ପୁରୁଷଙ୍କ ତୁଳନାରେ କମ୍‍ ମହିଳା ନେଉଛନ୍ତି କୋଭିଡ ଟିକା

ନୂଆଦିଲ୍ଲୀ: ଦେଶରେ ଯେତିକି ସଂଖ୍ୟାରେ କୋଭିଡ ଟିକାକରଣ କରାଯାଉଛି, ସେଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କମ୍‍ ସଂଖ୍ୟକ ମହିଳା ଟିକା ନେବାକୁ ଆସୁଥିବା ଜଣାଯାଇଛି। ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯିବା ପରେ ଗତ ଏପ୍ରିଲ ମାସ ୧୦ ତାରିଖରେ ଟିକା ନେଇଥିବା ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୨% ଅଧିକ ରହିଥିବାବେଳେ ଏପ୍ରିଲ ୨୪ ବେଳକୁ ସେହି ତାରତମ୍ୟ ୧୨%କୁ ବୃଦ୍ଧି ପାଇଥିଲା। ଗତ ମଇ ୬ ତାରିଖରେ କରାଯାଇଥିବା ଟିକାକରଣ ତଥ୍ୟରୁ ଜଣାଯାଇଛି ଯେ ସେହିଦିନ ଯେତିିକି ମହିଳା ଟିକା ନେଇଥିଲେ, ସେମାନଙ୍କ ତୁଳନାରେ ପ୍ରାୟ ୨୪% ଅଧିକ ପୁରୁଷଙ୍କୁ ଟିକା ଦିଆଯାଇଥିଲା। ଅବଶ୍ୟ ଭାରତରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୫.୭% ଅଧିକ ରହିଥିବା ଜଣାଯାଇଛି। ଅନ୍ୟଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଭାରତର କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଲୋକଶକ୍ତି ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ ଏବଂ ସେମାନେ ଡିଜିଟାଲ ଉପାୟରେ ଟିକାକରଣ ନିମନ୍ତେ ପଞ୍ଜିକରଣ କରିପାରୁଛନ୍ତି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ବାସକରୁଥିବା ମହିଳାମାନେ ଏହି ସୁବିଧାରୁ ବଂଚିତ ହେଉଛନ୍ତି।

Comments are closed.