ଭାରତ ବିପକ୍ଷ ଟି୨୦: ଶ୍ରୀଲଙ୍କାର ନେତୃତ୍ବ ନେବେ ମାଲିଙ୍ଗା

କଲମ୍ବୋ : ରବିବାରଠାରୁ ଭାରତୀୟ କ୍ରିକେଟ ଦଳ ୨୦୨୦ରେ ତା’ର ଅଭିଯାନ ଆରମ୍ଭ କରିବ। ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଭାରତ ୩ଟି ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ। ଏହି ସିରିଜ୍‌ରେ ଜାନୁଆରୀ ୫ରେ ଗୁଆହାଟୀରେ, ୭ରେ ଇନ୍ଦୋର ଓ ୧୦ରେ ପୁଣେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଲାଗି ବୁଧବାର ସନ୍ଧ୍ୟାରେ ଶ୍ରୀଲଙ୍କାର ଟ୍ବେଣ୍ଟି୨୦ ଦଳ ଘୋଷଣା କରାଯାଇଛି। ୧୫ ବର୍ଷ ହେଲା ଆନ୍ତର୍ଜାତିକ କ୍ରିକେଟ ଖେଳୁଥିବା ୩୬ ବର୍ଷ ବୟସ୍କ ଫାଷ୍ଟବୋଲର ଲାସିଥ୍ ମାଲିଙ୍ଗା ଏହି ସିରିଜ୍‌ରେ ଶ୍ରୀଲଙ୍କା ଦଳର ନେତୃତ୍ବ ନେବେ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ୧୬ ଜଣିଆ ଦଳ ଘୋଷଣା କରିଥିବା ବେଳେ ଦେଶର ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡ୍ୟୁଲାସ୍ ଆଲହାପେରୁମା ଏହାକୁ ଅନୁମୋଦନ କରିଛନ୍ତି। ଆହତ ଥିବାରୁ ଶ୍ରୀଲଙ୍କାର ବରିଷ୍ଠ ପେସ୍ ବୋଲର ନୁୱାନ୍ ପ୍ରଦୀପ ଏହି ଦଳରେ ସାମିଲ ହୋଇ ପାରିନାହାନ୍ତି। ପ୍ରଦୀପଙ୍କ ସ୍ଥାନରେ ଯୁବ ପେସ୍ ବୋଲର କାସୁନ୍ ରଜିତା ଦଳରେ ରହିଛନ୍ତି। ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଯଦି ଚୂଡ଼ାନ୍ତ ଏକାଦଶରେ ମାଥ୍ୟୁସ୍‌ଙ୍କୁ ସ୍ଥାନ ମିଳେ; ତେବେ ଦୀର୍ଘ ୧୬ ମାସ ପରେ ମାଥ୍ୟୁସ୍ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବେ। ସେ ଅଧିନାୟକ ଥିବା ବେ​‌ଳେ ୨୦୧୮ ଅଗଷ୍ଟ‌େ‌ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିଲେ। ଦଳରେ ଅଭିକ୍ଷା ଫର୍ଣ୍ଣାଣ୍ଡୋ, କୁଶଳ ମେଣ୍ଡିସ୍ ଓ ଧନଞ୍ଜୟ ଡି ସିଲ୍‌ଭାଙ୍କ ପରି ଫର୍ମରେ ଥିବା ଖେଳାଳି ସ୍ଥାନ ପାଇଛନ୍ତି। ବିରାଟ କୋହଲି ଭାରତୀୟ ଦଳର ନେତୃତ୍ବ ନେବେ।

ଶ୍ରୀଲଙ୍କା ଟ୍ବେଣ୍ଟି୨୦ ଦଳ: ଲାସିଥ୍ ମାଲିଙ୍ଗା (ଅଧିନାୟକ), ଧନୁଷ୍କା ଗୁଣତିଳକ, ଅଭିକ୍ଷା ଫର୍ଣ୍ଣା​‌ଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍, କୁଶଳ ମେଣ୍ଡିସ୍, ଧନଞ୍ଜୟ ଡି ସିଲ୍‌ଭା, ଦାସୁନ୍ ଶନକ, କୁଶଳ ପରେରା, ନିରୋଶନ୍ ଡିକ୍‌ୱେଲା, ଇସୁରୁ ଉଦାନା, ଭାନୁକା ରାଜପକ୍ଷ, ଓସାଦା ଫର୍ଣ୍ଣା​‌ଣ୍ଡୋ, ୱାନିନ୍ଦୁ ହାସରଙ୍ଗା, ଲାହିରୁ କୁମାର, ଲକ୍ଷଣ ସନ୍ଦକନ୍ ଓ କାସୁନ୍ ରଜିତା।

Comments are closed.