ଦୁର୍ଗମ ଅଞ୍ଚଳରେ ଆରମ୍ଭ ହେଲା ମାଣ୍ଡିଆ ଅମଳ ଋତୁ

ଶୀଘ୍ର ମଣ୍ଡି ଖୋଲିବାକୁ ଚାଷୀଙ୍କ ଦାବି  

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ତ୍ରିଲୋଚନପୁର, ବିଜେପୁର, ମାଳିଯୁବାଙ୍ଗ ଓ ପାହାଡ଼ପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଆରମ୍ଭ ହୋଇଛି ମାଣ୍ଡିଆ ଅମଳ ଋତୁ। ମାଣ୍ଡିଆ ଏକ ଆଦିବାସୀ ଅଞ୍ଚଳରେ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏହାର ଅମଳ ଦେଖି ଅଞ୍ଚଳରେ ମାଣ୍ଡିଆ ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଫୁଲଡୁମେର, ତାଡିଝୁଲା, ପାଲବେରୀ, କୁନ୍ନାକାଡୁ, ଲଡାଙ୍ଗ, କାଶବୁଣ୍ଡେଲ, ଅମଠାପଦର, ସାପଚଞ୍ଚରା,ଡଙ୍ଗାବାହାଲି ଆଦି ଗ୍ରାମରେ ୧୨୫ଜଣ ମାଣ୍ଡିଆଚାଷୀ ୧୧୫ ହେକ୍ଟର ଜମିରେ ୪୪୫ କ୍ୱିଣ୍ଟାଲ ମାଣ୍ଡିଆ ଅମଳ କରିଛନ୍ତି।
ସେହିପରି ବିଜେପୁର ପଞ୍ଚାୟତର ବିଜେପୁର, ବାତେରପଡା, ଚାଚାଗାଁ, କଳାକୁପା, ପୁଖେର, ସିନ୍ଧିଭଟା, ସାହାଜପଡା, ପାଇକଥୁଆଗୁଡା, ଖଜୁରଗୁଡା ଗାଁର ୨୨୫ଜଣ ମାଣ୍ଡିଆ ଚାଷୀ ପ୍ରାୟ ୨୧୦ ହେକ୍ଟର ଜମିରେ ୮୪୦ କ୍ୱିଣ୍ଟାଲ ମାଣ୍ଡିଆ ଅମଳ କରିଥିବା ଅନୁମାନ କରାଯାଉଛି। ଏହା ବ୍ୟତୀତ ମାଳିଯୁବାଙ୍ଗ ପଞ୍ଚାୟତର ଉଷାବାହିଲି,ମାଳିଯୁବାଙ୍ଗ, ପାନପଦର, ସୁନାଖଡିକା, କାନକୁଟୁରୁ, ସିରକୋଝୋଲା,କନକସର୍ପା ଗାଁରେ ୧୪୫ଜଣ ମାଣ୍ଡିଆ ଚାଷୀଙ୍କ ପ୍ରାୟ ୧୦୫ହେକ୍ଟର ଜମିରେ ୪୨୦ କ୍ୱିଣ୍ଟାଲ ମାଣ୍ଡିଆ ଅମଳ କରିଥିବା ବେଳେ ପାହାଡ଼ପଦର ପଞ୍ଚାୟତର ପୁଞ୍ଜାମ,ଜିରାଗାଁ,ବୋରପଦର, ପାହାଡ଼ପଦର,ପଟାଙ୍ଗପଦର, ମାଳିପଡା, ମଦନଗୁଡା,କାଞ୍ଚନମୁଖୀ,ତଇଁପଦର ଆଦି ଗ୍ରାମରେ ୧୮୨ ଜଣ ମାଣ୍ଡିଆ ଚାଷୀ ପ୍ରାୟ ୧୩୫ ହେକ୍ଟର ଜମିରେ ୫୧୫ କ୍ୱିଣ୍ଟାଲ ମାଣ୍ଡିଆ ଅମଳ କରିଥିବା ଅନୁମାନ କରାଯାଉଛି।ବର୍ତ୍ତମାନ ଏହି ମାଣ୍ଡିଆ ଅମଳ ଶତକଡା ୯୫ ପ୍ରତିଶତ ଶେଷ ହେବାକୁ ଯାଉଥିବା ବେଳେ ଏଥିରେ ଦଲାଲ ମାନଙ୍କ କବଜାରେ ମାଣ୍ଡିଆ ଚାଷୀ ମାନେ ପଡିବା ଆଶଙ୍କା ରହିଥିବା ବେଳେ ଏଥିଯୋଗୁଁ ମାଣ୍ଡିଆ ଚାଷୀମାନେ ନିରାଶ ହୋଇ ପଡିଛନ୍ତି।ଏଣୁ ପ୍ରଶାସନ ପକ୍ଷରୁ ମଣ୍ଡିଆ ମଣ୍ଡି ଖୋଲିବା ସହିତ ସେମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଯୋଗାଇ ଦେବାକୁ ୪ଗୋଟି ପଞ୍ଚାୟତର ଶହ ଶହ ମଣ୍ଡିଆ ଚାଷୀ ଦାବି କରିଛନ୍ତି।

Comments are closed.