ସ୍ବର୍ଗଦ୍ବାରରେ ବିଦାୟ ନେଲେ ମନମୋହନ ମହାପାତ୍ର

ପୁରୀ: ଚିରଦିନ ପାଇଁ ବିଦାୟ ନେଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ର। ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରଠାରେ ଶ୍ରୀ ମହାପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଆଜି ସକାଳେ ସ୍ବର୍ଗଦ୍ବାରରେ ମରଶରୀର ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଶାସନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ବଡ଼ ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ଗତ ସୋମବାର ଚଳଚ୍ଚିତ୍ର ନିର୍ମାତା ମହାପାତ୍ରଙ୍କର ୬୯ ବର୍ଷରେ ଦେହାନ୍ତ ହୋଇଥିଲା। ସ୍ବର୍ଗତ ମହାପାତ୍ର ଏକାଧାରାରେ ଜଣେ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଏବଂ ଲେଖକ ଥିଲେ। ମଝି ପାହାଚ, ନୀରବ ଝଡ, ଶୀତ ରାତି ଏବଂ ଭିନ୍ନ ସମୟ ଆଦି ଚଳଚ୍ଚିତ୍ର ପାଇଁ ସେ ଜାତୀୟସ୍ତରରେ ଗୌରବ ଅର୍ଜନ କରିଛନ୍ତି। ବେଷ୍ଟ୍ ଫିଚର ଫିଲ୍ମ ପାଇଁ ସେ ୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ମହାପାତ୍ର ପୁଣେସ୍ଥିତ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ରେ ପାଠ୍ୟକ୍ରମ ଶେଷ କରି ୧୯୭୫ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ପ୍ରଥମେ ସେ ଆଣ୍ଟି-ମେମୋରିଜ୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ପରେ ତାଙ୍କର ‘ଶୀତ ରାତି’ ପ୍ରଥମ ସମ୍ପୂର୍ଣ୍ଣ ଓଡିଆ ଚଳଚ୍ଚିତ୍ର ଭାବେ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା। ୧୯୮୨ ମସିହାରେ ଏହି ପିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା। ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।

Comments are closed.