ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ମାମଲା ; ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅଦାଲତ ପରିସରରେ ଆନ୍ଦୋଳନ ନାମରେ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଦେର୍ଶ ଦେଇଛନ୍ତି। ବିଚାରପତି ସଞ୍ଜୟ କିଷନ କୌଲ ଓ ବିଚାରପତି କେ ଏମ ଯୋଶେଫଙ୍କ ଖଣ୍ଡପୀଠ ନିର୍ଦେଶ ଅନୁଯାୟୀ ବାର୍‍ କାଉନସିଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ବାର୍‍ କାଉନସିଲ୍‍ ବିଶୃଙ୍ଖଳାକାରୀ ଓକିଲଙ୍କ ତାଲିକା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବେ। ଶୁକ୍ରବାର ମାମଲାର ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ତରଫରୁ ଓକିଲ ଶିବଶଙ୍କର ମିଶ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ କେତେକ ଜିଲାରେ ଆନ୍ଦୋଳନ ନାମରେ ନୂଆ ଉପାୟ ଅବଲମ୍ବନ କରାଯାଉଛି। ପ୍ରତି ମାସର ଶେଷ ଆଡ଼କୁ ତିନିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟକୁ ଆଇନଜୀବୀମାନେ ବର୍ଜନ କରୁଛନ୍ତି। ନୂଆ ଢଙ୍ଗରେ ଅଦାଲତ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଘଟଣାରେ ବିରକ୍ତ ପ୍ରକାଶ କରି ସେସବୁ ଅଦାଲତଗୁଡ଼ିକର କାର୍ଯ୍ୟ ପଡ଼ୋଶୀ ଜିଲାର ଅଦାଲତଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବିଚାରପତି ସଞ୍ଜୟ କିଷନ କୌଲ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓକିଲଙ୍କୁ ପୂର୍ବରୁ ତାଗିଦ କରିଥିଲେ। ଆନ୍ଦୋଳନରତ ଜିଲାରେ ଅଦାଲତଗୁଡ଼ିକର କାର୍ଯ୍ୟ ପଡ଼ୋଶୀ ଜିଲାକୁ ସ୍ତାନାନ୍ତର କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ବିଚାରପତି କୌଲଙ୍କ ପ୍ରଶ୍ନର ଉତ୍ତରରେ ଆଡ୍‍ଭୋକେଟ ଶ୍ରୀ ମିଶ୍ର ଦର୍ଶାଇଥିଲେ ଯେ ଜିଲା ଜଜ୍‍ମାନଙ୍କ ଠାରୁ ଫିଜିବିଲିଟି ରିପୋର୍ଟ ମଗାଯାଇଛି। ନିକଟରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅବସର କାରଣରୁ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦେଶନାମା କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହୋଇଛି।
ସେହିପରି ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶା ରାଜ୍ୟ ବାର୍‍ କାଉନସିଲ୍‍ ଓକିଲ ଜଣାଇଥିଲେ ଯେ ଆନ୍ଦୋଳନକାରୀ ଓକିଲଙ୍କୁ ନୋଟିସ ଦିଆଯାଉଛି। କାର୍ଯ୍ୟାନୁଷ୍ଠାନ ନେବା ଦାୟିତ୍ୱ ବାର୍‍ କାଉନସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ)ର। ତେବେ ବିଶୃଙ୍ଖଳାକାରୀ ଓକିଲଙ୍କୁ ଚିହ୍ନଟ କରିବା ଦାୟିତ୍ୱ ରାଜ୍ୟ ବାର୍‍ କାଉନସିଲ୍‍ର ବୋଲି ବାର୍‍ କାଉନସିଲ୍‍ ଅଫ୍‍ ଇଣ୍ଡିଆର ଓକିଲ ସୁପ୍ରିମକୋର୍ଟଙ୍କୁ ପ୍ରତ୍ୟୁତ୍ତରରେ ଜଣାଇଥିଲେ। ରାଜ୍ୟ ବାର୍‍ କାଉନସିଲ୍‍ ଓ ବିସିଆଇ ଓକିଲଙ୍କ କଥା କଟାକଟିରେ ହସ୍ତକ୍ଷେପ କରି ବିଚାରପତି ସଞ୍ଜୟ କିଷନ ଦର୍ଶାଇଥିଲେ ଯେ ହାତଗଣତି ଓକିଲ ଅଦାଲତ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଦେଖିବାକୁ ଗଲେ ବିଶୃଙ୍ଖଳାକାରୀ ଓକିଲଙ୍କ ଦ୍ୱାରା ସୃଷ୍ଟି ପ୍ରତିକୂଳ ପରିବେଶ କାରଣରୁ ସଂଖ୍ୟାଧିକ ଆଇନଜୀବୀ କାମ କରିବାକୁ ଚାହୁଁଥିଲେ ମଧ୍ୟ ଅଦାଲତ କାର୍ଯ୍ୟରେ ସାମିଲ ହୋଇପାରୁନାହାନ୍ତି। ଅଦାଲତଗୁଡ଼ିକୁ ଚଳାଇବା ସମସ୍ତଙ୍କ ଦାୟିତ୍ୱ ଦର୍ଶାଇ ଏହି ବିଷୟରେ ନିଜ ଆଡ଼ୁ କିଛି ପଦକ୍ଷେପ ନେବାକୁ ବିଚାରପତି ସଞ୍ଜୟ କିଷନ କୌଲ କୋର୍ଟ ରୁମରେ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ, ବାର କାଉନସିଲ୍‍ ଅଫ୍‍ ଇଣ୍ଡିଆ, ଓଡ଼ିଶା ରାଜ୍ୟ ବାର କାଉନସିଲ୍‍ ଓ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓକିଲଙ୍କୁ ଅପିଲ କରିଥିଲେ। ଯଦି କିଛି ନିର୍ଦ୍ଦିଷ୍ଟ ଓକିଲ କାମ କରିବାକୁ ଚାହୁଁ ନାହାନ୍ତି, ସେମାନେ କାମ ନ କରନ୍ତୁ; କିନ୍ତୁ ଅନ୍ୟ ଆଇନଜୀବୀଙ୍କ ପାଇଁ ବାଧା ସୃଷ୍ଟି କରା ନ ଯାଉ ଦର୍ଶାଇ ବିଶୃଙ୍ଖଳା ସୃଷ୍ଟିକାରୀ ଆଇନଜୀବୀଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣିରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ଚେତାଇ ଦେଇଥିଲେ।
ଓଡ଼ିଶା ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେ.କେ ବେନୁଗୋପାଲ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟ କଲେଜିୟମ ୧୨ ଜଣଙ୍କ ମଧ୍ୟରୁ ୯ଜଣଙ୍କ ନାମକୁ ଫେରାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ହାଇକୋର୍ଟର ଖାଲି ବିଚାରପତି ପଦଗୁଡ଼ିକ କିଭଳି ପୂରଣ ହୋଇ ପାରିବ ବୋଲି କ୍ଷୋଭର ସହ କହିଥିଲେ। ବରିଷ୍ଠ ଓକିଲ ବିକାଶ ସିଂ ଦର୍ଶାଇଥିଲେ ଯେ ପ୍ରଶାସନିକ ନ୍ୟାୟ ପ୍ରାଧିକରଣ ଉଚ୍ଛେଦ ପରେ ଓଡ଼ିଶା ନ୍ୟାୟପାଳିକାରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ସ୍ୟାଟ୍‍ରେ ବିଚାରାଧୀନ ୬୩ହଜାର ମାମଲାର ଚାପ ଏଣିକି ଓଡ଼ିଶା ହାଇକୋର୍ଟ ଉପରେ ପଡ଼ିବ। ହାଇକୋର୍ଟର ମାତ୍ର ୧୩ ଜଣ ବିଚାରପତି କିଭଳି ଭାବେ ଏତେ ସଂଖ୍ୟକ ମାମଲାର ବିଚାର କରିବେ ବୋଲି ଆଡ୍‍ଭୋକେଟ ଶ୍ରୀ ସିଂ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.