ଝାଡ଼ାବାନ୍ତି ପ୍ରବଣ ବିରିଗୁଡ଼ା ଗ୍ରାମରେ କେନ୍ଦ୍ରୀୟ ସୂକ୍ଷ୍ମ ଜୀବବିଜ୍ଞାନୀ ଟିମ୍

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗ୍ରାମରେ ପ୍ରାୟ ୧୫ଦିନ ମଧ୍ୟରେ ଝାଡାବାନ୍ତି ରୋଗରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଖବର ପ୍ରକାଶ ପରେ ଭ୍ରାମ୍ୟମାଣ ଚିକିତ୍ସା ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ପରଖିଥିବା ଜଣାପଡ଼ିଛି । ଗତ ବର୍ଷ ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି ରୋଗ ବ୍ୟାପୀ ବହୁ ଲୋକଙ୍କ ଜୀବନ ଯାଇଥିଲା । ଯେଉଁଥିପାଇଁ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ନାକେଦମ୍ ହୋଇଥିଲା । ଏହା ପ୍ରଥମେ ପଡୋଶୀ ରାୟଗଡା ଜିଲାର କାଶୀପୁର ବ୍ଲକରେ ବ୍ୟାପିବା ସହିତ ପରେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ଦେଖା ଦେଇଥିଲା । ଏପରିକି ଏହା ମହାମାରୀ ରୂପ ନେଇଥିଲା । ମାସାଧିକ କାଳ ଏହା ଲାଗି ରହିଥିଲା । ତେବେ ଚଳିତ ବର୍ଷ ଦଶମନ୍ତପୁର ବ୍ଲକରେ ପ୍ରଥମେ ଆରମ୍ଭ ହେବା ସହିତ ଲକ୍ଷ୍ମୀପୁର ବ୍ଲକର ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗ୍ରାମରେ ଆରମ୍ଭ ହୋଇ ପ୍ରାୟ ୧୫ ଦିନ ମଧ୍ୟରେ ୪ ଜଣଙ୍କ ଜୀବନ ଗଲାଣି । ଏଥିସହିତ ଅନେକ ଆକ୍ରାନ୍ତ ହୋଇଛନ୍ତି । ସୋମବାର ଏନେଇ ଖବର ପ୍ରସାରିତ ହେବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଥିବା ଜଣାପଡ଼ିଛି । ଏହି ଗ୍ରାମକୁ ଲକ୍ଷ୍ମୀପୁରର ଭ୍ରାମ୍ୟମାଣ ଚିକିତ୍ସା ପହଞ୍ଚି ମୃତକଙ୍କ ସମ୍ପର୍କରେ ପଚାରି ବୁଝିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା କରି ଔଷଧ ଦେଇଥିବା ଜଣାପଡ଼ିଛି । ସେହିପରି ସୂକ୍ଷ୍ମ ଜୀବବିଜ୍ଞାନୀ କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାମରେ ପହଞ୍ଚି ପରୀକ୍ଷା ପାଇଁ କିଛି ନମୂନା ନେଇଥିବା ଜଣାପଡିଛି ।

Comments are closed.