ନିମ୍ନ ମାନର ରାସ୍ତା କାମ : ତଦନ୍ତ କଲେ ଅଧୀକ୍ଷଣ ଯନ୍ତ୍ରୀ

ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ଗ୍ରାମବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମ୍ମା ସ୍ଥିତ ବସଷ୍ଟାଣ୍ଡ ଠାରୁ କେଜଗା ଡୋକଣା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ଏପରିକି ନିର୍ମାଣ କାର୍ଯ୍ୟ ନସରୁଣୁ ରାସ୍ତା ଫାଟି ଆଁ କରିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ବିଭାଗୀୟ ସଚିବଙ୍କୁ ମଧ୍ୟ ଟୁଇଟ୍ କରି ଅଞ୍ଚଳର କିଛି ଯୁବକ ଅବଗତ କରାଇଥିଲେ। ବିଭାଗୀୟ ସଚିବ ଅବଗତ ହୋଇ ନିମ୍ନ ମାନର ସଡ଼କ ନିର୍ମାଣ ହୋଇଥିବା ହୃଦବୋଧ ହେବାପରେ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଏହାର ତଦନ୍ତ ପାଇଁ ସୁନାବେଡା ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ଆର କେ ମହାରଣାଙ୍କୁ କାମର ମାନ ପରଖିବା ସହିତ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ଶ୍ରୀ ମହାରଣା ଲକ୍ଷ୍ମୀପୁରରେ ପହଞ୍ଚି କାର୍ଯ୍ୟର ତଦାରଖ କରି ନିର୍ମାଣ କାର୍ଯ୍ୟ ଯେଉଁ ଭଳି ହେବା କଥା ହୋଇନାହିଁ ବୋଲି ହୃଦବୋଧ କରି ତଦନ୍ତ ରିପୋର୍ଟ ପଠାଇବେ ବୋଲି କହିଛନ୍ତି। ଏପରିକି ଏନବିସିସି ପକ୍ଷରୁ ଏହି ରାସ୍ତା ନିର୍ମାଣ ହୋଇଥିବା କହିବା ସହିତ ତାଙ୍କର ଜଣେ ନିର୍ବାହୀ ଯନ୍ତ୍ରୀ ଅଛନ୍ତି ତଦାରଖ କରିବା ସହିତ ଚେକ୍ ମେଜର ମେଣ୍ଟ କରିବା ପାଇଁ। କିନ୍ତୁ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେବା ପରେ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବାରୁ ମୁଁ ମୋର ରିପୋର୍ଟ ପଠାଇବି ବୋଲି କହିଥିଲେ। ତେବେ ଅଞ୍ଚଳବାସୀ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିବା ସହିତ ଏନବିସିସିର ଅଧିକାରୀ ଓ ସମ୍ପୃ୍କ୍ତ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂଚନା ଯୋଗ୍ୟ, ଉକ୍ତ ଠିକା ସଂସ୍ଥା କେବଳ ଯେ ଏହି କାର୍ଯ୍ୟ ନିମ୍ନ ମାନର କରିଛନ୍ତି ତାହା ନୁହେଁ ବ୍ଲକର ଅନ୍ୟ ସ୍ଥାନରେ ଏହିଭଳି କାର୍ଯ୍ୟମାନ କରିଥିବା ଅଭିଯୋଗ ହେବା ସହିତ ସେଗୁଡ଼ିକର ମାନ ପରଖାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.