ପିଲାଙ୍କ ସହ ଶେଷ ସେଲ୍ଫି: କେରଳ ବିମାନ ଦୁର୍ଘଟଣାର ହୃଦୟ ବିଦାରକ ଛବି

କେରଳରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୮ ଜଣ ମୃତ୍ୟୁବରଣ କରିଛନ୍ତି ।  ବନ୍ଦେ ଭାରତ ମିଶନରେ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ପିଚ୍ଛିଳ ରନୱେରୁ ଖସି ୩୦ ଫୁଟ ତଳକୁ ଖସି ପଡ଼ିବା ପରେ ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଥିଲା ।
ମାତ୍ର ବିମାନ ଦୁର୍ଘଟଣା ପରେ ଦୁଇଟି ଛବି ଏବେ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟରେ ଭାଇରାଲ ହୋଇଛି । ବିମାନରେ ଦୁବାଇରୁ ଆସୁଥିବା ଏକ ପରିବାରର ଏହି ଛବି ଅନେକଙ୍କ ମନରେ ଦୁଃଖ ଆଣିଛି । ଜଣେ ବ୍ୟକ୍ତି ନିଜର ଝିଅ ଓ ପତ୍ନୀଙ୍କ ସହ ବିମାନରେ ନେଇଥିବା ସେଲ୍ଫି ତାଙ୍କ ପାଇଁ ଶେଷ ସେଲ୍ଫି ହୋଇଛି । ସେମାନେ ମାସ୍କ ଓ ଫେସସିଲ୍ଡ଼ ପିନ୍ଧି ବିମାନରେ ସେଲ୍ଫି ନେଇଥିଲେ ।
ଦୁର୍ଘଟଣା ପରେ ଏହି ପରିବାର ଉପରେ ଆକାଶ ଭାଙ୍ଗି ପଡ଼ିଛି । ଝିଅଟିର ବାପା ସରିଫୁଦ୍ଦିନ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମା’ ମଧ୍ୟ ଆହତ ହୋଇ ଅନ୍ୟ ଏକ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଝିଅଟି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ପରିବାର କେରଳର ମାନ୍ନାପୁରମ ଅଞ୍ଚଳର ବାସିନ୍ଦା ।
ସେହିପରି ଅନ୍ୟଏକ ପରିବାରର ବାପା ଓ ଝିଅଙ୍କ ଫଟୋ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି । ବାପା ଓ ଝିଅ ଦୁର୍ଘଟଣା ଯୋଗୁଁ ବିଛିନ୍ନ ହୋଇ ଯାଇଛନ୍ତି । ଜଣେ ପୁଲିସ କର୍ମଚାରୀ ଝିଅଟିକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଛନ୍ତି । ବାପା ମଧ୍ୟ ଆହତ ହୋଇ ଅନ୍ୟ ଏକ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ।

Comments are closed.