ପଦ୍ମପୁରକୁ ପ୍ରତିଶ୍ରୁତି ପରେ ବଢ଼ିଲା ୯ ଜିଲା ମାନ୍ୟତା ଦାବି

ନୂତନ ଜିଲା ଗଠନ ନେଇ ଚଳିତ ବିଧାନସଭା ଉପରେ ନଜର, ସାଧାରଣ ନିର୍ବାଚନ ପୂର୍ବରୁ ବଢ଼ିବ କି ଜିଲା ସଂଖ୍ୟା

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ସମୟରେ ଏହି ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସାର୍ବଜନୀନ ହେବା ପରେ ଅନ୍ୟୂନ ୧୪ ଉପଖଣ୍ଡକୁ ନୂଆ ଜିଲା ମାନ୍ୟତା ନେଇ ଦାବି ଉଠୁଛି। ଉପନିର୍ବାଚନକୁ ୪ମାସ ବିତି ଯାଇଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ପୁଣି ପଦ୍ମପୁର ଗସ୍ତ କରି ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବା ନିଶ୍ଚିତ ବୋଲି ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। କେବଳ ବରଗଡ଼ ଜିଲାକୁ ଭାଙ୍ଗି ପଦ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା କରାଯିବ କି ଦୀର୍ଘବର୍ଷ ହେବ ଅନ୍ୟାନ୍ୟ ୧୪ଟି ଉପଖଣ୍ଡବାସୀ ଯେଉଁ ଜିଲା ମାନ୍ୟତା ଦାବି କରୁଛନ୍ତି ସେମାନଙ୍କ ଦାବିକୁ ସରକାର ଗ୍ରହଣ କରିବେ କି ନାହିଁ ତାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ନିର୍ବାଚନ ପୂର୍ବରୁ ସରକାର ରାଜ୍ୟରେ ଜିଲା ପୁନଃଗଠନ କରି ବିରୋଧୀ ଦଳକୁ ମାତ ଦେଇପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ କେଉଁ କେଉଁ ଜିଲାକୁ ଭାଙ୍ଗି ସାନି ଜିଲା ଗଠନ କରାଯିବ ଏବଂ କେଉଁ କେଉଁ ଉପଖଣ୍ଡକୁ ଜିଲା ମାନ୍ୟତା ମିଳିବ ତା’ଉପରେ କୌଣସି ଆକଳନ କି ସର୍ବେକ୍ଷଣ କରାଯାଇ ନାହିଁ।
ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ପୁଣି ଜିଲା ମାନ୍ୟତା ପ୍ରତିଶ୍ରୁତି ଦେଇଥିବାରୁ ବାକି ୧୪ ଉପଖଣ୍ଡବାସୀଙ୍କ ଜିଲା ମାନ୍ୟତା ଦାବି ନିଆଁରେ ଘିଅ ସଦୃଶ ହୋଇଛି। ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବାବେଳେ ଏବେ ସେହି ନିଆଁ ପୁଣି ଜଳିପାରେ। ମୁଖ୍ୟମନ୍ତ୍ରୀ ପଦ୍ମପୁର ଦାବି ଗ୍ରହଣ କରିଥିବାରୁ ରାଜ୍ୟରେ ନୂଆ ଜିଲା ପୁନଃଗଠନ ଆଶା ସଞ୍ଚାର ହୋଇଛି। ପୂର୍ବରୁ ବରଗଡ଼, ଅନୁଗୋଳ, ବାଲେଶ୍ବର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲାରୁ ନୂଆ ଜିଲା ଗଠନ ପାଇଁ ଜିଲାପାଳଙ୍କ ଜରିଆରେ ସରକାରଙ୍କ ପାଖକୁ ଦାବିପତ୍ର ଆସିଛି। ପ୍ରାୟ ୩୦ ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ୧୩ ଜିଲାକୁ ଭାଙ୍ଗି ୩୦ ଜିଲା ଗଠନ ହୋଇଥିଲା। ସେ ସମୟରେ ବି ଆଉ କେତେକ ଅଞ୍ଚଳରେ ଜିଲା ମାନ୍ୟତା ଦାବି ଉଠୁଥିବା ବେଳେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସ୍ବର୍ଗତ ବିଜୁବାବୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ କଟକ, ଗଞ୍ଜାମ, ସମ୍ବଲପୁର, ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ବର, ପୁରୀ ଏବଂ ଢେଙ୍କାନାଳ ଜିଲାକୁ ବିଭାଜନ କରି ନୂଆ ଜିଲା ଗଠନ ହୋଇଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାକୁ ବିଭାଜନ କରାଗଲା ନାହିଁ। ଏହି ଜିଲାକୁ ପରବର୍ତ୍ତୀ କାଳରେ ବିଭାଜନ କରିବାକୁ ବିଜୁବାବୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୧୯୯୫ରେ ବିଜୁବାବୁଙ୍କ ସରକାର କ୍ଷମତାକୁ ନ ଆସିବାରୁ ପୁନଃ ଜିଲା ଗଠନ ଆଶା ମଉଳି ଯାଇଥିଲା।
ସେତେବେଳେ ପୁରୀ ଜିଲାକୁ ଭାଙ୍ଗି ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲା ଗଠନ କରାଯାଇ ଥିବାବେଳେ ସେ ସମୟରୁ ରାଜଧାନୀ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲା ଭାବେ ଘୋଷଣା କରିବାକୁ ଦାବି ହୋଇ ଆସୁଛି। ବାଲିଅନ୍ତା, ବାଲିପାଟଣା, ବିଏମସି ଏବଂ ଚନ୍ଦକା ଅଞ୍ଚଳକୁ ନେଇ ଜିଲା ଗଠନ କରିବାକୁ ଦାବି ହେଉଛି। ଗଞ୍ଜାମ ଜିଲାର ଘୁମୁସରକୁ ନୂଆ ଜିଲା ମାନ୍ୟତା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି। ୮ ବ୍ଲକ ଏବଂ ୪ ନିର୍ବାଚନ ମଣ୍ଡଳୀକୁ ସାମିଲ କରିବା ଏବଂ ଆବଶ୍ୟକ ଭିତ୍ତିଭୂମି ରହିଥିବା ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଦାବି କରୁଛି। ମୟୂରଭଞ୍ଜ ଜିଲାକୁ ବିଭାଜିତ କରି ରାଇରଙ୍ଗପୁରକୁ ନୂଆ ଜିଲା ମାନ୍ୟତା ପାଇଁ ସେତେବେଳେ ଯେଉଁ ପ୍ରସ୍ତାବ ରହିଥିଲା ଏବେ ସେହି ପ୍ରସ୍ତାବ ଉପରେ ଆନ୍ଦୋଳନ ତେଜିଛି। ସୁନ୍ଦରଗଡ଼ ଜିଲାକୁ ଭାଙ୍ଗି ବଣାଇଁ ଓ ରାଉରକେଲାରେ ନୂଆ ଜିଲା ପ୍ରତିଷ୍ଠା କରିବାକୁ ଦାବି ଉଠିଛି। ୧୯୯୩ରୁ ରାଉରକେଲାକୁ ନୂତନ ଜିଲା ମାନ୍ୟତା ପାଇଁ ଦାବି ଉଠୁଛି। ୯ବ୍ଲକ ବିଶିଷ୍ଟ ବଣାଇଁ ଜିଲା ଘୋଷିତ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପର୍ଯ୍ୟଟନ ଏବଂ ନିଯୁକ୍ତି ସମସ୍ୟାର ସମାଧାନ ହୋଇ ପାରିବ। ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଏବଂ ଟିଟିଲାଗଡ଼କୁ ସ୍ବତନ୍ତ୍ର ଭାବେ ଜିଲା ଘୋଷଣା କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ୫ବ୍ଲକ, ୧୧୩ ପଞ୍ଚାୟତ, ୧ ମ୍ୟୁନିସିପାଲିଟି, ୧ ଏନଏସି ଅଞ୍ଚଳକୁ ନେଇ ଟିଟିଲାଗଡ଼କୁ ନୂତନ ଜିଲା ମାନ୍ୟତା ଦିଆଯାଉ ବୋଲି ମା’ ଘଣ୍ଟାଶୁଣି ଅଟୋ ମହାସଂଘ ଦାବି କରିଛି। ଅନୁଗୋଳ ଜିଲାର ତାଳଚେର ଉପଖଣ୍ଡ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସବୁଠୁ ଅଧିକ ଟିକସ ଦେଉଛି। ଏହି ଉପଖଣ୍ଡର ବିକାଶ ପାଇଁ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ତାଳଚେର ସୁରକ୍ଷା ପରିଷଦ ସରକାରଙ୍କ ପାଖରେ ଦାବି ରଖିଛି। ଯାଜପୁର ଜିଲାର ଚଣ୍ଡିଖୋଲକୁ ଜିଲା ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ସ୍ବର ଉଠିଛି। ବିଧାୟକ ଅମର ପ୍ରସାଦ ଶତପଥୀ ୧୯୯୩ରେ କଟକ ଜିଲାକୁ ବିଭାଜନ କରି ପ୍ରସ୍ତାବିତ ଚଣ୍ଡିଖୋଲ ନୂତନ ଜିଲା ଗଠନ ନେଇ ୨୦୧୮ରେ ରାଜସ୍ବ ବିପର୍ଯ୍ୟୟ ବିଭାଗକୁ ଚିଠି ଲେଖିଥିଲେ। ସେହିଭଳି ବାଲେଶ୍ବର ଜିଲାର ଜଳେଶ୍ବର, କେନ୍ଦୁଝର ଜିଲାର ଆନନ୍ଦପୁର, ରାୟଗଡା ଜିଲାର ଗୁଣପୁର, କଳାହାଣ୍ଡି ଜିଲାର ଧର୍ମଗଡ ଏବଂ ଏବେ ବ୍ରହ୍ମପୁର ଜିଲା ମାନ୍ୟତା ପାଇଁ ସଙ୍ଗଠନ ଗୁଡ଼ିକ ସଜବାଜ ହେଉଛନ୍ତି। ଲୋକଙ୍କ ପାଖରେ ପ୍ରଶାସନ ଖୁବ୍ କମ ସମୟରେ ପହଞ୍ଚିବା ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ଜିଲା ପୁନଃଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ କେତେକ ଉପଖଣ୍ଡ ଜିଲା ମୁଖ୍ୟାଳୟରୁ ୨୫୦ କିମିରୁ ୩୦୦ କିମି ଦୂରରେ ରହିଥିବାରୁ ନୂତନ ଜିଲା ଗଠନ କରିବାକୁ ଦାବି ହେଉଥିଲା। ଜିଲା ଗଠନକୁ ୩୦ବର୍ଷ ବିତିଥିଲେ ମଧ୍ୟ ପରବର୍ତ୍ତୀ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଜିଲା ପୁନଃଗଠନ ପୂର୍ବରୁ ରାଜ୍ୟ ସରକାର ବିଧାନସଭାରେ ଆଲୋଚନା କରି କମିଟି ଗଠନ କରିବା, ପ୍ରସ୍ତାବିତ ଜିଲା ଗଠନ ଉପରେ ଆନୁଷଙ୍ଗିକ ଭିତ୍ତିଭୂମିର ସର୍ବେକ୍ଷଣ, ଭୌଗୋଳିକ ସ୍ଥିତି, ଜନସଂଖ୍ୟା, ଆୟତନ ସର୍ବେକ୍ଷଣ କରିବା ଉପରେ କେବେ ହେଲେ ଆଲୋଚନା କରିନାହାନ୍ତି। ପଦ୍ମପୁରକୁ ଜିଲା ମାନ୍ୟତା ପ୍ରତିଶ୍ରୁତି ପରେ ବିଧାନସଭା ଅଧିବେଶନ ୨୧ରୁ ବସିବାକୁ ଯାଉଥିବାରୁ ସରକାର ରାଜ୍ୟରେ ନୂତନ ଜିଲା ଗଠନ ଉପରେ ଆଲୋଚନା କରିବେ କି ନାହିଁ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

Comments are closed.