ତୀବ୍ରତର ହେଲା ଆଇନଜୀବୀ ବିବାଦ ; ହାଇକୋର୍ଟ ପରିସରରେ ୨୫ପ୍ଲାଟୁନ ଫୋର୍ସ ମୁତୟନ

0

କଟକ : ପୁଲିସ-ଆଇନଜୀବୀ ବିବାଦ ଏବେ ଆଇନଜୀବୀ-ଆଇନଜୀବୀ ବିବାଦରେ ପରିଣତ ହୋଇଛି। ସୋମବାର ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ  ଅପରଗୋଷ୍ଠୀ ଆନ୍ଦୋଳନ ଚାଲୁ ରଖିବାରୁ ଏହି ବିବାଦ ଉଗ୍ରରୂପ ନେଇଛି । କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ଓକିଲଙ୍କୁ ହାଇକୋର୍ଟ ବାର ଆସୋସିଏସନ୍‌ର ସଦସ୍ୟମାନେ ତୀବ୍ର ବିରୋଧ  କରିଛନ୍ତି । ଫଳରେ ହାଇକୋର୍ଟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଆଇନଜୀବୀ ମାନଙ୍କ ବିରୋଧ ଯୋଗୁ ବିଚାରପତିମାନେ କୋର୍ଟ ମଧ୍ୟକୁ ପ୍ରବେଶ କରି ପାରି ନାହାନ୍ତି।

ଆଇନଜୀବୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ  କୋର୍ଟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କୋର୍ଟ ପରିସରରେ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କଲେ କିମ୍ବା କୌଣସି ଆଇନଜୀବୀଙ୍କୁ ଆକ୍ରମଣ ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅଖିଳେଶ୍ବର ସିଂହ ଚେତାବନୀ ଦେଇଛନ୍ତି ।

ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ କୋର୍ଟ ଚାଲିବା ଦରକାର ବୋଲି ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ଦର୍ଶାଇ କୋର୍ଟକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ହାଇକୋର୍ଟ ବାର ଆସୋସିଏସନକୁ ଅନୁରୋଧ କରିଛି । ତେବେ ହାଇକୋର୍ଟ ବାର୍‌ ସଂପାଦକ ଏ ନେଇ କିଛି ଜାଣି ନ ଥିବା କହିଛନ୍ତି। ସେପରି କୌଣସି ଚିଠି ହସ୍ତଗତ ହୋଇନାହିଁ ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ରବିବାର ସୂଚନା ଦେଇଥିଲେ।

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଉପଦେଷ୍ଠା ଅସୀମ ଅମିତାଭ ଦାଶ ଗଣମାଧ୍ୟମକୁ ରବିବାର ଅପରାହ୍ଣରେ ସୂଚନା ଦେଇ କହିଛନ୍ତି ଯେ କୋର୍ଟ ବନ୍ଦ ରହିବା ଫଳରେ ଆଇନଜୀବୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ କୋର୍ଟକୁ ବନ୍ଦ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ନ୍ୟାୟ ଦେବା ପାଇଁ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ଘଟଣାକୁ ନେଇ ରାଜରାସ୍ତାରେ ମଧ୍ୟ ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦରେ ଆମେମାନେ ମଧ୍ୟ ଅଂଶୀଦାର ଥିଲୁ। ତେବେ ପ୍ରତିବାଦର ଏକ ସୀମା ରହିଛି। ତାହା ନିର୍ଦ୍ଧାରଣ ହେବା ଦରକାର। ତେବେ ଆମେ ଚାହୁଁ କୋର୍ଟ ସୁରୁଖୁରୁରେ ଚାଲୁ, କୋର୍ଟ ରାୟକୁ ଅପେକ୍ଷା କରାଯିବା ଆବଶ୍ୟକ ବୋଲି ଶ୍ରୀ ଦାଶ କହିଛନ୍ତି। କୋର୍ଟ କାର୍ଯ୍ୟରେ ଯୋଗଦେବା ନେଇ ହାଇକୋର୍ଟ ବାର୍‌ ଆସୋସିଏସନକୁ ସମୂହ ଆକାରରେ ଲିଖିତ ଭାବେ ଦିଆଯାଇଛି। ବାର୍‌ କର୍ମକର୍ତ୍ତା ଏହା ଉପରେ ନିଷ୍ପତ୍ତି କରିବେ ବୋଲି ସେ କହିଛନ୍ତି। ଗତ ୨୬ତାରିଖରେ ଯେଉଁ ରିଜୋଲ୍ୟୁସନ ହୋଇଥିଲା, ତାହା ଠିକ୍‌ ଭାବେ ହୋଇନାହିଁ। ଯାହାସବୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଓ ବୈଠକରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତାକୁ ରିଜୋଲ୍ୟୁସନରେ ସ୍ଥାନ ଦିଆଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଶନିବାର ଠାରୁ ଆମମାନଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିବା ଠିକ ହେଉଛି କି? ଯେଉଁମାନେ ଚାହୁଛନ୍ତି କୋର୍ଟ କଚେରି ଚାଲୁ, ଲୋକେ ନ୍ୟାୟ ପାଆନ୍ତୁ, ସେମାନେ ସୋମବାରଠାରୁ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଶ୍ରୀ ଦାଶ ଅନୁରୋଧ କରିଥିଲେ।
ଅନ୍ୟପକ୍ଷରେ ରବିବାର ହାଇକୋର୍ଟ ବାର ଆସୋସିଏସନ ସାମ୍ନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ଆଇନଜୀବୀ ମିଲନ କାନୁନଗୋ, ଅସିମ ଅମିତାଭ ଦାଶଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାପରେ ରାଜ୍ୟ ଆଇନଜୀବୀ ପରିଷଦରେ କିଛି ଆଇନଜୀବୀ ପହଞ୍ଚି ସେଠାରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନରେ ସାମିଲ ହୋଇଥିବା ଆଇନଜୀବୀମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଇ ବିଚାର କରାଯାଉ ବୋଲି ଦାବି ଜଣାଇଥିଲେ।
ସୂଚନାଯୋଗ୍ୟ ଅଗଷ୍ଟ ମାସ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହାର ପ୍ରତିବାଦରେ ୨୯ତାରିଖଠାରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଏହି କାର୍ଯ୍ୟ ଆନ୍ଦୋଳନକୁ ୨ ମାସ ପୂରିଯାଇଛି। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁଁ ହାଇକୋର୍ଟ, କ୍ୟାଟ୍‍, ସ୍ୟାଟ୍‍, ଡିଆରଟି ଆଦି ବିଭିନ୍ନ ଜିଲାର ଜିଲା ଅଦାଲତ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply