ରାଧାରାଣୀ ମୋଟର୍ସ ଚୋରୀ ଘଟଣାର ପର୍ଦ୍ଦାଫାସ, ୫ଗିରଫ

ଲାଠୋର: ବଲାଙ୍ଗୀର ଜିଲା ଲାଠୋର ପୁଲିସ ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଥିବା ନେଇ ରବିବାର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ସୂଚନା ମତେ ଲାଠୋର ଗ୍ରାମରେ ଥିବା ରାଧାରାଣୀ ମୋଟର୍ସ ହିରୋ ଶୋରୁମରୁ ଗତ ତା.୧୯/୭/୨୦ ରାତିରେ ଦୁର୍ବୃତ ମାନେ ସଟର ଭାଙ୍ଗି ଚୋରୀ କରିନେଇଥିଲା। ଶୋରୁମର ମାଲିକ ଅଙ୍କିତ କୁମାର ଅଗ୍ରୱାଲ ଶୋରୁମରୁ ଚୋରି ହୋଇଥିବା ନେଇ ତାର ଆର ଦିନ ତା.୨୦/୭/୨୦ ରେ ଲାଠୋର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଲାଠୋର ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଚୋରି କରିଥିବା କଣ୍ଟାବାଞ୍ଜି ଥାନା ସାଲେପଡାର ରାଜା ବନଚ୍ଛୋର(୧୯), ବନ୍ଧପଡାର ମେଘୁ ମୋହାନ (୨୫), ବନ୍ଧପଡାର ପୁନମ ପାଣ୍ଡେ (୨୨) ଏବଂ ଚୋରୀ ସାମଗ୍ରୀ କିଣିଥିବା କଣ୍ଟାବାଞ୍ଜି ଥାନା ବନ୍ଧପଡାର ଶିବୁରାମ ଆଦତ(୩୨), ବଙ୍ଗୋମୁଣ୍ଡା ଥାନା ସାନମୁଲାର ନବିନ ନାଗ(୨୮)ଙ୍କ ଠାରୁ ଦୁଇଟି ହିରୋ ଗ୍ଳେମର, ଦୁଇଗୋଟି ବ୍ୟାଟେରି, ଗୋଟିଏ ଆଇବଲ ଟ୍ୟାବ, ଦୁଇ ଗୋଟି ଚେକ୍‍ ବୁକ୍‍, ଗୋଟିଏ ସିସିଟିଭି ଡିଭିଆର, ଗୋଟିଏ ପେନଡ୍ରାଇଭ ଏବଂ ପାଞ୍ଚ ହଜାର ନଗଦ ଟଙ୍କା ଜବତ କରିଥିଲେ। ଚୋରୀ ଘଟଣାରେ ବ୍ୟବହୃତ ହୋଇଥିବା ଏକ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ସଂପୃକ୍ତ ଚୋର ଏବଂ ଚୋରୀ ସାମଗ୍ରୀ କିଣିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଲାଠୋର ଥାନା କେସ ନଂ ୬୩/୨୦ ରେ ମାମଲା ରୁଜୁ କରି ପାଟଣାଗଡ ଏସଡିଜେଏମ କୋର୍ଟକୁ ଚାଲାନ କରାଯାଇଥିବା ପ୍ରକାଶ କରିଛନ୍ତି। ତଦନ୍ତ କାର୍ଯ୍ୟରେ ଏସଆଇ ପ୍ରଣୟ ମୁର୍ମୂ ମଧ୍ୟ ସାମିଲ ରହିଥିଲେ। ଲାଠୋର ପୁଲିସର ଏହି ସଫଳତା ପାଇଁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି।

Comments are closed.