ପ୍ରଧାନମନ୍ତ୍ରୀ ଗୋଟିଏ ବି ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି : ଦଳିତ ସାଂସଦ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ଜଣେ ଦଳିତ ସାଂସଦ ଡଃ ଯଶୋବନ୍ତ ସିଂହ ପତ୍ର ଲେଖି ନିଜର ଅସନ୍ତୋଷ ଜଣାଇଛନ୍ତି। ଯଶୋବନ୍ତ ହେଉଛନ୍ତି ପଶ୍ଚିମ ଉତ୍ତରପ୍ରଦେଶ ଅନ୍ତର୍ଗତ ନାଗିନା ଲୋକସଭା ଆସନର ସାଂସଦ। ପ୍ରଧାନମନ୍ତ୍ରୀ ଗତ ଚାରି ବର୍ଷ ମଧ୍ୟରେ ଦଳିତଙ୍କ ପାଇଁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି ବୋଲି ସେ ଚିଠିରେ ଅଭିଯୋଗ ବାଢ଼ିଛନ୍ତି। କେବଳ ସେତିକି ନୁହେଁ; ପ୍ରତିଶ୍ରୁତି ପୂରଣ ନ ହେବା ଦ୍ୱାରା ଦଳିତ ବର୍ଗର ନେତାମାନେ ଜନତାଙ୍କୁ ମୁହଁ ଦେଖାଇପାରୁ ନାହାନ୍ତି ବୋଲି ସେ ଲେଖିଛନ୍ତି। ଦଳିତଙ୍କ ପାଇଁ ଚାକିରିରେ ପଦୋନ୍ନତି, ଘରୋଇ କ୍ଷେତ୍ରରେ ଚାକିରି ପାଇଁ ସଂରକ୍ଷଣ, ସଂରକ୍ଷିତ କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀରେ ଦଳିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇ ଶୀଘ୍ର ଏଗୁଡ଼ିକୁ ପୂରଣ କରିବା ପାଇଁ ସେ ଦାବି କରିଛନ୍ତି। ଦଳିତଙ୍କ ସ୍ୱାର୍ଥରକ୍ଷା ଆଳରେ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିବାରେ ଡଃ ସିଂହ ହେଉଛନ୍ତି ବିଜେପିର ପଞ୍ଚମ ସାଂସଦ।
ବିଜେପିର ଦଳିତ ବର୍ଗର ସାଂସଦମାନଙ୍କ ଏପରି ଅସନ୍ତୋଷ ଏବେ ଦଳ ତଥା ସରକାରଙ୍କୁ ଅଡ଼ୁଆରେ ପକାଇଥିବା ରାଜନୀତିକ ମହଲ ମନେ କରୁଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ସଭାପତି ଅମିତ ଶାହ ବିଭିନ୍ନ ସ୍ଥାନ ଗସ୍ତ ସମୟରେ ଦଳିତଙ୍କ ଘରେ ଖାଇବାଠାରୁ ଆରମ୍ଭକରି ବିଭିନ୍ନ ତୁଷ୍ଟୀକରଣ ପଦକ୍ଷେପ ନେଉଛନ୍ତି। ଶୁକ୍ରବାର ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ ସମସ୍ତ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ଦଳିତଙ୍କ ଘରେ ଦୁଇ ରାତି ବିତାଇବା ପାଇଁ ଅମିତ ଶାହ ପରାମର୍ଶ ଦେଇଛନ୍ତି। ଅନ୍ତତଃ ଆମ୍ବେଦକର ଜୟନ୍ତୀ ଅବସରରେ ସମସ୍ତ ସାଂସଦ ଏଭଳି ପଦକ୍ଷେପ ନେଇ ଦଳିତଙ୍କୁ ଦଳଠାରୁ ଯେମିତି ମୁହଁ ନ ଫେରାନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଅମିତ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଯଶୋବନ୍ତ ଏକଦା ବହୁଜନ ସମାଜ ପାର୍ଟିରେ ଥିଲେ ଓ ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ମାୟାବତୀଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଉତ୍ତରପ୍ରଦେଶର ମନ୍ତ୍ରୀ ଥିଲେ। ଲୋକସଭା ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ। ସେହିଭଳି ୨୦୧୪ରେ ବିଜେପିରେ ସାମିଲ ହୋଇଥିବା ରବର୍ଟସ୍‌ଗଞ୍ଜ ଆସନର ଲୋକସଭା ସାଂସଦ ଛୋଟେଲାଲ ଖରୱାର ଦୁଇ ଦିନ ପୂର୍ବେ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ପୂର୍ବରୁ ମାୟାବତୀଙ୍କ ଦଳରୁ ଆସି ବିଜେପିରେ ମିଶିଥିବା ବାହାରିଚ୍‌ ସାଂସଦ ସାବିତ୍ରୀ ବାଈ ଫୁଲେ ମଧ୍ୟ ଦଳିତଙ୍କ ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ସେହିପରି ଇଟାୱା ସାଂସଦ ଅଶୋକ କୁମାର ଦୋହରେ ମାୟାବତୀଙ୍କ ହାତ ଛାଡ଼ି ୨୦୧୩ରେ ବିଜେପିରେ ମିଶିଥିଲେ ଓ ସେ ମଧ୍ୟ ଦଳିତଙ୍କ ପାଇଁ ଓକିଲାତି କରୁଛନ୍ତି। ଦିଲ୍ଲୀ ସାଂସଦ ଉଦିତ ରାଜ ସେମାନଙ୍କ ସହ ସାମିଲ ହୋଇଥିବା ଜଣାପଡ଼ିଛି।

Leave A Reply