ଲକ୍ଷ୍ମୀପୁରରେ ରଥଯାତ୍ରା ସମ୍ପନ୍ନ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଶାନ୍ତି ଶୃଙ୍ଖଳାର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ମଇଲମ, ସୂର୍ଯ୍ୟ ପୂଜା ସହିତ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି। ପରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ଅଧିକାରୀ ରଥ ଉପରେ ଛେରାପହଁରା କରିଥିଲେ। ବର୍ଷ ତମାମ ଠାକୁରଙ୍କ ସେବା କରୁଥିବା ଏବଂ ରଥ ନିର୍ମାଣ କାର୍ଯ୍ୟ କରିଥିବା ବିଶ୍ବକର୍ମା ମହାରଣାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ଆରମ୍ଭ ହୋଇଥିଲା ରଥ ଟଣା। ପୁରପଲ୍ଲୀରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ସମ୍ମୁଖରେ ସଂକୀର୍ତ୍ତନ ମଣ୍ଡଳୀ ହରିନାମ ଗାନକରି ଯାଉଥିଲେ। ରାସ୍ତାରେ ଗଲାବେଳେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଭକ୍ତମାନେ ଭୋଗ ଅର୍ପଣ କରିଥିଲେ। ଧନେଶ୍ଵର ରାଉତ ଡାହୁକ କାର୍ଯ୍ୟ ନିର୍ବାହ କରିଥିଲେ। ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ଅପରାହ୍ଣ ୬ଟା ଭିତରେ ରଥ ମାଉସୀ ମା ମନ୍ଦିର ରେ ପହଞ୍ଚିଥିଲା। ଦୁଇ ବର୍ଷ ହେଲା କରୋନା କାରଣରୁ ରଥ ବନ୍ଦ ଥିଲାବେଳେ ଚଳିତ ବର୍ଷ ସ୍ବାଭାବିକ ଅବସ୍ଥା ଫେରିଥିବାରୁ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଶ୍ବିନୀ କୁମାର ନାୟକ, ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ପୁଲିସ ଯବାନଙ୍କୁ ମୁତୟନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ରାଇଗୁର, ପୂର୍ବତନ ସାଂସଦ ଝିନ ହିକକା ମଧ୍ୟ ଯୋଗଦେଇ ରଥ ଟାଣିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେହିପରି କାକିରିଗୁମାରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି।

Comments are closed.