ଲକ୍ଷ୍ମୀନାରାୟଣପୁର ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିବା ପରେ ଉକ୍ତ ଗ୍ରାମକୁ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଶନିବାର ଆସିଥିବା ଆରଟିପିସିଆର ରିପୋର୍ଟରୁ ଲକ୍ଷ୍ମୀନାରାୟଣପୁର ଶିବିରରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ଲକ୍ଷ୍ମୀନାରାୟଣପୁର ଗ୍ରାମର ୧୯ଜଣ ତା’ ମଧ୍ୟରେ ରହିଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ସହିତ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସେହି ଗ୍ରାମକୁ ୨୮ତାରିଖ ସକାଳ ୬ଟାରୁ ଜୁଲାଇ ୭ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ଗ୍ରାମର ସମସ୍ତ ପ୍ରବେଶ ପଥକୁ ବାଉଁଶବାଡରେ ଆବଦ୍ଧ କରାଯାଇଥିବାବେଳେ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବା ସହିତ ଗ୍ରାମକୁ ବିଶୋଧନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.