ଲାଇସେନ୍ସ ବାତିଲ ନିର୍ଦେଶନାମା ହାଇକୋର୍ଟରେ ରଦ୍ଦ, ୩ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦେଶ

0

କଟକ: ଲାଇସେନ୍ସ ବାତିଲ ପ୍ରସଙ୍ଗରେ ପକ୍ଷ ରଖିବା ପାଇଁ କୌଣସି ସୁଯୋଗ ଦିଆନଯାଇ ଲାଇସେନ୍ସ ବାତିଲ କରାଯିବା ବେଆଇନ। ଏପରି ନିଷ୍ପତ୍ତି ବାସ୍ତବ ନ୍ୟାୟକୁ ଉଲ୍ଲଙ୍ଘନ କରୁଛି ବୋଲି ହାଇକୋର୍ଟ ଏକ ମାମଲାରେ ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି। ତେବେ ବିଦ୍ୟୁତ୍‌ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶକ୍ରମେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଆଦେଶନାମାକୁ ହାଇକୋର୍ଟ ଜଷ୍ଟିସ ଏସ ଏନ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ରଦ୍ଦ କରିବା ସହ ଏହି ଘଟଣାରେ ଶୁଣାଣି କରି ଆଇନ ଅନୁସାରେ ପୁନଃ ନିଷ୍ପତ୍ତି ନେବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି। ତେବେ ନିଷ୍ପତ୍ତି ନିଆଯିବା ପୂର୍ବରୁ ଆବେଦନକାରୀଙ୍କୁ ଏଥିରେ ପକ୍ଷ ରଖିବା ପାଇଁ ସୁଯୋଗ ଦେଇ ଆସନ୍ତା ୩ସପ୍ତାହ ମଧ୍ୟରେ ସାନି ନିଷ୍ପତ୍ତି ଗ୍ରହଣ କରିବା ପାଇଁ କୋର୍ଟ ରାୟରେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ବିଦ୍ୟୁତ୍‌ ବିଭାଗରେ କର୍ମଚାରୀ ସଂକଟ ନେଇ ଇଲେକ୍ଟ୍ରିକାଲ ଠିକାଦର ଜ୍ୟୋତିନ କୁମାର ସାହୁଙ୍କୁ ଏଚଟି ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ କୌଣସି କାରଣ ନଥାଇ ଠିକାଦାରଙ୍କ ଲାଇସେନ୍ସକୁ ବେଆଇନ ଭାବେ ୨୦୧୮, ଅଗଷ୍ଟ ମାସ ୪ତାରିଖରେ ବାତିଲ କରାଯାଇଥିଲା। ଇଲେକ୍ଟ୍ରିକ ଲାଇସେନ୍ସ ବୋର୍ଡ ଅଫ ଓଡ଼ିଶା(ଇଏଲବିଓ) ସୁପାରିସକ୍ରମେ ପ୍ରଦତ୍ତ ଲାଇସେନ୍ସକୁ ବିଦ୍ୟୁତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆବେଦନକାରୀଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି ନକରି ଏକତରଫା ଭାବେ ଲାଇସେନ୍ସ ବାତିଲ କରିଥିଲେ। ଏସଇଙ୍କ ଏପରି ନିଷ୍ପତ୍ତି ବେଆଇନ ଓ ଲାଇସେନ୍ସ ବାତିଲ ନିର୍ଦେଶନାମାକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିବା ସହ ଏହି ମାମଲାରେ ଶକ୍ତି ବିଭାଗ ସଚିବ, ଇଏଲବିଓ, ଅଧ୍ୟକ୍ଷ ଇଏଲବିଓ ଓ ଏସଇଙ୍କୁ ପକ୍ଷଭୁକ୍ତ କରିଥିଲେ।

Leave A Reply