ୟୁପିରେ ରାମ ପରେ ଲକ୍ଷ୍ମଣକୁ ନେଇ ରାଜନୀତି ଜୋର

0

ଲକ୍ଷ୍ନୌ: ରାମ ଜନ୍ମଭୂମି ବିବାଦ ପରେ ଉତ୍ତରପ୍ରଦେଶରେ ବିଜେପି ଲକ୍ଷ୍ମଣଙ୍କ ପ୍ରତିମାକୁ୨୦୧୯ ନିର୍ବାଚନର ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିବା ଆରମ୍ଭ କରିଛି। ଲକ୍ଷ୍ନୌରେ ଲକ୍ଷ୍ମଣଙ୍କ ପ୍ରତିମାକୁ ନେଇ ବିଜେପି ୨୦୧୯ସାଧାରଣ ନିର୍ବାଚନରେ ୟୁପିରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ମନ ବଳାଇଛି। ଲକ୍ଷ୍ନୌରେ ଲକ୍ଷ୍ମଣ ଟିଲାଠାରେ ଲକ୍ଷ୍ମଣଙ୍କ ବିଶାଳ ପ୍ରତିମା ନିର୍ମାଣ କରିବାକୁ ବିଜେପି ମନ ବଳାଇଛି। ଅଥଚ ଏବେ ଏହି ଟିଲାରେ ଏକ ମସଜିତ ରହିଛି। ଯାହା ଟିଲା ବାଲି ମସଜିତ ଭାବେ ଲକ୍ଷ୍ନୌରେ ବେଶ୍‍ ପରିଚିତ। ଏଠାରେ ଲକ୍ଷ୍ମଣଙ୍କ ବିଶାଳ ପ୍ରତିମା ନିର୍ମାଣ କରି ବିଜେପି ପ୍ରଚାର ଆରମ୍ଭ କରି ଦେଇଛି। ବିଜେପିର ଏଭଳି ପ୍ରୟାସକୁ ବେଶ୍‍ ଭଲ ଭାବେ ବୁଝି ପାରିଛି ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି। ଫଳରେ ବିଜେପିର ଏହି ପ୍ରସଙ୍ଗରୁ ନିରାପଦ ଦୂରରେ ରହିବାକୁ ଉଦ୍ୟମ କରୁଛି ଏସପି ଓ ବିଏସପି ପରି ଆଞ୍ଚଳିକ ଦଳ। ଲକ୍ଷ୍ନୌର ନଗରନିଗମ ବିଜେପି କବଜାରେ ରହିଛି। ଲକ୍ଷ୍ନୌର ମେୟର ସଂଯୁକ୍ତା ଭାଟିଆ ଆରଏସଏସ ପରିବାରରୁ ଅସିଛନ୍ତି। ଲକ୍ଷ୍ନୌର ଦୁଇ କର୍ପୋରେଟର ରଜନୀଶ ଗୁପ୍ତା ଓ ରାମକୃଷ୍ଣ ଯାଦବ ଟିଲା ବାଲି ମସଜିତ ପାଶ୍ୱର୍ରେ ନଗର ନିଗମର ଜମିରେ ଲକ୍ଷ୍ମଣଙ୍କ ଭବ୍ୟ ପ୍ରତିମା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନଗରନିଗମ ଅଧ୍ୟକ୍ଷା ଶ୍ରୀମତି ଭାଟିଆ ସମର୍ଥନ କରିଛନ୍ତି। ଏଭଳି ପ୍ରସଙ୍ଗକୁ ନେଇ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ତୁରନ୍ତ ପ୍ରତିବାଦ ଉଠିଛି। ମସଜିତର ଇମାମମାନେ ସର୍ବପ୍ରଥମେ ଏଭଳି ପ୍ରସ୍ତାବର ବିରୋଧ କରିଥିବାବେଳେ ପରେ ସିଆ ସୁନ୍ନି ମୌଲାନା ମାନେ ଏଭଳି ପ୍ରତିମା ନିର୍ମାଣ ହେଲେ ସାମ୍ପ୍ରଦାୟିକ ଉତ୍ତେଜନା ହେବାର ଆଶଙ୍କା ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ଲକ୍ଷ୍ନୌକୁ ଲକ୍ଷ୍ମଣଙ୍କ ନଗର ଭାବେ ଜଣାଯାଏ। ପୌରାଣିକ ଗ୍ରନ୍ଥରେ ଲକ୍ଷ୍ନୌକୁ ଲକ୍ଷ୍ମଣ ନଗର ଭାବେ ଉଲ୍ଲେଖ କରାଯାଇଛି। ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ନିକଟତମ ବ୍ୟକ୍ତିଭାବେ ପରିଚିତ ଲାଲାଜୀ ଟଣ୍ଡନ ଟିଲାବାଲି ମସଜିତ ତଳେ ଲକ୍ଷ୍ମଣ ଗୁମ୍ଫା ଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ହିନ୍ଦୁବାଦୀ ସଂଗଠନଗୁଡ଼ିକ ମଧ୍ୟ ଏଠାରେ ପୂର୍ବରୁ ମନ୍ଦିର ଥିଲା ଓ ଏହାକୁ ଭାଙ୍ଗି ମସଜିତ ନିର୍ମାଣ କରାଯାଇ ଥିବା ଅଭିଯୋଗ କରୁଥିଲେ।
ଅବଶ୍ୟ ନଗରନିଗମ ପକ୍ଷରୁ ଏହି ପ୍ରତିମା ମସଜିତଠାରୁ ସାମାନ୍ୟ ଦୂରରେ ଥିବା ପାର୍କରେ ନିର୍ମାଣ କରିବାକୁ ଚାହୁଁଛି। ତେବେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ବୟାନ ବାଜି ଫଳରେ ବିଜେପିକୁ ନିର୍ବାଚନୀ ପ୍ରସଙ୍ଗ ମିଳି ଯାଇଛି। ଅଥଚ ମୁସଲିମଙ୍କ ସମର୍ଥକ କୁହାଯାଉଥିବା ଏସପି ଓ ବିଏସପି ଏହି ପ୍ରସଙ୍ଗରେ ମୌନ ଧାରଣ କରିବା ଉଚିତ ମଣୁଛନ୍ତି।

Leave A Reply