ଚିତାବାଘ ଆକ୍ରମଣରେ ଗଛତଳେ ଧ୍ୟାନ କରୁଥିବା  ବୌଦ୍ଧ ସନ୍ୟାସୀ  ମୃତ

0

ପୁଣେ . – ମହାରାଷ୍ଟ୍ରର ତାଦୋବା ବାଘ୍ର ସଂରକ୍ଷଣ  ଜଙ୍ଗଲରେ ଚିତା ବାଘ ଆକ୍ରମଣରେ ରାହୁଲ ଓ୍ୱାଲକେ ନାମକ ଜଣେ ବୌଦ୍ଧ ସନ୍ୟାସୀଙ୍କର ମୃତ୍ୟୁ ହୋଇଛି । ସେ ଜଙ୍ଗଲର ଏକ ଗଛ ତଳେ ଧ୍ୟାନ କରୁଥିବା ବେଳେ ଚିତା ବାଘ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି  । ଗତ ଏକ ମାସ ହେବ ଏହି ବୌଦ୍ଧ ସନ୍ୟାସୀ ଜଙ୍ଗଲରେ ତପସ୍ୟା କରୁଥିଲେ ।

ମଙ୍ଗଳବାରରେ  ତାଙ୍କୁ ଖାଦ୍ୟ ଓ ପିଇବା ପାଣି ଯୋଗାଉଥିବା ଆଉ ଦୁଇ ଜଣ ସନ୍ୟାସୀ ତାଙ୍କର ତପସ୍ୟା କରୁଥିବା ସ୍ଥାନରେ ପହଞ୍ଚି  ରାହୁଲଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ । ତୁରନ୍ତ ରାହୁଲଙ୍କୁ ସେମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେତେବେଳକୁ ରାହୁଲଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାପରେ ବନ ବିଭାଗ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ୧୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଜଙ୍ଗଲ ଭିତରକୁ ନ ଯିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ  ସତର୍କ କରାଯାଇଛି ।

ପୂର୍ବରୁ ରାହୁଲଙ୍କୁ ସେଠାରେ ତପସ୍ୟା ନ କରିବା ପାଇଁ ବନ ବିଭାଗର କର୍ମଚାରୀ ସତର୍କ କରାଇଥିଲେ । ଜଙ୍ଗଲ ଭିତରେ ଏକ ବୌଦ୍ଧ ମନ୍ଦିର  ରହିଛି । ରାହୁଲ ମନ୍ଦିରଠାରୁ କିଛି ଦୂରରେ ତପସ୍ୟା କରୁଥିଲେ । ଏବେ ବନ ବିଭାଗ ପକ୍ଷରୁ ଯନ୍ତା ବସାଯାଇ ଏହି ଚିତା ବାଘକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।  ଚିତାବାଘର ଗତି ବିଧି ଉପରେ ନଜର ରଖିବା ପାଇଁ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଯାଇଛି । ଦରକାର ପଡିଲେ ନିଶ୍ଚେତକ ଦିଆଯାଇ ଏହି ଚିତାବାଘକୁ କାବୁ କରାଯିବ ବୋଲି ମହାରାଷ୍ଟ୍ର ବନ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି।

ତାଦୋବା ଅଭୟାରଣ୍ୟ( ବାଘ୍ର ସଂରକ୍ଷଣ)ରେ ୮୮ଟି ମହାବଳ ବାଘ ସହ ଚିତା ବାଘ , ଭାଲୁ ଓ ଅନେକ ଗଧିଆ ରହିଛନ୍ତି ।

Leave A Reply