ଆଇନଜୀବୀ-ପୁଲିସ ବିବାଦରେ ହାଇକୋର୍ଟଙ୍କ ରାୟ ; ଉଭୟପକ୍ଷର ମାମଲା ରଦ୍ଦ

0

କଟକ : ଆଇନଜୀବୀ-ପୁଲିସ ବିବାଦ ପ୍ରସଙ୍ଗରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ଏତଲା ରଦ୍ଦ ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଶୁଣାଣିକରି ଆଇନଜୀବୀଙ୍କ ପାଇଁ ୭ ଦିନ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏହି କମିଟିରେ ସଦସ୍ୟ ସଚିବ ଭାବେ ରାଜ୍ୟ ଗୃହ ବିଭାଗର ଅତିିରିକ୍ତ ମୁଖ୍ୟ ଶାସନ ସଚିବ ରହିବେ। ଏଥିସହ ଆଇନ ବିଭାଗ ସଚିବ, ପୁଲିସ ଡିଜି, ପୁଲିସ ଆଇଜି(ହେଡ୍‍ କ୍ୱାର୍ଟର), ଭୁବନେଶ୍ୱର-କଟକ ପୁଲିସ କମିସନରଙ୍କ ସହିତ ହାଇକୋର୍ଟ ବାର୍‍ ଆସୋସିଏସନ ସଭାପତି, ସଂପାଦକ ସଦସ୍ୟ ରହିବେ। ଏଥି ସହିତ ହାଇକୋର୍ଟ ବାର୍‍ ଆସୋସିଏସନ୍‍ ନିର୍ବାହୀ ସଦସ୍ୟଙ୍କ ଦ୍ୱାରା ମନୋନୀତ ତିନିଜଣ ଆଇନଜୀବୀ ସଦସ୍ୟ ରହିବେ। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ସ୍ୱୀକୃତିପ୍ରାପ୍ତ ବରିଷ୍ଠ ଆଇନଜୀବୀ ହୋଇଥିବେ। ଯାହାକି ସେମାନଙ୍କର ଆଇନ ପେସାରେ ୩୫/୪୦ ବର୍ଷର ଅଭିଜ୍ଞତା ରହିଥିବ। ପ୍ରସ୍ତାବିତ କମିଟିରେ ସଦସ୍ୟ ହେବାକୁ ଥିବା ଆଇନଜୀବୀ କୌଣସି ରାଜନୈତିକ ଦଳର ସଦସ୍ୟ ହୋଇ ନଥିବେ ବୋଲି ରାୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପାଇବାର ୭ ଦିନ ମଧ୍ୟରେ ଏହି କମିଟି ଗଠନ ହେବ ଓ ୨ ମାସ ଭିତରେ ଏହି କମିଟି ରିପୋର୍ଟ ପ୍ରଦାନ କରିବ। କମିଟିର ଅନୁମୋଦନ ବାର୍‍ ସଦସ୍ୟଙ୍କ ମତାମତ ଆଧାରରେ ନ୍ୟାୟିକ ପ୍ରକ୍ରିୟାରେ ତର୍ଜମା କରାଯିବ। ଭବିଷ୍ୟତରେ ଯେପରି ଏପରି ଘଟଣା ଉପରେ ଅଙ୍କୁଶ ଲଗାଯାଇପାରିବ, ସେ ନେଇ କମିଟି ଉପଯୁକ୍ତ ମାର୍ଗ ଓ ପ୍ରକ୍ରିୟା ଉପରେ ପ୍ରସ୍ତାବ ଦେବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ୨୮ ତାରିଖ ଦିନ ନୂଆବଜାର ଛକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ପରେ ଚାଉଳିଆଗଞ୍ଜ ଥାନାରେ ରୁଜୁ ହୋଇଥିବା ୪ଟି ଏତଲା ରଦ୍ଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଅକ୍ଟୋବର ୨୯ରେ ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ ହାଇକୋର୍ଟ ନିକଟରେ ଜଣେ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କୁ ଆକ୍ରମଣକୁ ନେଇ ଲାଲବାଗ ଥାନାରେ ଦାୟର ଦୁଇଟି ଏତଲାକୁ ମଧ୍ୟ କୋର୍ଟ ରଦ୍ଦ କରିଛନ୍ତି। ଆଇନଜୀବୀ ଓ ପୁଲିସଙ୍କ ମଧ୍ୟରେ ଆପୋଷରେ ବିବାଦର ସମାଧାନ ହୋଇଥିବା ଦୃଷ୍ଟିରୁ ଏହି ସବୁ ମାମଲା ଗୁଡିକ ରଦ୍ଦ ପାଇଁ ଖଣ୍ଡପୀଠ ଏହି ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଉପରେ ଆସନ୍ତା ଜାନୁୟାରୀ ଶେଷ ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖ ଘଟଣାକୁ ନେଇ ଆଇନଜୀବୀ ଶ୍ରୀ ପଟ୍ଟନାୟକ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ଏତଲା ରୁଜୁ କରିଥିବା ବେଳେ ଶିବପ୍ରସାଦ ସାହୁ, ହାବିଲଦାର ପ୍ରସନ୍ନ କୁମାର ବେହେରା ଓ ଦିଲ୍ଲୀପ ସିଂହ ତିନୋଟି ପୃଥକ ଏତଲା ରୁଜୁ କରିଥିଲେ। ଏହା ପରେ ଅକ୍ଟୋବର ୨୯ତାରିଖ ଘଟଣାକୁ ନେଇ ଲାଲବାଗ ଥାନାରେ ଆଇନଜୀବୀଙ୍କ ବିରୋଧରେ ଜିତୁ ନିମାଇଁ ଓ ଏସ.ଏନ୍‍ ଛୁଆଳସିଂହ ପୃଥକ୍‌ ଭାବେ ଦୁଇଟି ଏତଲା ରୁଜୁ କରିଥିଲେ।

Leave A Reply