ଆସାମ ଓ ମେଘାଳୟରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା

ଗୌହାଟୀ/ସିଲଂ: ଗୌହାଟୀରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଘଟିବା ପରେ ମଙ୍ଗଳବାର ସକାଳୁ ସେଠାରୁ ସାନ୍ଧ୍ୟ ଆଇନ୍‍ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିନିଆଯାଇଛି। ବ୍ରଡ୍‍ବ୍ୟାଣ୍ଡ ସେବା ଉପରୁ ମଧ୍ୟ କଟକଣା ପ୍ରତ୍ୟାହାର କରିନିଆଯାଇଛି। ତେବେ ଇଣ୍ଟରନେଟ୍‍ ମୋବାଇଲ୍‍ ସେବା ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଉତ୍ତରପୂର୍ବ ସୀମାନ୍ତ ରେଳବାଇ ମୁଖ୍ୟ ପି.ଆର୍‍.ଓ. ଶୁଭନ ଚନ୍ଦା କହିଛନ୍ତି, ରାଜ୍ୟରେ ଟ୍ରେନ୍‍ ସେବା ସ୍ୱାଭାବିକ କରାଇବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି, ଏବେ ରାଜ୍ୟରେ ୮ଟି ଯାତ୍ରୀବାହି ଟ୍ରେନ୍‍ ଚଳାଚଳ କରୁଛି। ଉତ୍ତର ପୂର୍ବାଞ୍ଚଳର ସମସ୍ତ ୧୦ଟି ଯାକ ବିମାନ ବନ୍ଦରରେ ବିମାନ ସେବା କାର୍ଯ୍ୟକ୍ଷମ ହୋଇଛି। ଇତିମଧ୍ୟରେ ଗୌହାଟୀ ହାଇକୋର୍ଟ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ପର୍ଯ୍ୟାୟ ଭିତ୍ତିରେ ପୁର୍ନସ୍ଥାପନ କରିବା ପାଇଁ ଆସାମ ସରକାରଙ୍କୁ କହିଛନ୍ତି। ଏ ସଂକ୍ରାନ୍ତୀୟ କିଛି ଆବେଦନର ଶୁଣାଣି କରି ହାଇକୋର୍ଟଙ୍କର ଏକ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ପାଇଁ ୧୯ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଆସନ୍ତାକାଲି ସୁଦ୍ଧା ଇଣ୍ଟରନେଟ୍‍ ସେବା ପୁର୍ନକ୍ଷମ କରିବାକୁ ଚିନ୍ତା କରାଯାଉଥିବା ବିଷୟ ରାଜ୍ୟ ସରକାର ଖଣ୍ଡପୀଠଙ୍କୁ ଜଣାଇଛନ୍ତି।

ଅନ୍ୟ ପକ୍ଷରେ ମେଘାଳୟ ରାଜଧାନୀ ସିଲଂରେ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଲୋକମାନେ ଗୀର୍ଜାଗୁଡ଼ିକୁ ଯିବା ଆରମ୍ଭ କରିଛନ୍ତି ଓ ପ୍ରବଳ ଶୀତ ସତ୍ତ୍ବେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦିନବେଳା ସାନ୍ଧ୍ୟ ଆଇନ୍‍କୁ ମଙ୍ଗଳବାର କୋହଳ କରାଯାଇଥିଲା। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇ ଇନର ଲାଇନ୍‍ ପରମିଟ୍‍ କାର୍ଯ୍ୟକାରୀ କରାଇବା ପାଇଁ ଏକ ପ୍ରସ୍ତାବ ଗୃହିତ କରିବେ ବୋଲି ଜଣାପଡିଛି।

Comments are closed.