କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ

 ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

କଟକ: ଓଲିଉଡର ବାଦଶାହା ଅଭିନେତା ମିହିର ଦାସଙ୍କର ଶେଷକୃତ୍ୟ କଟକ ସତୀଚଉରା ଶ୍ମଶାନରେ ସଂପନ୍ନ ହୋଇଛି । ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ସେଠାରେ ତାଙ୍କ ଶୁଭେଚ୍ଛୁ ଏବଂ ସାହିବାସିନ୍ଦାମାନେ ମିହିରଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ବର୍ଷା ଓ ପ୍ରତିକୂଳ ପାଗ ପରିସ୍ଥିତି ସତ୍ୱେ ଏହି ଦିଗଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ସତୀଚଉରା ଶ୍ମଶାନକୁ ଅଣାଯିବା ପରେ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପୁତ୍ର ଅମ୍ଳାନ ମୁଖାଗ୍ନି ଦେବାପରେ ମିହିରଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲା । ସୂଚନାଯୋଗ୍ୟ ଯେ କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଅଭିନେତା ମିହିର ଦାସଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିଲା । ଏଥିସହିତ ଓଲିଉଡରେ ଏକ ଯୁଗର ଅନ୍ତ ଘଟିଲା ।

Comments are closed.