ସମ୍ବଲପୁରରେ ଚାଞ୍ଚଲ୍ୟ: ଦିନ ଦି ପହରେ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲ (୬୪) ଙ୍କୁ ଶୁକ୍ରବାର  ବନ୍ଧୁକ ମୁନରେ ସହରର ଉପକଣ୍ଠସ୍ଥ ଶାସନ ବାଇପାସ (ସମ୍ବଲପୁର – ଝାରସୁଗୁଡା ରାସ୍ତା)ରୁ ଅପହରଣକର୍ତ୍ତାମାନେ ଅପହରଣ କରି ନେଇଛନ୍ତି। ଏହି ଅପହରଣ ମାମଲା ପୁଲିସ ପାଇଁ ତାର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବଲପୁରର ବରେଇପାଲି ନିବାସୀ ତଥା ଷ୍ଟିଲ ଆଣ୍ଡ ଷ୍ଟିଲ ଦୋକାନର ମାଲିକ ନରେଶଙ୍କର ରାସ୍ତା କଡରେ ଜମି ରହିଛି। ସେହି ଜମିର ଚର୍ତୁପାର୍ଶ୍ବରେ ଏବେ କାନ୍ଥ ବାଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନରେଶ ପ୍ରତି ଦିନ ଭଳି ନିଜର କାରରେ ଡ୍ରାଇଭର ସହିତ ଜମିରେ ଦିଆଯାଉଥିବା ନିର୍ମାଣ କାର୍ଯ୍ୟକୁ ତଦାରଖ ପାଇଁ  ନିର୍ମାଣସ୍ଥଳ ଶାସନକୁ ଯାଇଥିଲେ। ନରେଶ ତାଙ୍କର କାର (ଓଡି-୧୫-କେ-୬୭୮୯)ର ଡ୍ରାଇଭରଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚିବା ପରେ ରାସ୍ତା କଡରେ ଗାଡି ପାର୍କ କରି ନିର୍ମାଣ କାର୍ଯ୍ୟ ଦେଖି ଆସିବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଜେ କାରରେ ହିଁ ବସିଥିଲେ।

ଡ୍ରାଇଭର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ସମୟରେ ଏକ ଧଳା ରଙ୍ଗର କାର ଆସି ତାଙ୍କର କାର କଡରେ ଅଟକିଥିଲା। ସେହି କାରରୁ ଅପହରଣକର୍ତ୍ତା ମାନେ ଓହ୍ଲାଇ ବ୍ୟବସାୟୀ ନରେଶଙ୍କୁ ତାଙ୍କ ଗାଡି ମଧ୍ୟରୁ ବାହାରକୁ ଡାକିଥିଲେ। ନରେଶ ଗାଡିରୁ ବାହାରିବା ପରେ ଅପହରଣକର୍ତ୍ତା ମାନେ ସେମାନଙ୍କର ଗାଡିରେ ଜୋରଜବରଦସ୍ତି ତାଙ୍କୁ ପୁରାଇ ଅପହରଣ କରି ଝାରସୁଗୁଡା ପଟକୁ ଚାଲି ଯାଇଥିଲେ। ଏହି ଅପହରଣ ଘଟଣାଟି ଏତେ ଶିଘ୍ର ଘଟିଥିଲା ଯେ ଗାଡିର ଡ୍ରାଇଭର ଓ ନିର୍ମାଣ ଶ୍ରମିକମାନେ କିଛି ଜାଣି ପାରି ନ ଥିଲେ ଏବଂ ଡ୍ରାଇଭର କାର ନିକଟକୁ ଫେରିବା ପରେ ଯାଇ ଘଟଣା ବିଷୟରେ ଜାଣି ଅଗ୍ରୱାଲ ପରିବାରକୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ପରିବାର ବର୍ଗ ଶାସନ ଥାନାକୁ ପହଞ୍ଚି ଅପହରଣ ଅଭିଯୋଗ କରିଛନ୍ତି।

ଇତି ମଧ୍ୟରେ ସମ୍ବଲପୁର ଜିଲା ପୁଲିସ ମୁଖ୍ୟ ଡା. କନୱର ବିଶାଳ ସିଂହ ଘଟଣାସ୍ଥଳ ତଥା ଶାସନ ଥାନା ପରିଦର୍ଶନ କରି ଅପହୃତ ନରେଶଙ୍କୁ ଉଦ୍ଧାର କରିବା ସହିତ ଅପହରଣକର୍ତ୍ତାମାନଙ୍କୁ ଧରିବା ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି। ପୁଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଦଳଗୁଡିକ ଇତି ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅପହୃତ ନରେଶଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରାୟ ୧୦ ବର୍ଷ ତଳେ କ୍ଷେତରାଜପୁରର ୮ ବର୍ଷିୟ ଋଷଭ ଅଗ୍ରୱାଲଙ୍କ ଅପହରଣ ଘଟଣା ସେ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବିଗତ କିଛି ଦିନ ହେବ ଜିଲାରେ ହତ୍ୟାକାଣ୍ଡ, ଏଟିଏମ ଲୁଟ, ଛୁରା ମାଡ, ବଳାତ୍କାର, ଚୋରି ଆଦି ମାମଲା ଢ଼େର ବଢ଼ି ଯାଇଥିବା ବେଳେ ଆଜିର ଏହି ଘଟଣା ଜିଲାବାସୀଙ୍କୁ ଭୟଭୀତ କରି ଦେଇଛି।

Comments are closed.