ମୋଦୀଙ୍କୁ ମନମୋହନ, ମମତା, କେଜରିୱାଲଙ୍କ ଚିଠି : ମାଗିଲେ ଟିକା, ଅମ୍ଳଜାନ, ଔଷଧ, ଶଯ୍ୟା

କରୋନା ନିୟନ୍ତ୍ରଣ ପାଇଁ ମନମୋହନ ଦେଲେ ୫ ସୂତ୍ର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମନମୋହନ ରବିବାର ମୋଦୀଙ୍କ ନିକଟକୁ ଲେଖିଥିବା ଚିଠିରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ୫ଟି ସୂତ୍ର ବତାଇଛନ୍ତି। ଏହି ୫ଟି ସୂତ୍ରକୁ କାର୍ଯ୍ୟକାରୀ କରିବାକୁ ସେ ନିବେଦନ କରିଛନ୍ତି। ମନମୋହନଙ୍କ ୫ଟି ସୂତ୍ର ହେଲା କରୋନାକୁ ନିୟନ୍ତ୍ରଣ ପାଇଁ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉ। କରୋନା ମୁକାବିଲା କରିବା ଦିଗରେ ଟିକାକରଣ ଏକ ବଡ ଅଂଶ। ଟିକାକରଣ ବଢାଇବା ଲାଗି ଏଥିପାଇଁ ଧାର୍ଯ୍ୟ ବୟସସୀମା ହ୍ରାସ କରାଯାଉ ବୋଲି ସେ କହିଛନ୍ତି। କେତେ ସଂଖ୍ୟାରେ ଲୋକ ଟିକା ନେଲେ ତାକୁ ଧ୍ୟାନ ନ ଦେଇ କେତେ ପ୍ରତିଶତ ଲୋକ ଟିକା ନେଲେ ତାକୁ ଧ୍ୟାନ ଦିଆଯାଉ। ସରକାର ଘରୋଇ କମ୍ପାନୀଗୁଡିକଠାରୁ ଅଧିକରୁ ଅଧିକ ଟିକା ବରାଦ କରନ୍ତୁ। କେତେ ମାତ୍ରାରେ ଟିକା ବରାଦ କରାଗଲା ଓ ଏହା କେବେ ଯୋଗାଣ ହେବ ତାହା ସରକାର ଜଣାନ୍ତୁ। ଦ୍ବିତୀୟ ସୂତ୍ର ହେଲା ଦେଶରେ ଯେଉଁ ଟିକା ଉତ୍ପାଦନ ହେଉଛି ତାର ୯୦% ଟିକା ରାଜ୍ୟଗୁଡିକୁ ଯୋଗାଇ ଦିଆଯାଉ। ଅବଶିଷ୍ଠ ୧୦% ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରହୁ। ତୃତୀୟରେ କେଉଁ ବର୍ଗର ଲୋକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କରାଯିବ ତାର ସ୍ବାଧୀନତା ରାଜ୍ୟ ସରକାରଙ୍କୁ ଦିଆଯାଉ। ଫଳରେ ବୟସ ନିର୍ବିଶେଷରେ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ। ଯେପରିକି ଶିକ୍ଷକ, ଗାଡି ଚାଳକ, ଓକିଲ, ପଞ୍ଚାୟତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ପୂର୍ବକ ଟିକା ଦିଆଯାଉ। ଚତୁର୍ଥରେ ସରକାରୀ ସଂସ୍ଥାଗୁଡିକୁ ଟିକା ଉତ୍ପାଦନ କରିବାକୁ ଅଧିକ ସୁଯୋଗ ଦିଆଯାଉ। ଭାରତ ବିଶ୍ବର ସବୁଠାରୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ର; ମାତ୍ର ଏହି ଟିକା ଉତ୍ପାଦନକାରୀମାନେ ହେଉଛନ୍ତି ଘରୋଇ ସଂସ୍ଥା। ସେହିପରି ବିଦେଶରୁ ଟିକା ଆମଦାନୀ ଲାଗି ଘରୋଇ ସଂସ୍ଥାକୁ ଅନୁମତି ଦିଆଯାଉ। ଭାରତରେ କମ୍ ଟିକା ଉତ୍ପାଦନ ହେଉଥିବାରୁ ୟୁରୋପିୟାନ ମେଡିକାଲ ଏଜେନ୍ସି ଓ ୟୁଏସଏଫଡିଏ ଦ୍ବାରା ବ୍ୟାବହାରିକ ଅନୁମୋଦନ ପାଇଥିବା ବିଦେଶୀ ଟିକାକୁ ଅଧିକ ମାତ୍ରାରେ ଆମଦାନୀ କରାଯାଉ। ମନମୋହନ ଲେଖିଛନ୍ତି ଯେ ଯୋଜନାର ଉପଯୁକ୍ତ ରୂପରେଖ ପ୍ରସ୍ତୁତ ଦ୍ବାରା ଆମେ ବହୁତ ଭଲ ଓ ଉନ୍ନତ ପ୍ରଦର୍ଶନ କରିପାରିବା।
ସେହିପରି ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବା ପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମମତା ତାଙ୍କ ପତ୍ରରେ ପଶ୍ଚିମବଙ୍ଗ ଲାଗି ୫କୋଟି ୪୦ଲକ୍ଷ କରୋନା ଟିକା ଡୋଜ୍ (ମାତ୍ରା) ଦାବି କରିଥିବାବେଳେ ଅଧିକ ଅମ୍ଳଜାନ ଓ କରୋନା ଉପଚାର ଲାଗି ଔଷଧ ଦାବି କରିଛନ୍ତି। ମମତା ଲେଖିଛନ୍ତି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ଓ ଅନ୍ୟାନ୍ୟ କାରଣରୁ ବାହାର ରାଜ୍ୟର ଲୋକଙ୍କ ଭିଡ ରହିଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୨.୭ କୋଟି ହିତାଧିକାରୀଙ୍କୁ ଟିକାକରଣ କରାଯିବ ଆବଶ୍ୟକ। ଏଥିପାଇଁ ରାଜ୍ୟକୁ ଆବଶ୍ୟକ ୫.୪କୋଟି ଟିକା ଯୋଗାଇ ଦିଆଯାଉ। ସେ ଲେଖିଛନ୍ତି ଟିକା ଅଭାବ ପୂରଣ ପାଇଁ ରାଜ୍ୟ ସରକାରଗୁଡିକୁ ନିଜ ଅର୍ଥରେ ବଜାରରୁ ଟିକା କିଣିବାକୁ ଅନୁମତି ଦିଆଯାଉ। ଏହା ସହିତ ସଂକ୍ରମିତଙ୍କ ଚିକିତ୍ସା ଲାଗି ଅମ୍ଳଜାନ ଏବଂ ରେମଡେସିଭିର ଓ ତୋସିଲିଜୁମାବ୍ ଔଷଧ ଯଥାଶୀଘ୍ର ଯୋଗାଇ ​‌ଦିଆଯାଉ। ରବିବାର ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ୮୪୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ଫେବୃଆରୀ ୨୪ରେ ମଧ୍ୟ ମମତା କେନ୍ଦ୍ରକୁ ଲେଖିଥିବା ଚିଠିରେ ରାଜ୍ୟ ସରକାରଙ୍କୁ ଟିକା କିଣିବାରୁ ଅନୁମତି ଦେବାକୁ କହିଥିଲେ।
ଅନପକ୍ଷରେ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବାବେଳେ ଏହାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ କେଜରିୱାଲ ଜାତୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ବାବଦରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରି ଅବଗତ କରାଇଛନ୍ତି। ଏହା ସହିତ ପରିସ୍ଥିତି ବାବଦରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। କେଜରିୱାଲ ଜଣାଇଛନ୍ତି ଯେ ଦିଲ୍ଲୀରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଶଯ୍ୟାର ଅଭାବ ରହିଛି। ଏପରିକି ଦିଲ୍ଲୀରେ ଆଇସିୟୁ ଶଯ୍ୟା ସଂଖ୍ୟା ୧୦୦ରୁ କମ୍ ରହିଛି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲଗୁଡିକରେ ୧୦ହଜାର ଶଯ୍ୟା ରହିଥିବାବେଳେ ଏଥିରୁ ୧୮୦୦ ଶଯ୍ୟା କରୋନା ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ କରୋନା ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ଶଯ୍ୟା ସଂଖ୍ୟା ୭୦୦୦କୁ ବୃଦ୍ଧି କରିବାକୁ କେଜରିୱାଲ ନିବେଦନ କରିଛନ୍ତି। ଦିଲ୍ଲୀରେ ହସ୍ପିଟାଲଗୁଡିକରେ ଅମ୍ଳଜାନ ଅଭାବ ରହିଥିବା ବେଳେ ଏହାର ଯୋଗାଣ ବଢାଇବାକୁ କହିଛନ୍ତି। କେଜରିୱାଲ କହିଛନ୍ତି ଯେ ଆଗାମୀ ୨-୩ଦିନ ମଧ୍ୟରେ ଆଇସିୟୁ ଶଯ୍ୟା ସଂଖ୍ୟା ୬ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ ବିଦ୍ୟାଳୟ, ରାଜ୍ୟଗୋଷ୍ଠୀ କ୍ରୀଡା ଗ୍ରାମ ଓ ଯମୁନା କ୍ରୀଡା ପରିସରକୁ ଉପଯୋଗ କରାଯିବ। ରବିବାର ଦିଲ୍ଳୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୫,୫୦୦ ଛୁଇଁଛି। କରୋନା ସଂକ୍ରମଣ ମୁକାବିଲା ନିମନ୍ତେ କେଜରିୱାଲ ସୋମବାର ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟିବେ। ସାକ୍ଷାତ କାଳରେ ସପ୍ତାହାନ୍ତ ତାଲାବନ୍ଦ ଅବଧି ବୃଦ୍ଧି ସମ୍ପର୍କରେ ଆଲୋଚନା କରିବେ।

Comments are closed.