ଲଶ୍କର-ଏ-ମୁସ୍ତଫା ମୁଖ୍ୟ ହିଦାୟତୁଲ୍ଲା ମଲିକ ଗିରଫ

ଜାମ୍ମୁ: ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ମୁସ୍ତଫାର ମୁଖ୍ୟ ହିଦାୟତୁଲ୍ଲା ମଲିକକୁ ଜାମ୍ମୁ ଏବଂ ଅନନ୍ତନାଗ ପୁଲିସ ଗିରଫ କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଏ ନେଇ ସୂଚନା ଦେଇଛି। ହିଦାୟତୁଲ୍ଲା ଜାମ୍ମୁରେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ପ୍ରାଥମିକ ଜେରାରୁ ଜଣାପଡ଼ିଛି।

ଲଶ୍କର-ଏ-ମୁସ୍ତଫା ଜାମ୍ମୁରେ ଜୈଶ-ଏ-ମହମ୍ମଦର ଏକ ପ୍ରମୁଖ ଅଙ୍ଗ। ଜାମ୍ମୁ ଏସଏସପି ଶ୍ରୀଧର ପାଟିଲ କହିଛନ୍ତି ଯେ, ଜାମ୍ମୁରେ କୁଞ୍ଜୱାନୀ ନିକଟରେ ଆତଙ୍କବାଦୀ ହିଦାୟତୁଲ୍ଲା ମଲିକକୁ ଗିରଫ କରାଯାଇଛି। ତା’ ନିକଟରୁ ଏକ ବନ୍ଧୁକ ଏବଂ ଗୋଟିଏ ଗ୍ରେନେଡ୍‌ ଜବତ ହୋଇଛି।

ଜୈଶ ଆତଙ୍କୀ ସଂଗଠନ ଜାମ୍ମୁ-କାଶ୍ମୀରରେ ନୂଆ ନାମରେ ସଂଗଠନ ଗଢ଼ି ଆଇଇଡି ବିସ୍ଫୋରଣ ଘଟାଇବାର ଷଡ଼ଯନ୍ତ୍ର କରୁଥିବା ନେଇ ପର୍ଦ୍ଦାଫାଶ ହୋଇଥିଲା। ସୁରକ୍ଷା କର୍ମୀମାନେ ଲଶ୍କର-ଏ-ମୁସ୍ତଫା ନାମରେ ନୂଆ ଭାବେ ଗଢ଼ି ଉଠିଥିବା ଆତଙ୍କୀ ସଂଗଠନର ଦୁଇ ଆତଙ୍କବାଦୀ ଏବଂ ସେମାନଙ୍କ ୪ ସହଯୋଗୀଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୨ଟି ଗ୍ରେନେଡ, ଏକ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ସହିତ ଏକେ-୪୭ର ୩୦ଟି ମାଗାଜିନ ଜବତ ହୋଇଥିଲା।

Comments are closed.