ରୁଷ ନିର୍ମାଣ କରୁଛି ସର୍ବବୃହତ୍‌ ବୋମା

ମସ୍କୋ : କରୋନା ମହାମାରୀର ମୁକାବିଲାରେ ତମାମ ବିଶ୍ବ ନୟାନ୍ତ ହୋଇପଡ଼ିଥିବାବେଳେ ରୁଷ ପୃଥିବୀର ସର୍ବବୃହତ୍‌ ଆଣବିକ ବୋମା ପ୍ରସ୍ତୁତ କରିଛି । ଏହାକୁ ରୁଷ ନିଜର ମାରାତ୍ମକ ‘ସ୍କିଫ୍‌’ କ୍ଷେପଣାସ୍ତ୍ରରେ ସାମିଲ କରିବ ବୋଲି ସୂଚନା ମିଳିଛି । ଏହି ବୋମାକୁ ‘ଡୁମ୍‌ସ ଡେ’ ବୋମା କୁହାଯାଉଛି । ସାରା ପୃଥିବୀର ଧ୍ବଂସ ସାଧନ ପାଇଁ ଏହା ସକ୍ଷମ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଏହି ବୋମା ସୁପ୍ତ ଅବସ୍ଥାରେ ସମୁଦ୍ର ବକ୍ଷରେ ରହିପାରିବ ଓ ରିମୋଟ ମାଧ୍ୟମରେ କାର୍ଯ୍ୟକ୍ଷମ ହେବ । ସ୍କିଫ୍‌ କ୍ଷେପଣାସ୍ତ୍ର ମାଧ୍ୟମରେ ଏହା ୬ହଜାର ମାଇଲ ଦୂରକୁ ଘଣ୍ଟା ପ୍ରତି ୬୦ ମାଇଲ ବେଗରେ ନିକ୍ଷେପ ହୋଇପାରିବ । ବିସ୍ଫୋରଣ ଘଟିଲେ ଏଥିରୁ ନିର୍ଗତ ସିନ୍ଥେଟିକ୍‌ ରେଡିଓଆକ୍ଟିଭ୍‌ ରଶ୍ମି କୋବାଲ୍ଟ-୬୦ ଆଖିପିଛୁଳାକେ ଧ୍ବଂସଲୀଳା ରଚନା କରିବ । ଏଥିରୁ ନିର୍ଗତ ୧୦୦ଟନ୍‌ ବିଷାକ୍ତ ପଦାର୍ଥ ସମୁଦ୍ର ଶଯ୍ୟାକୁ ୩ହଜାର ମିଟର ଗଭୀର ପର୍ଯ୍ୟନ୍ତ ନଷ୍ଟ କରିଦେବ। ଫେବୃଆରୀ ମାସରେ ଏହି ବୋମା ନିର୍ମାଣ ସମ୍ପର୍କରେ ପ୍ରଥମ ସୂଚନା ମିଳିଥିଲା। ଏହି ବୋମା ଦ୍ବାରା ରୁଷ ଅପରାଜେୟ ରହିବ। ଏହି ବୋମା ନିର୍ମାଣ ନେଇ ଆନ୍ତର୍ଜାତିକ ମହଲରେ ଚର୍ଚ୍ଚା ଆରମ୍ଭ ହେବା ପରେ ଶନିବାର ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଏହି ବୃହତ୍‌ ବୋମା ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ ବୋଲି ରୁଷ ପକ୍ଷରୁ କୁହାଯାଇଛି ।
ରାଷ୍ଟ୍ରପତି ବ୍ଲାଦିମୀର ପୁତିନ୍‌ଙ୍କ ଅନୁମତିକ୍ରମେ ଏହି ବୋମାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଏକ ବିଜ୍ଞପ୍ତିରେ କୁହାଯାଉଛି । ଚୀନ୍‌ ସମ୍ପ୍ରତି ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆମେରିକା ମଧ୍ୟ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟ ଅବ୍ୟାହତ ରଖିଛି । ଦକ୍ଷିଣ ଚୀନ୍‌ ସାଗରରେ ଉଭୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଚୀନ୍‌ ସୁପର ପାୱାର ହେବାର ଆଶା ରଖିଛି। ଆମେରିକା ଓ ଚୀନ୍‌ର ପ୍ରସ୍ତୁତି ଦେଖି ରୁଷ୍‌ ପ୍ରସ୍ତୁତ ହେଉଥିବା କୁହାଯାଉଛି ।

Comments are closed.