ଲେମ୍ବୁ ଅମୂଲ ମୂଲ: ଗୋଟା ୧୦ଟଙ୍କା – ଖାଉଚି କିଏ – ପରଷୁଛି କିଏ

କଟକ: ‘‘ଓଡ଼ିଶା ପରିବା ଉତ୍ପାଦନରେ ସ୍ୱାବଲମ୍ବୀ। ଲେମ୍ବୁ ଓ ପାଳ ଛତୁ ଉତ୍ପାଦନରେ ଓଡ଼ିଶା ପ୍ରଥମ। ରାଜ୍ୟ ବାଇଗଣ ଉତ୍ପାଦନରେ ଦେଶରେ ଦ୍ୱିତୀୟ। ଚାଉଳ ଉତ୍ପାଦନରେ ଭାରତର ପ୍ରମୁଖ ରାଜ୍ୟ ଗୁଡ଼ିକ ଭିତରେ ଚତୁର୍ଥ। ଏ ବର୍ଷ ଚାଉଳ ରପ୍ତାନି ୧୦୦୦ ଟନ୍‌ ଟପିଯିବ। ଅଦିନିଆ ବର୍ଷା ଚାଷରେ ବାଧା ସୃଷ୍ଟି କରିଛି। ତଥାପି ଚାଷକୁ କିପରି ଅଧିକ ଲୋକ ଆସିବେ ଓ ସେମାନଙ୍କୁ ରୋଜଗାରକ୍ଷମ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ରାଜ୍ୟରେ ଅଧିକ ଶୀତଳ ଭଣ୍ଡାର ସହିତ ଅନ୍ୟାନ୍ୟ ସଂରକ୍ଷଣ ସୁବିଧା ସୃଷ୍ଟି କରାଯାଉଛି।’’

ସପ୍ତାହକ ତଳେ ପବିତ୍ର ବିଧାନସଭା ଗୃହରେ ଓଡ଼ିଶା କୃଷି ଉତ୍ପାଦନ ନେଇ ଏଭଳି ଦମ୍ଭୋକ୍ତି ଓ ସଫଳତାର ଗୋଲାପୀ ଚିତ୍ର ରଖିଥିଲେ ଖୋଦ୍‌ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ବଜାରରେ ପରିବା ଦର ଏବେ କ’ଣ ରହିଛି ତାହା ବୋଧହୁଏ ମନ୍ତ୍ରୀ ଉପଲବ୍ଧି କରିନାହାନ୍ତି। ଯେଉଁ ବାଇଗଣ ଉତ୍ପାଦନରେ ଓଡ଼ିଶା ଦେଶରେ ଦ୍ବିତୀୟ ବୋଲି ସେ କହୁଛନ୍ତି ତା’ର ବଜାର ଦର ଏବେ କିଲୋପ୍ରତି ୪୦ରୁ ୫୦ ଟଙ୍କାରୁ ଖସୁନି। କାଗଜ କଲମରେ ଚାଲିଥିବା ଲେମ୍ବୁ ଚାଷର ପ୍ରକୃତ ରହସ୍ୟ ଏବେ ବଜାର ସ୍ଥିତି ଖୋଲି ଦେଇଛି। କାରଣ ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ। ଗୋଟା ପ୍ରତି ଲେମ୍ବୁ ମୂଲ୍ୟ ଏବେ ୮ରୁ ୧୦ ଟଙ୍କା ଛୁଇଁଛି। ଯାହା କେବେ କାନ ଉଠିଲାଠୁ ଶୁଣାଯାଇ ନ ଥିଲା। ଓଡ଼ିଆଙ୍କ ପଖାଳ କଂସାରୁ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାଧାରଣ ଲେମ୍ବୁ ଉଭାନ ହୋଇଯାଇଛି।

ଓଡ଼ିଶା ଲେମ୍ବୁ ଉତ୍ପାଦନରେ ଆତ୍ମନର୍ଭର ହୋଇଥିବାରୁ ଆଉ ପଡୋଶୀ ଆନ୍ଧ୍ରପ୍ରଦେଶ କି ତେଲେଙ୍ଗାନା ଉପରେ ଆମକୁ ନିର୍ଭର କରିବାକୁ ପଡୁନି। ପଡୋଶୀ ରାଜ୍ୟକୁ ବି ଲେମ୍ବୁ ରତ୍ପାନି କରାଯାଉଛି ବୋଲି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। କୃଷିମନ୍ତ୍ରୀଙ୍କ ବକ୍ତବ୍ୟର ସତ୍ୟତା ବଜାରକୁ ଗଲେ ଏବେ ହାଡେ ହାଡେ ହୃଦୟଙ୍ଗମ କରିହେଉଛି। ଗ୍ରୀଷ୍ମଦିନ ପାଇଁ ଯେଉଁଠି ଖାଉଟି ବ୍ୟାଗରେ ଗଣ୍ଡାଏ ଦିଗଣ୍ଡା ଲେମ୍ବୁ ପକାଉଥିଲା; ପରିବା କିଣିବା ପରେ କଞ୍ଚାଲଙ୍କା ଭଳି ବେପାରୀଟି ଗ୍ରାହକଙ୍କୁ ଗୋଟିଏ ଦୁଇଟି ଲେମ୍ବୁ ମାଗଣାରେ ଦେଉଥିଲା ସେ ସ୍ଥିତି ପୂରା ବଦଳିଯାଇଛି। ଏବେ ଗୋଟିଏ ଲେମ୍ବୁ କିଣିବାକୁ ମଧ୍ୟ ଜଣେ ଗ୍ରାହକ ଭୟ କରୁଛି। ରାଜ୍ୟର ପ୍ରମୁଖ ପରିବା ମଣ୍ଡି କୁହାଯାଉଥିବା ଛତ୍ରବଜାରରେ ବି ଲେମ୍ବୁ ଦର ଆକାଶଛୁଆଁ। ଯେଉଁଠି କିଲୋ ଦରରେ ଲେମ୍ବୁ ବିକ୍ରି ହେଉଥିଲା, ସେଠି ଏବେ ଗୋଟା ଗଣତିରେ ବିକ୍ରି କରାଯାଉଛି। ଖୋଲା ବଜାରରେ ଲେମ୍ବୁ ଗୋଟା ୮ଟଙ୍କାରୁ ୧୦ଟଙ୍କାରେ ବିକ୍ରି ହେଉଛି। ରକେଟ୍‌ ଭଳି ପ୍ରତିଦିନ ଲେମ୍ବୁ ମୂଲ୍ୟ ବଢ଼ିଚାଲିଛି। ତେଲ ଦର ପରି ଲେମ୍ବୁର ଅନିୟନ୍ତ୍ରିତ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ପରିବା ସମେତ ଲେମ୍ବୁ ପାଇଁ ଓଡ଼ିଶା ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଉପରେ ନିର୍ଭର କରୁଥିଲା। ଆନ୍ଧ୍ରର କୁନ୍ନୁର ଓ ବେଙ୍ଗାଲୁରୁରୁ ଲେମ୍ବୁ ଓଡ଼ିଶାକୁ ଆସୁଥିଲା। ରାଜ୍ୟର ବରଗଡ଼, ଅନୁଗୋଳ, କେନ୍ଦୁଝର ଆଦି ଅଞ୍ଚଳରେ ମଧ୍ୟ ଲେମ୍ବୁ ଚାଷ କରାଯାଉଛି। ପ୍ରତିଦିନ ଓଡ଼ିଶାର ଏହି ସବୁ ଅଞ୍ଚଳରୁ କେବଳ ଛତ୍ରବଜାରକୁ ୨୦୦ରୁ ୩୦୦ ବସ୍ତା ଲେମ୍ବୁ ଆସିଥାଏ। ଏହି ଲେମ୍ବୁ ଛତ୍ରବଜାରରୁ କଟକ ସମେତ ଉପକୂଳବର୍ତ୍ତୀ ଜିଲାଗୁଡିକୁ ଯୋଗାଣ କରାଯାଇଥାଏ। ଚଳିତବର୍ଷ ଛତ୍ର ବଜାରକୁ ବରଗଡ଼, ଅନୁଗୋଳ କିମ୍ବା କେନ୍ଦୁଝରରୁ ଲେମ୍ବୁ ଆସୁନାହିଁ। ଆନ୍ଧ୍ରପ୍ରଦେଶ କି ତେଲଙ୍ଗାନାର ଲେମ୍ବୁ ବି ଛତ୍ରବଜାରରେ ମିଳୁନାହିଁ। ଛତ୍ରବଜାରରେ ପର୍ଯ୍ୟାପ୍ତ ଲେମ୍ବୁ ମିଳୁ ନ ଥିବାରୁ ପ୍ରତିଦିନ ଲେମ୍ବୁ ଦର ବଢ଼ି ଚାଲିଛି। ସପ୍ତାହ ପୂର୍ବେ ଛତ୍ରବଜାରରେ ୨୦ ଟଙ୍କାରେ ୬ରୁ ୮ଟା ଲେମ୍ବୁ ମିଳୁଥିବାବେଳେ ଏବେ ଲେମ୍ବୁ ଗୋଟା ୬ରୁ ୮ଟଙ୍କାରେ ବିକ୍ରି ହେଉଛି। ଖୋଲା ବଜାରରେ ଏହା ଗୋଟାକୁ ୧୦ଟଙ୍କାରେ ପହଞ୍ଚିଲାଣି। ଗ୍ରୀଷ୍ମକାଳରେ ଆଗନ୍ତୁକଙ୍କ ପାଇଁ ଲେମ୍ବୁ ସରବତ୍‌ ଅତିଥି ଚର୍ଚ୍ଚାର ଏକ ପାରମ୍ପରିକ ଧାରା ରହିଆସିଛି। ମାତ୍ର ଲେମ୍ବୁର ଭାଉ ଏତେ ବଢିଛି ଯେ, ଗୃହକର୍ତ୍ତା ଲେମ୍ବୁପଣା ପରିବର୍ତ୍ତେ ଏବେ ମୃଦୁ ପାନୀୟ (ଥଣ୍ଡା) ଦେବାକୁ ଉଚିତ ମଣିଲେଣି। ଖରାଦିନେ ଗରିବଠାରୁ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ପସନ୍ଦଯୋଗ୍ୟ ଖାଦ୍ୟ ପଖାଳ ପାଇଁ ମଧ୍ୟ ଲେମ୍ବୁ ଅଭାବ ପଡିଛି। ଏମିତି ଆଳୁ ଓ ଅନ୍ୟାନ୍ୟ ସବୁଜ ପନିପରିବା ଦର ଆକାଶ ଛୁଇଁ ହୋଇଥିବାବେଳେ ପ୍ରତିଦିନ ଲେମ୍ବୁ ମୂଲ୍ୟ ଅହେତୁକ ଭାବେ ବଢ଼ୁଥିବାରୁ ସାଧାରଣ ଗ୍ରାହକ ମୁଣ୍ଡରେ ହାତ ଦେଇବସିଲାଣି।

ଗତ ୩୦ ତାରିଖରେ କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ ପ୍ରସଙ୍ଗରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଉପରୋକ୍ତ ତଥ୍ୟ ରଖିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ପରିବା ସଂରକ୍ଷଣ ପାଇଁ ୪ଟି ଶୀତଳଭଣ୍ଡାର ରହିଛି। ସେଗୁଡ଼ିକର ଆହରଣ କ୍ଷମତା ୪୨୦୦ ମେଟ୍ରିକ ଟନ୍‍। କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳଭଣ୍ଡାର ଅଛି। ସେଥିରୁ ୧୩ଟି ଅଚଳ। ଶୀତଳଭଣ୍ଡାର ନଥିବାରୁ ରାଜ୍ୟରେ ଉତ୍ପାଦିତ ଫଳ ଓ ପନିପରିବା ନଷ୍ଟ ହେବାର ନଜିର ସରକାରଙ୍କ ଦୃଷ୍ଟିକୁ ଆସିନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।

କୃଷିମନ୍ତ୍ରୀଙ୍କୁ ଏବେ ସାଧାରଣ ନାଗରିକଙ୍କ ପ୍ରଶ୍ନ ଯଦି ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ ତାହେଲେ, ଉତ୍ପାଦିତ ଲେମ୍ବୁ ଏତେ ମହରଗ ହେଲା କାହିଁକି ? ଏବେ ତାହା ହଜିଗଲାଣି ଓଡ଼ିଆଙ୍କ ଖାଦ୍ୟ ପରସାରୁ।
ଏଣେ ମୂଲ୍ୟ ନିୟନ୍ତ୍ରଣ କରିବାରେ ସରକାରଙ୍କ ଅପାରଗପଣିଆ ଯୋଗୁଁ କଳାବଜାରୀ ଲେମ୍ବୁର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହୋଇଥିବାବେଳେ କଣ ପାଇଁ ଲେମ୍ବୁ ମୂଲ୍ୟ ବଢ଼ିଚାଲିଛି, ସେ ଉତ୍ତର ଜିଲା ପ୍ରଶାସନ କି କୃଷି ବିଭାଗ ନିକଟରେ ନାହିଁ। ବଜାରକୁ ପର୍ଯ୍ୟାପ୍ତ ଲେମ୍ବୁ ଆସିପାରୁ ନ ଥିବାରୁ ମୂଲ୍ୟ ଅଧିକ ରହିଥିବା ଜଣେ ଜିଲା କୃଷି ବିଭାଗର ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର ସାହୁଙ୍କୁ ପଚାରିବାରୁ ବରଗଡ଼, ଅନୁଗୋଳ ଏବଂ କେନ୍ଦୁଝର ଲେମ୍ବୁ ଉତ୍ପାଦନର ପ୍ରମୁଖ ଜିଲା ହୋଇଥିବାବେଳେ ଚଳିତବର୍ଷ ସେଠାରୁ ପର୍ଯ୍ୟାପ୍ତ ଲେମ୍ବୁ ଆସୁ ନ ଥିବାରୁ ମୂଲ୍ୟ ବୃଦ୍ଧି ଘଟୁଥିବା ସେ କହିଛନ୍ତି।

Comments are closed.