ଗେଟି ଖାଦାନରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଲଖନପୁର: ବେଲପାହାଡ଼ ଥାନା ଅନ୍ତର୍ଗତ ଉଲାପ ଗ୍ରାମ ନିକଟସ୍ଥିତ ଏକ ପରିତ୍ୟକ୍ତ ଗେଟି ଖାଦାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ମଙ୍ଗଳବାର ଉଦ୍ଧାର କରିଛି। ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ବ୍ୟକ୍ତି ଜଣକ ଉଲାପ ଗ୍ରାମର ଜଗୁ ଲୁହାର (୬୦) ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ ଜଗୁ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଜଗୁ ଗତ ରବିବାର ଅପରାହ୍ନ ପ୍ରାୟ ୩ଟାରୁ ପରିବାର ଲୋକଙ୍କୁ କୌଣସି କାର୍ଯ୍ୟରେ ଜଙ୍ଗଲକୁ ଯାଉଛି କହି ଘରୁ ବାହାରିଥିବା ବେଳେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଜଗୁଙ୍କ କୌଣସି ସନ୍ଧାନ ପାଇପାରିନଥିଲେ।

 

ଇତି ମଧ୍ୟରେ ୨ ଦିନ ବିତିଯାଇଥିଲେ ସୁଦ୍ଧା ଜଗୁ ଆଉ ଘରକୁ ଫେରିନଥିଲେ। ମଙ୍ଗଳବାର ସକାଳେ ସ୍ଥାନୀୟ ବାସିନ୍ଦା ଉଲାପ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ଗେଟି ଖାଦାନରେ ଜଗୁଙ୍କ ମୃତଦେହକୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଓ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ସେହିପରି ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା। ମୃତ ଜଗୁଙ୍କ ଶବ ପଡ଼ିଥିବା ସ୍ଥାନ ପୂର୍ବରୁ କିଛି ବାଟ ଘୋଷାଡ଼ି ଘୋଷାଡ଼ି ନିଆଯାଇଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଶବକୁ କୌଣସି ବନ୍ୟଜନ୍ତୁ କିମ୍ବା କେହି ଅଭିଯୁକ୍ତ ହତ୍ୟା କରି ଘୋଷାଡ଼ି ନେଇଥିବା ଅନୁମାନ କରାଯାଉଛି। ମୃତ ଜଗୁଙ୍କ ଏଭଳି ମୃତ୍ୟୁକୁ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ କେହି ଯୋଜନବଦ୍ଧ ହତ୍ୟା କରିଥାଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ମୃତ ଜଗୁଙ୍କ ପୁଅ ଅର୍ଜୁନଙ୍କ ଅଭିଯୋଗ କ୍ରମେ ଏନେଇ ବେଲପାହାଡ଼ ପୁଲିସ କେସ ନମ୍ବର ୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଏହା ସହ ମୃତ ଜଗୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ବେଲପାହାଡ଼ ଥାନାର ନୂତନ ଆଇଆଇସି ରଞ୍ଜନ ବିଶ୍ୱାଳ, ଏଏସଆଇ ଚୂଡ଼ାମଣି ମହାନନ୍ଦଙ୍କ ସମେତ ସାଇଣ୍ଟିଫିକ୍ ଦଳ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି।

Comments are closed.