ଜାତୀୟ ହାରଠୁ ଓଡ଼ିଶାରେ ଅଧିକ କୁଷ୍ଠରୋଗୀ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପନାର ଭାରତ ଆଜି ବି ଲକ୍ଷ୍ୟ ସାଧିତ ହୋଇ ପାରିନାହିଁ। ଗାନ୍ଧୀଜୀ କୁଷ୍ଠରୋଗ ମୁକ୍ତ ଭାରତ ଗଠନ ପରିକଳ୍ପନା କରିଥିବାବେଳେ ଏବେ ଦେଶର ୬୧ ଜିଲାରେ କୁଷ୍ଠରୋଗ ଉଦ୍‍ବେଗଜନକ ସ୍ଥିତିରେ ରହିଛି। ୨୦୩୦ ସୁଦ୍ଧା ଭାରତକୁ କୁଷ୍ଠରୋଗ ମୁକ୍ତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶା, ଛତିଶଗଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରାର ନଗର ହାବେଳିରେ ସ୍ଥିତି ଜାତୀୟ ହାରଠାରୁ ତିନିଗୁଣା ଅଧିକ ରହୁଛି। ଏହି ତିନି ରାଜ୍ୟରୁ ସର୍ବାଧିକ କୁଷ୍ଠରୋଗୀ ଚିହ୍ନଟ ହେଉଥିବାରୁ କୁଷ୍ଠରୋଗ ମୁକ୍ତ ଭାରତ ଲକ୍ଷ୍ୟ ସାକାର ଉଭୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶରେ ପ୍ରତିବର୍ଷ ୧.୧୫ ଲକ୍ଷ ନୂଆ କୁଷ୍ଠରୋଗୀ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ କୁଷ୍ଠରୋଗୀ ଚିହ୍ନଟ କରାଯାଉଛି। ଯାହା ଓଡ଼ିଶା ପାଇଁ ଜଟିଳ ପରିସ୍ଥିତି ବୋଲି କୁହାଯାଉଛି। ବିଶେଷକରି ରାଜ୍ୟରେ ୭ ଜିଲାରେ ଅଧିକ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି।
ଦେଶରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ଶହେରୁ ଊର୍ଦ୍ଧ୍ବ କୁଷ୍ଠରୋଗୀ ଚିହ୍ନଟ ହେଉଥିଲେ; କିନ୍ତୁ ୧୯୮୩ ମସିହାରୁ ଏମ୍‍ଡିଟି ଔଷଧ ଉପଲବ୍ଧ ହେବା ପରେ କୁଷ୍ଠରୋଗ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରିଛି। ୨୦୨୦ ବେଳକୁ ଜାତୀୟ ହାର ପ୍ରତି ୧୦ ହଜାର ଜନସଂଖ୍ୟାରେ ୦.୫ଜଣ ନୂଆ କୁଷ୍ଠରୋଗୀ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାର ହାର ୧.୧୦ଜଣ ରହିଛି। ଯାହା ଜାତୀୟ ହାର ଅପେକ୍ଷା ତିନି ଗୁଣା ଅଧିକ ବୋଲି କୁହାଯାଉଛି। ବରଗଡ, ସୋନପୁର, ବଲାଙ୍ଗୀର, ମୟୂରଭଞ୍ଜ, ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ସବୁଠୁ ଅଧିକ କୁଷ୍ଠରୋଗୀ ଚିହ୍ନଟ କରାଯାଉଛି। ବରଗଡ, ବଲାଙ୍ଗୀର ଏବଂ ସୋନପୁରରେ ସ୍ଥିତି ଉଦ୍‍ବେଗଜନକ। ଓଡ଼ିଶାରେ ୨୦୧୫-୧୬ ବର୍ଷରେ ୧୦ ହଜାର ୧୭୪ ନୂଆ କୁଷ୍ଠରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୬-୧୭ରେ ୧୦ ହଜାର ୦୪୫, ୨୦୧୭-୧୮ରେ ୯ ହଜାର ୫୭୬, ୨୦୧୮-୧୯ରେ ୧୦ ହଜାର ୭୮୬, ୨୦୧୯-୨୦ରେ ୧୦ ହଜାର ୦୭୭ ଏବଂ ୨୦୨୦-୨୧ରେ ୬ ହଜାର ୧୪୮ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇଛି। ମହାମାରୀକୁ ନିୟନ୍ତ୍ରଣ କରିବା ନିମନ୍ତେ ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ଯୋଗୁଁ ସ୍ବାସ୍ଥ୍ୟକର୍ମୀ ଗାଁକୁ ଗାଁ ବୁଲି କୁଷ୍ଠରୋଗ ଚିହ୍ନଟ କରିପାରି ନାହାନ୍ତି। କରୋନା ଦ୍ୱିତୀୟ ଲହର ସମୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ସହ କୁଷ୍ଠରୋଗ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ସର୍ଭେରେ ମାତ୍ର ୧୬ଶହ ନୂଆ କୁଷ୍ଠରୋଗୀଙ୍କୁ ଚିହ୍ନଟ କରାଯାଇଛି। ଆହୁରି ସାଢେ ୩ ହଜାରରୁ ଊର୍ଦ୍ଧ୍ବ କୁଷ୍ଠରୋଗୀ ଥାଇପାରନ୍ତି ବୋଲି କୁହାଯାଉଛି। ସମ୍ଭାବ୍ୟ କୁଷ୍ଠରୋଗୀ ଥାଆନ୍ତି ତେବେ ଚିକିତ୍ସାରେ ବିଳମ୍ବ ହେଲେ ଏମାନେ ବିକଳାଙ୍ଗ ହୋଇଯିବା ସମ୍ଭାବନା ରହିଛି। ରାଜ୍ୟରେ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ହେବା ହାର ୨୦୧୫-୧୬ରେ ୧୩.୨ ଜଣ, ୨୦୧୮-୧୯ରେ ୭.୩ ଜଣ ଏବଂ ୨୦୨୦-୨୧ରେ ୩.୭ଜଣ କୁଷ୍ଠରୋଗୀ ଚିକିତ୍ସିତ ହୋଇ ମଧ୍ୟ ଭିନ୍ନକ୍ଷମ ହୋଇଛନ୍ତି।

ଭାରତରେ ୯୮ପ୍ରତିଶତକୁ କୁଷ୍ଠରୋଗ ହ୍ରାସ କରାଯାଇ ପାରିଛି। ଭାରତର ୭୨୪ ଜିଲାରୁ ୬୬୩ ଜିଲାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ଜଣେ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ୬୧ ଜିଲାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧ରୁ ୫ ନୂଆ କୁଷ୍ଠରୋଗୀ ବାହାରୁଛନ୍ତି। ୨୦୨୦ରେ ଦେଶରୁ ୧୫୭୨ ନୂଆ କୁଷ୍ଠରୋଗୀ ଭିନ୍ନକ୍ଷମ ହୋଇଛନ୍ତି। ବିଳମ୍ବରେ ରୋଗ ଚିହ୍ନଟ ଯୋଗୁଁ ରୋଗୀ ଭିନ୍ନକ୍ଷମ ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧.୧ ଜଣ ନୂଆ କୁଷ୍ଠରୋଗୀ ଭିନ୍ନକ୍ଷମ ହେଉଛନ୍ତି। କେନ୍ଦ୍ର ସରକାର ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ଜଣେ ଭିନ୍ନକ୍ଷମକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖି କୁଷ୍ଠରୋଗ ଚିହ୍ନଟ ଏବଂ ଚିକିତ୍ସାକୁ ପ୍ରାଥମିକତା ଦେଉଛନ୍ତି। ବାପୁଜୀଙ୍କ ଲକ୍ଷ୍ୟକୁ ସାଧିତ କରିବା ନିମନ୍ତେ ୨୦୨୨ ସୁଦ୍ଧା ୪୦ କୋଟି ଲୋକଙ୍କ ଘରକୁ ଘର ସ୍ବାସ୍ଥ୍ୟ କର୍ମୀ ବୁଲି କୁଷ୍ଠରୋଗ ଚିହ୍ନଟ ଓ ଚିକିତ୍ସାକୁ ଗୁରୁତ୍ବ ଦେଇଛନ୍ତି। ଏନେଇ ଆଞ୍ଚଳିକ କୁଷ୍ଠ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ରର ଉପନିର୍ଦେଶକ ଡ. ବିଶ୍ବରଞ୍ଜନ ଦାସ କହିଛନ୍ତି, ୧୯୮୩ରେ ଏମଡିଟି ଔଷଧ ଆସିବା ପରେ ସ୍ଥିତିରେ ସୁଧାର ଆସିଛି। କୁଷ୍ଠରୋଗୀଙ୍କୁ ଚିକିତ୍ସା ପାଇଁ ଔଷଧ ଉପଲବ୍ଧ ହୋଇ ପାରିଛି ସତ ହେଲେ ରୋଗୀ ବିଳମ୍ବରେ ଡାକ୍ତରଖାନାକୁ ଆସୁଥିବାରୁ ଅନେକ ରୋଗୀ ଚିକିତ୍ସିତ ହେଲେ ମଧ୍ୟ ସେମାନଙ୍କ ବଧିରା ଦୋଷ ଭଲ ହେଉନାହିଁ। ଛଉ ଅବସ୍ଥାରେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସିତ ହେଲେ ଜୀବାଣୁକୁ ସମୂଳେ ବିନାଶ କରାଯାଇ ପାରିବ। ଲୋକ ସ୍ବାଭାବିକ ଭାବେ ଜୀବନ ନିର୍ବାହ କରିବ। ଉଭୟ ସରକାର ରୋଗ ନିୟନ୍ତ୍ରଣ ସହିତ ବଧିରା ଏବଂ ବିକଳାଙ୍ଗ ସଂଖ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। କୁଷ୍ଠ ଏକ ଜୀବାଣୁ ଜନିତ ରୋଗ। ଏହା ରୋଗୀର ନିଶ୍ବାସ ପ୍ରଶ୍ବାସରୁ ଯାଇ ସୁସ୍ଥ ଲୋକ ଶରୀରକୁ ପ୍ରବେଶ କରିଥାଏ। ସୁସ୍ଥ ଲୋକ ଚର୍ମରେ ଛଉ ସୃଷ୍ଟି ହେବା ସହ ଛଉ ଧୀରେ ଧୀରେ ବଧିରା ହୋଇଯାଏ। ପରବର୍ତ୍ତୀ ସମୟରେ ହାତ, ଗୋଡ଼ ଏବଂ ଆଖିର ସ୍ନାୟୁରେ ବ୍ୟତିକ୍ରମ ଆସିଥାଏ।

Comments are closed.