ନିଟ୍‌, ଜେଇଇକୁ ନେଇ ରାଜନୀତି ସରଗରମ : ସୁପ୍ରିମକୋର୍ଟ ଯିବେ ୭ ଅଣବିଜେପି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ନିଟ୍‌, ଜେଇଇ ସମୟ ପାଖେଇ ଆସୁଥିବାବେଳେ ଏବଂ ଏହି ପରୀକ୍ଷାର ଆୟୋଜନକାରୀ ଏନ୍‌ଟିଏ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଉଭୟ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି ଜୋର୍‌ ଧରିଛି। ବୁଧବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ୭ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉତ୍କଟ ମହାମାରୀ ସମୟରେ ଏହି ପରୀକ୍ଷା ଆୟୋଜନର ପ୍ରତିବାଦ କରିଛନ୍ତି। ଏହି ମୁଖ୍ୟମନ୍ତ୍ରୀମାନେ ନିଟ୍ ଓ ଜେଇଇ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ସହ ଆବଶ୍ୟକ ପଡ଼ିଲେ ଏଥିପାଇଁ ପୁନର୍ବାର ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆୟୋଜିତ ବୈଠକରେ ସୋନିଆଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନଙ୍କ ସହ କଂଗ୍ରେସର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବର କ୍ୟାପଟେନ୍‌ ଅମରିନ୍ଦର ସିଂହ, ଛତିଶଗଡ଼ର ଭୂପେଶ ବାଘେଲ ଓ ପୁଡୁଚେରୀର ଭି. ନାରାୟଣସ୍ବାମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ମହାମାରୀ ଯୋଗୁଁ ଟ୍ରେନ୍‌ କିମ୍ବା ବସ୍‌ ଚଳାଚଳ କରୁ ନାହିଁ। ପରୀକ୍ଷାର୍ଥୀମାନେ କେମିତି ପରୀକ୍ଷା କେନ୍ଦ୍ରକୁ ଯିବେ ଓ କେଉଁଠି ରହିବେ ତାହା ସବୁଠୁ ବଡ଼ ସମସ୍ୟା ହୋଇ ରହିଥିବାବେଳେ ସେମାନେ ପରୀକ୍ଷାକୁ ନେଇ ଏକାଧିକ ସଂକଟରେ ପଡ଼ିଛନ୍ତି। ପରୀକ୍ଷା କେନ୍ଦ୍ରରେ ସେମାନେ କେମିତି ବସିବେ ତାହା ମଧ୍ୟ ବଡ଼ ସମସ୍ୟା; କିନ୍ତୁ କେନ୍ଦ୍ର ସରକାର ବାସ୍ତବତାକୁ ହୃଦୟଙ୍ଗମ କରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ପରୀକ୍ଷା ସ୍ଥଗିତ ପାଇଁ ପୁନର୍ବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି। ମମତା ଏହି ପ୍ରସଙ୍ଗରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ସହ ହାତ ମିଳାଇବାକୁ ନିବେଦନ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟର ଯୋଗେ ପରୀକ୍ଷା ସ୍ଥଗିତ ରଖାଯିବା ସପକ୍ଷରେ ଅଭିଯାନ ଆରମ୍ଭ କରିଛନ୍ତି। ସେ ପ୍ରାକୃତିକ ଦୁର୍ବିପାକ, ପରୀକ୍ଷାର୍ଥୀଙ୍କ ଯାତାୟାତ ଓ ରହଣି ଏବଂ ସେମାନଙ୍କ ସ୍ବାସ୍ଥ୍ୟରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

ବୈଠକରେ ଆଲୋଚିତ ଅନ୍ୟ ପ୍ରସଙ୍ଗ ମଧ୍ୟରେ ରାଜ୍ୟମାନଙ୍କୁ ସେମାନଙ୍କ ଜିଏସ୍‌ଟି କ୍ଷତିପୂୂରଣ ବାବଦ ବକେୟା ପ୍ରାପ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସେମାନଙ୍କ ହକ୍‌ ପ୍ରଦାନରେ ଅଯଥା ବିଳମ୍ବ କରୁଥିବା ନେଇ ସୋନିଆ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ରାଜ୍ୟମାନଙ୍କୁ ଏହା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିଛନ୍ତି। ସୋନିଆଙ୍କ ଦ୍ବାରା ଆହୂତ ବୈଠକରେ ଉଦ୍ଧବ ଠାକ୍‌ରେ ୟୁନାଇଟେଡ ଫ୍ରଣ୍ଟକୁ ବଳିଷ୍ଠ କରିବାକୁ ଆହ୍ବାନ ଦେବାରେ ଏହା ମାଧ୍ୟମରେ ବସ୍ତୁତଃ ବିରୋଧୀ ଏକତା ପ୍ରଦର୍ଶନ ଉଦ୍ୟମ ହୋଇଥିବା ପ୍ରକାଶ।

Comments are closed.