ସରକାରୀ ଅର୍ଥ ହରିଲୁଟର ନଗ୍ନ ଚିତ୍ର, ନିର୍ମାଣ କାର୍ଯ୍ୟ ନସରୁଣୁ ଫାଟି ଆଁ କଲାଣି ରାସ୍ତା

ଲକ୍ଷ୍ମୀପୁର : ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅର୍ଥ ହରିଲୁଟ । ନିର୍ମାଣ କାର୍ଯ୍ୟ ନସରୁଣୁ  ଫାଟି ଆଁ କଲାଣି ରାସ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ବସ ଷ୍ଟାଣ୍ଡ ଠାରୁ କେଜଗା ଡୋକଣା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ । ଏନବିସିସି ପକ୍ଷରୁ ଉକ୍ତ ସଡ଼କ ଟି ନିର୍ମାଣ ଚାଲିଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ନ ହେଉଣୁ ରାସ୍ତା ଫାଟି ଆଁ କଲାଣି। ପୂର୍ବରୁ ଗ୍ରାମ ନିର୍ମାଣ ବିଭାଗ ଦ୍ଵାରା ଟେଣ୍ଡର କରାଯାଇ ପ୍ରଧାନମନ୍ତ୍ରୀ ସଡ଼କ ଗୁଡିକ ନିର୍ମାଣ କରା ଯାଉଥିଲା। ତେବେ ପ୍ରାୟ ଦୁଇବର୍ଷ ହେବ  କେନ୍ଦ୍ର ସରକାରଙ୍କ ଏନବିସିସି ପକ୍ଷରୁ ଟେଣ୍ଡର କରାଯାଇ ବାହାର ରାଜ୍ୟର ଠିକାଦାରଙ୍କ ଜରିଆରେ ରାସ୍ତା ନିର୍ମାଣ କରାଯାଉଛି। ଏପରିକି ଆଦିବାସୀ ଅଧୁଷିତ ଜିଲା ଗୁଡିକରେ ମାଓବାଦୀ ମାନେ ବିଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ଯୋଗୁଁ ଏବଂ ଅନ୍ୟ କେତେକ କାରଣରୁ ଏପରିକି ଉଚ୍ଚ ମାନର କାମ ହେବା ଆଶାରେ ଏଭଳି ପଦକ୍ଷେପ ନିଆଯାଇଥିଲା । ତେବେ ଠିକାଦାର ମାନେ ଅର୍ଥ ହରିଲୁଟ କରି ନିମ୍ନମାନର କାମ କରୁଥିବା କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ନସରୁଣୁ ଫାଟି ଆଁ କଲାଣି। ଯେଉଁଥିପାଇଁ ସାଧାରଣରେ ନାନା ପ୍ରଶ୍ନ ଉଙ୍କିମାରୁଛି। ଖାଲି ସେତିକି ନୁହେଁ ଏନବିସିସିର ଅଧିକାରୀ ମାନଙ୍କ ସଠିକ ତଦାରଖ ନହେବା କାରଣରୁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି। ଏପରିକି କେନ୍ଦ୍ର ଓ ରାଜ୍ୟ ଗ୍ରାମ୍ୟ.ଊନ୍ନୟନ ବିଭାଗର ଉଚ୍ଚ ଅଧିକାରୀ ମାନେ ଏହାର ତଦନ୍ତ କରିବାକୁ ଦାବି ହେଉଛି।

Comments are closed.