ଲାଞ୍ଜିଗଡ଼ରେ ଟ୍ରାଫିକ ସମସ୍ୟା ନେଇ ସରପଞ୍ଚଙ୍କ ଜରୁରୀକାଳୀନ ବୈଠକ

ଲାଞ୍ଜିଗଡ: ଲାଂଜିଗଡ଼ରେ ବେଦାନ୍ତ କମ୍ପାନୀ ଗଢି ଉଠିଥିବାବେଳେ ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସମାଗମ ହେଉଛି । ଦିନକୁଦିନ ଲାଂଜିଗଡ଼ରେ ଜନସଂଖ୍ୟା ବୃଦ୍ଧି ପାଉବା ସହ ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି। ଦିନକୁ ଦିନ ରାସ୍ତା ଦୁଇ ପାର୍ଶ୍ଵରେ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ଏହି ସମସ୍ୟା କିଭଳି ଦୂରହେବ ଏହାକୁ ନେଇ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ ସାପ୍ତାହିକ ବଜ଼ାର ପ୍ରାଙ୍ଗଣରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ସହର ଏକ ଜନବହୁଳ ସହର ହୋଇଥିବାବେଳେ ରାସ୍ତାର ଦୁଇପାର୍ଶ୍ଵରେ ପନିପରିବା ଦୋକାନ, ମାଛ ମାଂସ ଦୋକାନ ଓ ଅନେକ ଠେଲା ରହୁଥିବା ଫଳରେ ରାସ୍ତା ସଂକୀର୍ଣ୍ଣ ହେଉଛି, ଏହାଫଳରେ ଗାଡିମୋଟର ମଧ୍ୟ ଯାତାୟାତ କରିପାରୁନାହିଁ । ଲାଞ୍ଜିଗଡ ମଧ୍ୟଭାଗରେ ଡ୍ରେନେଜ ବ୍ୟବସ୍ତା ଠିକ ରହୁ ନାହିଁ, ଫଳରେ ଡ୍ରେନର ପାଣି ରାସ୍ତା ଉପରେ ରହୁଛି। ଏଥିସହ ଲାଞ୍ଜିଗଡ ସହରରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସଂଧ୍ୟାବେଳେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଡୁଛି ଓ ଏହିସବୁକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ ପାଇଁ ସହରବାସୀଙ୍କ ସହିତ ଆଲୋଚନା କରିଥିଲେ ଲାଞ୍ଜିଗଡ ସରପଂଚ ସରସ୍ବତୀ ମୁଣ୍ଡା । ସହରରେ ଥିବା ଉଠାଦୋକାନୀ, ମାଛ ମାଂସ ଦୋକାନୀମାନଙ୍କୁ ସାପ୍ତାହିକ ବଜାରରେ ଦୋକାନ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଧୀରେ ଧୀରେ ସେମାନଙ୍କୁ ଅନ୍ୟ ଜାଗାରେ ଥଇଥାନ କରିବାକୁ ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ। ଯେହେତୁ ଦିନକୁ ଦିନ ଲାଞ୍ଜିଗଡ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଲାଞ୍ଜିଗଡ ସହରକୁ ସ୍ଵଛ ସୁନ୍ଦରକରିବାକୁ ହେଲେ ଏହି ପଦକ୍ଷେପ ନେବାକୁ ପଡିବ ବୋଲି ଉପସ୍ଥିତ ବରିଷ୍ଠ ନାଗରିକ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ସହରର ସମସ୍ତ ଦୋକାନୀ ମାଲିକ ଉପସ୍ଥିତ ଥିବାବେଳେ ପୂର୍ବତନ ସରପଂଚ ଚନ୍ଦ୍ରଧ୍ବଜ ପେସନିଆ, ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଶ୍ରୀମୁଖ ଅଗସ୍ତି, ସୁବାଷ ମହାପାତ୍ର, ପରମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ।

Comments are closed.