ମହୁଲର ବାସ୍ନାରେ ମହକୁଛି ବଣମୁଲକଠାରୁ ପୁରପଲ୍ଲୀ

ଲକ୍ଷ୍ମୀପୁର : ଝଡ଼ିଲାଣି ମହୁଲ। ଏହାର ବାସ୍ନାରେ ବଣମୁଲକଠାରୁ ଆରମ୍ବ କରି ମହକୁଛି ପୁରପଲ୍ଲୀ। ଅବିଭକ୍ତ କୋରାପୁଟ ଜିଲାର ବଣପାହାଡ଼ ଘେରା ଇଲାକାରେ ରହୁଥିବା ଆଦିମ ଜନଜାତିର ଲୋକେ ବିଶେଷକରି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ତା’ମଧ୍ୟରେ ମହୁଲ ଏକ ଅନ୍ୟତମ ବନଜାତ ଦ୍ରବ୍ୟ। ବିଶେଷକରି ଫଗୁଣ ଓ ଚଇତ୍ର ଦୁଇମାସ ଧରି ଏହି ଜିଲାର ଆଦୀବାସୀମାନେ ମହୁଲ ସାଉଣ୍ଟିବା କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ଗାଁ’ ଠାରୁ ଦୂରରେ ଜଙ୍ଗଲରେ ଥିବା ମହୁଲ ଗଛ ମୂଳକୁ ପ୍ରତିଦିନ ଚାଲିଯା’ନ୍ତି ମହୁଲ ସାଉଣ୍ଟିିବା ପାଇଁ। ବଣ-ପାହାଡ଼ରେ ଥିବା ମହୁଲ ଗଛଗୁଡ଼ିକ କେଉଁଠି କାହାର ଅଛି ତାହା ସୋନଙ୍କ ପୁବର୍ପୁରଷ ମାନେ ନିର୍ଦ୍ଧାରିତ କରିଯାଇଛନ୍ତି। ଦୁଇମାସ ଧରି ଏହି ଇଲାକାର ଆଦିମ ଜନଜାତିର ହିଳା ଓ ପୁରୁଷମାନେ ସେମାନଙ୍କ ପିଲା ଛୁଆଙ୍କୁ ଧରି ବଡ଼ି ଭୋରରୁ ବାହାରି ପଡିଥାନ୍ତି। ଗଲାବେଳେ ସାଙ୍ଗରେ ମାଣ୍ଡିଆ ପେଜ ସହିତ କେହି କେହି ରାତିର ବାସି ଭାତ ନେଇ ଯାଇଥାନ୍ତି ଖାଇବାକୁ। ମହୁଲ ତଳେ ପଡ଼ିଲା ପରେ କାଳେ ସେଗୁଡ଼ିକୁ ଗାଇଗୋରୁମାନେ ଖାଇ ଦେବେ ସେଥିପାଇଁ ପ୍ରଥମେ ଗଛ ମୂଳରେ ଜଗି ରହିଥା’ନ୍ତି। ଖରା ପଡ଼ିଲେ ଅଧିକରୁ ଅଧିକ ମହୁଲ ଝଡ଼ିବା ଆରମ୍ଭ ହୁଏ। ମହୁଲଗୁଡ଼ିକ ତଳେ ଯାହା ପଡ଼େ ତାହାକୁ ସେମାନେ ଜଗିରହି ବୁଲି ବୁଲି ଗୋଟି ଗୋଟି କରି ସାଉଣ୍ଟି ଥାନ୍ତି। ଅପରାହ୍ଣ ପ୍ରାୟ ୧୨ଟା ବେଳକୁ ସେଗୁଡ଼ିକୁ ଏକତ୍ର କରି ସାଙ୍ଗରେ ନେଇ ଘରକୁ ଫେରିଥାନ୍ତି। ତା’ପରେ ସେଗୁଡ଼ିକୁ ଘର ଦାଣ୍ଡରେ କିମ୍ବା ଚାଳ ଉପେରେ ସୁଖାଇ ଗାଧୁଆ ପ।।ଧୁଆ କରି ଖିଆପିଆ କରିଥାନ୍ତି। କିଛି ସମୟ ପରେ ପୁଣି ବାହାରି ପଡି଼ଥାନ୍ତିି ଜଙ୍ଗଲର ମହଲ ଗଛ ମୂଳକୁ। ପୁଣି ଜଗି ରହି ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ମହୁଲ ଗୋଟାଇ ଘରକୁ ଫେରିଥାନ୍ତି। ସଂଗୃହିତ ଗୋଟିଏ ଦିନର ମହୁଲକୁ ପ୍ରାୟ ୩ଦିନ ଧରି ସୁଖାଇ ସେଗୁଡ଼ିକ ସାଇତି ରଖିଥାନ୍ତି। ଗୋଟାଇଥିବା ମହୁଲ ସୁଖିଗଲା ପରେ ଅଢେଇ କିଲୋକୁ ପ୍ରାୟ ୧କିଲୋ ହୋଇଯାଏ। ଦିନକୁ ଜଣେ ପ୍ରାୟ ୫ରୁ ୧୦ ପର୍ଯ୍ୟନ୍ତ କଞ୍ଚା ମହୁଲ ସାଉଣ୍ଟି ଥାଏ। ସେହିପରି ଗୋଟିଏ ଗୋଟିଏ ପରିବାର ମିଶି ୨୦ରୁ୨୫କିଗ୍ରା ମହୁଲ ସଂଗ୍ରହ କରିଥାନ୍ତି। ଆଦିମ ଜନଜାତିର ଲୋକେ ମହୁଲକୁ ଏକ ଲାଭ ଦାୟକ ଅର୍ଥ ଉପାର୍ଜନ କାରୀ ବନଜାତ ଦ୍ରବ୍ୟ ଭାବେ ଗ୍ରହଣ କରିଥାନ୍ତି। ତା’ସହିତ ଏମାନେ ଜଙ୍ଗଲରେ ଯେକୌଣସି ଗଛକୁ ଜାଳେଣି ହେଉ ଅବା ନିଜର ଆବଶ୍ୟକତା ପାଇଁ ହାଣିବା ସହିତ ପୋଡ଼ୁଚାଷ ସମୟରେ ନିଆଁ ଲଗାଇ ନଷ୍ଟ କରୁଥିଲେ ମଧ୍ୟ ତେନ୍ତୁଳି, ଆମ୍ବ, ପଣସ ଭଳି ମହୁଲ ଗଛକୁ କାଟନ୍ତି ନାହିଁ କିମ୍ବା ନିଆଁ ଲଗାଇ ନଷ୍ଟ କରନ୍ତି ନାହିଁ। ଏହିସବୁ ଗଛର ଫଳରୁ ବର୍ଷକରେ ପ୍ରାୟ ୬ମାସ ପାଇଁ ତେଲ-ଲୁଣ ଖର୍ଚ୍ଚ ଉପାର୍ଜନ କରିଥାନ୍ତି। ପୁର୍ବରୁ ତେନ୍ତୁଲି ଆମ୍ବ ଆଦି ଦ୍ରବ୍ୟଗୁଡ଼ିକୁ ବଦଳ କରି ଲୁଣ, ସୁଖିଲା ଲଙ୍କା, ଶୁଖୁଆ, ଗୁଡ଼ାଖୁ ଓ ଅନ୍ୟାନ୍ୟ କେତକ ଅତ୍ୟାବଶ୍ୟକ ଦ୍ରବ୍ୟ ରଖିଥାନ୍ତି। ହେଲେ ଆଗପରି ନଥିଲେ ମଧ୍ୟ ଏବେବି କିଛିକିଛି ସେଭଳି ପ୍ରଥା ଦୁର୍ଗମ ଅଞ୍ଚଳମାନଙ୍କରେ ଦେଖିବାକୁ ମିଳେ।

ଏହାକୁ ମୁଣ୍ଡରେ ମୁଣ୍ଡାଇ ଓ କାଉଡ଼ିରେ ବୋହି ଗାଁ ଗାଁରେ ମହିଳା ଓ ପୁରୁଷମାନେ ଅମଳ ବେଳେ ବେପାର ପାଇଁ ବୁଲିଥା’ନ୍ତି। ବିଶେଷକରି ଅବିଭକ୍ତ କୋରାପୁଟ ଜିଲାର କାଶୀପୁର, ରାୟଗଡ଼ା, ରାମନାଗୁଡା ବିଷମକଟକ, କଲ୍ୟାଣସିଂପୁର ବୈପାରୀଗୁଡ଼ା, ଲମତାପୁଟ ସମେତ ଲକ୍ଷ୍ମୀପୁର, ବନ୍ଧୁଗାଁ, ଦଶମନ୍ତପୁର ପଟ୍ଟାଙ୍ଗି ଆଦି ବ୍ଲକର ଜଙ୍ଗଲ ଅଞ୍ଚଳରେ ମହୁଲ ଗଛ ଗୁଡ଼ିକ ବହୁ ମାତ୍ରାରେ ଦେଖିବାକୁ ମିଳୁଥିବାରୁ ଦୁଇ ମାସ କାଳ ପିଲାଛୁଆ ଧରି ଲୋକେ ମହୁଲ ବେଟା(ସାଉଣ୍ଟା) କାର୍ଯ୍ୟରେ ବ୍ୟସ୍ଥ ରହିଥାନ୍ତି। ସେହିପରି ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା, ପିପଳପଦର, ବୁର୍ଜା, ଓଡ଼ିଆପେଣ୍ଠ, ପଞ୍ଚାୟତରେ ବହୁ ସଂଖ୍ୟାରେ ମହୁଲ ଗଛ ଥିବାବେଳେ ବନ୍ଧୁଗାଁ ବ୍ଲର ଗାରେଡ଼ି, କୁର୍ଟ୍ଟାବେଡ଼ା , କୁମ୍ଭାରୀପୁଟ , ଜାଗୁଗୁଡ଼ା ପଞ୍ଚାୟତ ଆଦି ବିଭିନ୍ନ ଜଙ୍ଗଲରେ ମହୁଲ ଗଛ ଅଧିକରୁ ଅଧିକ ଦଖିବାକୁ ମିଳିଥାଏ। ପୁରୁଷ ପୁରୁଷ ଧରି ମହୁଲ ସହିତ ଆଦିବାସୀମାନଙ୍କ ସମ୍ପର୍କ ଅତି ନିବିଡ଼। ପର୍ବପର୍ବାଣୀଠାରୁ ଆରମ୍ଭ କରି ବିବାହ, ଜନ୍ମ ଓ ମୃତ୍ୟୁ ପର୍ଯ୍ୟନ୍ତ ଆଦିମ ଜନଜାତିର ଲୋକଙ୍କ ପାଇଁ ମହୁଲି ମଦ ନହେଲେ ନଚଳେ। ଯାହା ଫଳରେ ଆବଶ୍ୟକତା ଥିବାବେଳେ ସାଇତି ରଖିଥିବା ମହୁଲକୁ ରାନ୍ଧି ମଦ ପ୍ରସ୍ତୁତ କରି ବନ୍ଧୁ, ପରିଜନ ଓ କୁଟୁମ୍ବ ଆଦିଙ୍କୁ ଆପ୍ୟାୟିତ କରିଥାନ୍ତି। ହେଲେ କେଉଁମାନେ ମହୁଲ କ୍ରୟ କରିବେ ତାହା ଠିକ୍‍ ସମୟରେ ସ୍ପଷ୍ଟ କରାଯାଉ ନଥିବାରୁ ଦଲାଲମାନେ ମାଲାମାଲ ହେଉଥିବାବେଳେ ଆଦିବାସୀମାନେ ତାର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି।

Comments are closed.