ବଲିଉଡର ‘ଟ୍ରାଜେଡି କିଙ୍ଗ’ ବର୍ଷିଆନ ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ପରଲୋକ

ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ମୁମ୍ବଇ: ବଲିଉଡର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ବର୍ଷିଆନ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ମୁମ୍ବଇର ହିନ୍ଦୁଜା ହାସପାତାଳରେ ଜୁନ ୩୦ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୃତ୍ରିମ ଶ୍ୱାସଯନ୍ତ୍ର ଚିକିତ୍ସାରେ ରଖାଯାଇଥିଲା । ଦିଲୀପ କୁମାର ହାସପାତାଳରେ ଭର୍ତ୍ତି ହେବା ଦିନଠାରୁ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେ ପାଖେ ରହିଥିଲେ । ତେବେ ବୁଧବାର ସକାଳ ୭.୩୦ରେ ତାଙ୍କର ପରଲୋକ ଘଟିଛି ।
୧୯୪୪ରେ ‘ଜ୍ୱାର ଭଟ୍ଟା’ ଚଳଚ୍ଚିତ୍ରରୁ ସେ ତାଙ୍କର ପ୍ରଥମ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେହି ଚଳଚ୍ଚିତ୍ରରେ ତାଙ୍କ ସହିତ ଶମିମ୍‍ ବାନୋ ଅଭିନୟ କରିଥିଲେ । ଏଥିସହିତ ମୁଗଲ-ଇ-ଆଜମ୍‍, ଗଙ୍ଗା ଯୁମନା, ମଶାଲ ଆଦି ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ବେଶ୍‍ ପ୍ରିୟଭାଜନ ହୋଇଥିଲେ । ତାହାସହିତ ତାଙ୍କ ଅଭିନୀତ ପ୍ରଭାବଶାଳୀ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ଦେବଦାସ, ରାମ୍‍ ଔର ଶ୍ୟାମ, କର୍ମା, ସୌଦାଗର, ଲିଡର, ମଧୁମତୀ, ବିଧାତା, କ୍ରାନ୍ତି ଆଦି ରହିଛି । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ । ଏହା ୧୯୯୮ରେ ମୁକ୍ତିଲାଭ କରିଥିଲା । ୧୯୯୪ରେ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‍କେ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିଲା । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ସେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ରହିଥିଲେ । ଏଥିସହିତ ଦିଲୀପ କୁମାର ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ ।
ଦିଲୀପ କୁମାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଦିଲୀପ କୁମାର ଜଣେ କିମ୍ବଦନ୍ତୀ ଅଭିନେତା ଭାବରେ ଚିର ସ୍ମରଣୀୟ ହୋଇ ରହିବେ । ତାଙ୍କ ନିକଟରେ ଅତୁଳନୀୟ ଅଭିନୟ ଚାତୁରୀ ରହିଥିଲା, ଯେଉଁଥିପାଇଁ ପିଢି ପରେ ପିଢି ଦର୍ଶକମାନଙ୍କୁ ସେ ନିଜ ଅଭିନୟରେ ସମ୍ମୋହିତ କରି ରଖିପାରିଥିଲେ । ତାଙ୍କର ବିୟୋଗ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଥିସହିତ ପ୍ରଧାନମନ୍ତ୍ରୀ ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଏବଂ ସାନ୍ତ୍ୱନା ଜଣାଇଛନ୍ତି ।

Comments are closed.