଙ୍କ ମିଳିତ ଚେଷ୍ଟାରେ ୩୨.୫ ଫୁଟ୍ ଲମ୍ବାର ଦୋସା ମାତ୍ର ୪୦ ମିନିଟ୍‌ରେ ପ୍ରସ୍ତୁତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ। ରେସ୍ତୋରାଁର ମୁଖ୍ୟ ଆକର୍ଷଣ ହେଲା ୪ ଫୁଟ୍‌ର ଦୋସା। ୪ଜଣ ଲୋକ ଆରାମରେ ପେଟପୂରା ଖାଇପାରୁଥିବା ଏହି ଦୋସାର ନାମ ହେଉଛି ‘କ୍ବିକ୍ ଗନ୍ ମୁରୁଗନ୍’। ରେସ୍ତୋରାଁ ପରିଚାଳକ କହିଛନ୍ତି ସପ୍ତାହକୁ ୬୦-୭୦ ଗ୍ରାହକ ଏହି ଦୋସା ଖାଇବାକୁ ବରାଦ୍ ଦେଇଥାନ୍ତି। ଏହି ଦୀର୍ଘ ଦୋସାର ମୂଲ୍ୟ ୯୫୦ ଟଙ୍କା ରଖାଯାଇଛି। ରେସ୍ତୋରାଁର ଅଭ୍ୟନ୍ତର ଖୁବ୍ ବଡ଼ ହୋଇଥିବାବେଳେ ‘କ୍ବିକ୍ ଗନ୍ ମୁରୁଗନ୍’ ଦୋସାର ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ମାତ୍ର ୧୫-୨୦ ମିନିଟ୍‌ରେ ଗ୍ରାହକଙ୍କୁ ଏଇ ଲମ୍ବା ଦୋସା ପରଷାଯାଏ। ସେଫ୍‌ ଦିନେଶ କହିଛନ୍ତି ୫ ଫୁଟ୍‌ ଦୋସାକୁ ପ୍ରସ୍ତୁତ କରିବା ସାମାନ୍ୟ କଷ୍ଟକର। କାରଣ ଥାଳିରେ ରଖିବା ସମୟରେ ଏହା ଅନେକ ସମୟରେ ଭାଙ୍ଗିଯାଏ। ତେବେ ଦିନକୁଦିନ ଏଇ ଦୋସାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ତାଙ୍କ ରେସ୍ତୋରାଁରେ ମୋଟ୍ ୨୦୦ ପ୍ରକାର ସ୍ବାଦର ଦୋସା ମିଳିଥାଏ।

Leave A Reply